ଡାକ୍ତରଙ୍କୁ ମୁଖ୍ୟମନ୍ତ୍ରୀ କହିଲେ ‘ମୋ ସରକାର’ର ମୂଳଲକ୍ଷ୍ୟ: ଭଲ କାମ କଲେ ପୁରସ୍କାର, ଅବହେଳା କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ।

748

କନକ ବ୍ୟୁରୋ: ମୋ ସରକାର କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଭିଡିଓ କନଫରେନ୍ସି  ଜରିଆରେ ସିଡିଏମଓ ସହ କଥା ହେଲେ ମୁଖ୍ୟମନ୍ତ୍ରୀ । ହସ୍ପିଟାଲକୁ ଆସୁଥିବା ରୋଗୀମାନଙ୍କୁ କିପରି ଚିକିତ୍ସା ଯୋଗାଇ ଦିଆଯାଉଛି ତାହାର ମତାମତ ନେବେ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରତ୍ୟେକ ଦିନ ୧୦ ଜଣ ରୋଗୀଙ୍କ ସହ ସିଧାସଳଖ କଥା ହେବେ ମୁଖ୍ୟମନ୍ତ୍ରୀ । ଯଦି କୌଣସି ବ୍ୟକ୍ତି ହସ୍ପିଟାଲ ଓ ରୋଗୀଙ୍କ ମଧ୍ୟରେ ମଧ୍ୟସ୍ଥି କାମ କରିଥିବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ।

ସିଡ଼ିଏମଓଙ୍କୁ ମୁଖ୍ୟମନ୍ତ୍ରୀ ‘ମୋ ସରକାର’ ମନ୍ତ୍ର ଦେଇ କହିଛନ୍ତି କି, ଜନସାଧାରଣ ହେଉଛନ୍ତି ଡାକ୍ତରଖାନାର ପ୍ରକୃତ ମାଲିକ । ସେମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇବା ଡାକ୍ତରଙ୍କ ଦାୟିତ୍ୱ । ୨୦୦୦ ମସିହାରେ ରାଜ୍ୟର ସ୍ୱାସ୍ଥ୍ୟ ବଜେଟ୍ ୫୧୪ କୋଟି ଥିବାବେଳେ ଏବେ ଏହା ୭ହଜାର କୋଟି ଟଙ୍କାରେ ପହଁଚିଲାଣି । ସ୍ୱାସ୍ଥ୍ୟକ୍ଷେତ୍ରରେ ବଜେଟ୍, ମେଡିକାଲ ଏବଂ ସବୁ ଚିକିତ୍ସାଳୟ ଏହା କେବଳ ସାଧାରଣ ଲୋକଙ୍କ ପାଇସାରେ ହୋଇପାରିଛି । ତେଣୁ ସେମାନେ ହିଁ ଏହାର ପ୍ରକୃତ ମାଲିକ । ସେମାନଙ୍କୁ ସମ୍ମାନର ସହ ଚିକିତ୍ସା, ଔଷଧ ପ୍ରଦାନ, ରୋଗ ପରୀକ୍ଷା ଆଦି ସବୁସେବା ମାଗଣାରେ ଯୋଗାଇଦେବା ହେଉଛି ଆମର ପ୍ରଥମ କର୍ତ୍ତବ୍ୟ ।

ଅନ୍ୟପଟେ କେତେକ ସ୍ଥାନରେ ବିଶେଷ କରି ବ୍ଲଡ ବ୍ୟାଙ୍କ୍, ଆମ୍ବୁଲାନ୍ସ ଓ ଡାୟାଲିସିସ୍ ଆଦି କ୍ଷେତ୍ରରେ ରୋଗୀମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ସରକାରଙ୍କ ଦୃଷ୍ଟି ଆସିଛି । ତେଣୁ ରୋଗୀମାନଙ୍କୁ ଏହି ସମସ୍ୟାରୁ ମୁକ୍ତି କରିବା ଏବଂ ସମସ୍ତ ସୁବିଧା ଉପଲବ୍ଧ କରାଇବା ପାଇଁ ଏଭଳି ଦିଗରେ ବାଧା ସୃଷ୍ଟି କରୁଥିବା ଦଲାଲ ମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟମନ୍ତ୍ରୀ ସିଡିଏମଓ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଏପରିକି ଆସନ୍ତା ଅକ୍ଟୋବର ୨ ତାରିଖ ଗାନ୍ଧି ଜୟନ୍ତୀରୁ ଆରମ୍ଭ ହେବାକୁଥିବା ‘ମୋ ସରକାର’ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ରୋଗୀ ମାନଙ୍କୁ ଫୋନ୍ କରିବେ ଆଉ ଡାକ୍ତରଖାନାରେ ସବୁ କିଛି ଠିକ୍ ଚାଲିଛି ନା ନାହିଁ ସେନେଇ ପଚାରୁ ବୁଝିବେ ବୋଲି କହିଛନ୍ତି । ତେଣୁ ଯେଉଁ ଡାକ୍ତରମାନେ ଭଲ କାମ କରୁଥିବେ ତାଙ୍କୁ ସ୍ୱୀକୃତି ସ୍ୱରୂପ ଆଗୁଆ ପଦୋନ୍ନତି ମିଳିବ, ଆଉ କର୍ତ୍ତବ୍ୟରେ ଅବହେଳା କରୁଥିବା ଡାକ୍ତରଙ୍କ ବିରୋଧରେ  କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ନବୀନ ।