ମାଟ୍ରିକ ପରୀକ୍ଷାକୁ ନେଇ ବଡ ଘୋଷଣା କରିବେ ମୁଖ୍ୟମନ୍ତ୍ରୀ । ଗତକାଲି ସିବିଏସଇର ଦଶମ ପରୀକ୍ଷାକୁ ବାତିଲ କରିଥିଲେ କେନ୍ଦ୍ର ସରକାର ।

433

କନକ ବ୍ୟୁରୋ : ଆଜି ମାଟ୍ରିକ ପରୀକ୍ଷାକୁ ନେଇ ବଡ ଘୋଷଣା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେବଳ ମାଟ୍ରିକ ନୁହେଁ ବରଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ନେଇ ବଡ ଘୋଷଣା କରିବେ ମୁଖ୍ୟମନ୍ତ୍ରୀ । ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । କରୋନା କାୟା ମେଲାଉଥିବା ବେଳେ ହେବାକୁ ଥିବା ମାଟ୍ରିକ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାବଦରେ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିବେ ନବୀନ ।

ଏହାପୂର୍ବରୁ ଗତକାଲି ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାକୁ ବାତିଲ କରାଯାଇଥିବା ବେଳେ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ସ୍ଥଗିତ କରିବାକୁ ନିଷ୍ପତି ନେଇଥିଲେ କେନ୍ଦ୍ର ସରକାର । ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନିଆଯାଇଥିବା କହିଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ । ତେଣୁ ରାଜ୍ୟ ସରକାର ମଧ୍ୟ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବାବଦରେ ବଡ ନିଷ୍ପତି ନେଇପାରନ୍ତି ।

ଏସବୁ ଭିତରେ ମାସ୍କ ପିନ୍ଧିବା ସହ ବିନା ଲକଡାଉନରେ କରୋନା ସହ ଲଢିବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଆମ ସୁରକ୍ଷା ପାଇଁ ମାସ୍କ ହିଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ନବୀନ । ଏନେଇ ଟ୍ୱିଟ କରି ରାଜ୍ୟବାସୀଙ୍କୁ ବାର୍ତ୍ତା ଦେଇଛନ୍ତି । ଯାହା ଦର୍ଶାଉଛି ଏବେ ବି ଲକଡାଉନ ଓ ସଟଡାଉନ ବାବଦରେ କୌଣସି ନିଷ୍ପତି ନିଆଯାଇନାହିଁ ।