ଜେଏନୟୁରେ ଛାତ୍ରଛାତ୍ରୀଙ୍କ ଉପରେ ଆକ୍ରମଣ ଘଟଣା । ଟୁଇଟ୍ କରି ଉଦବେଗ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଲେ ଗଣତନ୍ତ୍ରରେ ନାହିଁ ହିଂସାର କୌଣସି ସ୍ଥାନ

519

କନକ ବ୍ୟୁରୋ: ଦିଲ୍ଲୀ ଜବାହାରଲାଲ୍ ନେହେରୁ ବିଶ୍ୱବିଦ୍ୟାଳୟରେ ଦୁର୍ବୃତ୍ତଙ୍କ ସଂଘବଦ୍ଧ ଆକ୍ରମଣକୁ ନେଇ ପ୍ରତିକ୍ରିୟା ରଖିଛନ୍ତିି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ତେବେ ଛାତ୍ରଛାତ୍ରୀଙ୍କ ଉପରେ ଆକ୍ରମଣ ଅତ୍ୟନ୍ତ ନିନ୍ଦନୀୟ ବୋଲି ଟୁଇଟ କରି ଉଦବେଗ ପ୍ରକାଶ କରିଛନ୍ତି ନବୀନ । ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ ବୋଲି କହିବା ସହ ଛାତ୍ରଛାତ୍ରୀଙ୍କ ଉପରେ ହୋଇଥିବା ଆକ୍ରମଣକୁ କଡା ଭାଷାରେ ନିନ୍ଦା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ ଏ ଆକ୍ରମଣକାରୀଙ୍କ ବିରୋଧରେ ଯଥା ଶୀଘ୍ର କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବୀ କରିବା ସହ ଆହତ ଛାତ୍ରଛାତ୍ରୀଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଜେଏନୟୁରେ ଛାତ୍ରଛାତ୍ରୀ ଆକ୍ରମଣ ଘଟଣାକୁ ନେଇ ତୀବ୍ର ହେବାରେ ଲାଗିଛି ରାଜନୀତି । ଘଟଣାକୁ ତୀବ୍ର ନିନ୍ଦା କରିବା ସହ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ମଧ୍ୟ ପ୍ରଶ୍ନ କରିଛନ୍ତି କି-ଯଦି ଛାତ୍ରଛାତ୍ରୀ ୟୁନିଭର୍ସିଟି ଭିତରେ ସୁରକ୍ଷିତ ରହିବେ ନାହିଁ ତେବେ ଦେଶ କେମିତି ଉନ୍ନତି କରିବ । ଏନେଇ ସେ ଦିଲ୍ଲୀ ଉପ-ରାଜ୍ୟପାଳଙ୍କୁ ମଧ୍ୟ ଅବଗତ କରିଛନ୍ତି । ତୁରନ୍ତ ପୁଲିସ ପ୍ରଶାସନକୁ ସକ୍ରିୟ କରିବା ସହ ଶାନ୍ତି ଫେରାଇ ଆଣିବାକୁ ଉପ-ରାଜ୍ୟପାଳଙ୍କୁ ଜଣାଇଛନ୍ତି ଅରବିନ୍ଦ କେଜ୍ରିୱାଲ । ଏପଟେ ରାହୁଲ ଗାନ୍ଧୀ ସିଧାସଳଖ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ।  ଫାଶୀବାଦୀଙ୍କ ନିୟନ୍ତ୍ରଣକୁ ଦେଶ ଚାଲି ଯାଇଛି ଏବଂ ସାହାସୀ ଛାତ୍ରଛାତ୍ରୀମାନେ ଏହି ଫାଶୀବାଦୀଙ୍କୁ ସାହାସିକତାର ସହ ମୁକାବିଲା କରିଛନ୍ତି ବୋଲି ଟ୍ୱିଟରରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଏପଟେ ଏମ୍ସ ପହଂଚି ଆହତ ଛାତ୍ରଛାତ୍ରୀଙ୍କୁ ଭେଟିଛନ୍ତି ପ୍ରିୟଙ୍କା ଗାନ୍ଧୀ । ଆଉ ଏହାରି ଭିତରେ ବିଜେପି ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଘଟଣାକୁ ନିନ୍ଦା କରିଛି ।

ଦିଲ୍ଲୀ ଜବାହାରଲାଲ୍ ନେହେରୁ ବିଶ୍ୱବିଦ୍ୟାଳୟରେ ମୁଖା ପିନ୍ଧା ଦୁର୍ବୃତ୍ତଙ୍କ ସଂଘବଦ୍ଧ ଆକ୍ରମଣ । କ୍ୟାମ୍ପସରେ ପଶି ଛାତ୍ରଛାତ୍ରୀଙ୍କୁ ନିସ୍ତୁକ ମାଡ ମାରିଲେ ୫୦ରୁ ଅଧିକ ମୁଖାପିନ୍ଧା ଦୁବୃର୍ତ୍ତ । ଗତକାଲି ରାତିରେ ଘଟିଛି ଏହି ଘଟଣା । ଜେଏନୟୁ କ୍ୟାମ୍ପସରେ ପଶି ଏମାନେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି । ସଂଘବଦ୍ଧ ଆକ୍ରମଣରେ ୨୫ ଛାତ୍ରଛାତ୍ରୀ ଓ ଅଧ୍ୟାପକ ଆହତ ହୋଇଛନ୍ତି । ସେମାନଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି ।  ଗୁରୁତର ଆହତଙ୍କ ମଧ୍ୟରେ ଅଛନ୍ତି ଛାତ୍ର ସଂସଦ ସଭାପତି ଐଶୀ ଘୋଷ । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ସ୍ଥିତିର ମୁକାବିଲା କରିବା ଲାଗି କ୍ୟାମ୍ପସ ଭିତରେ ଏବଂ ବାହାରେ ପୋଲିସ ମୁତୟନ ହୋଇଛି । ଏହି ଆକ୍ରମଣ ପାଇଁ ଛାତ୍ର ସଂସଦ ଏବିଭିପିକୁ ଦାୟୀ କରିଛି । ଅନ୍ୟପକ୍ଷରେ ବାମପନ୍ଥୀ ଛାତ୍ରଙ୍କୁ ଦାୟୀ କରିଛି ଏବିଭିପି ।

ମିଳିଥିବା ସୂଚନା ଅନୁସାରେ ଜେଏନୟୁ ଶିକ୍ଷକ ସଂଘର ବୈଠକ ଚାଲିଥିଲା । ଏତିକିବେଳେ ଦୁବୃର୍ତମାନେ ଏହି ଆକ୍ରମଣ କରିଥିଲେ । ଦୁବୃର୍ତ୍ତମାନଙ୍କୁ ଅଟକାଇବାକୁ ଚେଷ୍ଟା କରି ଅନେକ ଅଧ୍ୟାପକ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ । ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁସାରେ ପଶ୍ଚିମ ଗେଟ ଦେଇ ୫୦ରୁ ଅଧିକ ମୁଖାପିନ୍ଧା ଦୁବୃର୍ତ କ୍ୟାମ୍ପସ ମଧ୍ୟକୁ ପଶି ଏହି ଆକ୍ରମଣ କରିଥିଲେ । ଏହି ହିଂସାକାଣ୍ଡକୁ ନିନ୍ଦା କରିଛନ୍ତି ବିଦେଶ ମନ୍ତ୍ରୀ ଜୟଶଙ୍କର । ସଂଯୁକ୍ତ ସିପି ର୍ୟାଙ୍କର ଅଧିକାରୀ ଶାଲିନି ସିଂହ ଏହି ଘଟଣାର ଯାଂଚ କରିବେ । ଦିଲ୍ଲୀ ପୋଲିସ କମିଶନରଙ୍କ ସହ ହିଂସା ପରିସ୍ଥିତି ନେଇ ଗୃହ ମନ୍ତ୍ରୀ ଅମିତ ଶାହା ଆଲୋଚନା କରିଛନ୍ତି । ଗୃହ ମନ୍ତ୍ରଣାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ ଅମିତ ଶାହାଙ୍କ ନିର୍ଦ୍ଦେଶ କ୍ରମେ ଆଇଜି ସ୍ତରର ଅଧିକାରୀମାନଙ୍କ ଏକ କମିଟି ତିଆରି କରି ତୁରନ୍ତ ଏହି ଘଟଣାର ରିପୋର୍ଟ ଗୃହ ମନ୍ତ୍ରାଳୟକୁ ଦେବ ।