କନକ ବ୍ୟୁରୋ: ବିକାଶର ନାଁ ନବୀନ । ନବୀନ ମାନେ ‘ନୂଆ ଓଡିଶା’ । ଓଡିଶା ମୁଣ୍ଡରୁ ହଟିବ ଗରିବର ଟ୍ୟାଗ୍ । ବଦଳିବ ରାଜ୍ୟର ଚିତ୍ର । ନୂଆ ନୂଆ ଲାଗିବ ନୂତନ ଓଡିଶା । ଉତ୍କଳୀୟ ପରମ୍ପରା, ଉତ୍କଳର ଗାଥା ଗାଇ ଓଡିଆଙ୍କ ସଂସ୍କୃତିର ଛାପ ଥାଇ ଛପାଯିବ ନୂଆ ଓଡିଶାର ପଟ୍ଟଚିତ୍ର । ‘ନୂତନ ଓଡିଶା’ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ଯେଉଁ ସ୍ୱପ୍ନ ଦେଖିଛନ୍ତି, ନିଜେ ଯେଉଁ ନକ୍ସା ଆଙ୍କିଛନ୍ତି ତହିଁରେ ତୂଳୀ ଧରି ରଙ୍ଗ ମାରି ଚାଲିଛନ୍ତି ସେ । ସେ ଶ୍ରୀକ୍ଷେତ୍ର ହେଉ କି ଏକାମ୍ରକ୍ଷେତ୍ର, କଟକ ହେଉ କି କୋଣାର୍କ, ଏସସିବି ହେଉ କି ବରଗଡର କ୍ୟାନ୍ସର ହସ୍ପିଟାଲ । ଅବା ହୁଅନ୍ତୁ ମାଆ ସମଲେଶ୍ୱରୀଙ୍କ ମନ୍ଦିର ଠାରୁ ହକିର ହବ୍ ସୁନ୍ଦରଗଡ ଯାଏଁ ବିକାଶର ବୀଜ ବୁଣୁଛନ୍ତି, ବିକାଶ ଗଛରେ ବିକଶିତ ଫୁଲ ଫୁଟାଇ ଚାଲିଛନ୍ତି ନବୀନ । ଓଡିଶା ମାଟିରେ ବିକାଶର ବିଶ୍ୱକର୍ମା, ବିକାଶର ବିନ୍ଧାଣୀ ସାଜି ଗୋଟେ ପରେ ଗୋଟେ ବିକାଶମୁଖୀ କାମ କରିଚାଲିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Advertisment

ଇତି ମଧ୍ୟରେ ୫ମ ପାଳିର ୨ୟ ବର୍ଷରେ ପାଦ ଦେଇଛନ୍ତି ନବୀନ ସରକାର । ଲଗାତାର ପଞ୍ଚମ ଥର ପାଇଁ ଯେତେବେଳେ ନବୀନ ସରକାର ଗଠନ କରିଥିଲେ ସେତେବେଳେ ଫନି ଭଳି ବଡ ଚାଲେଞ୍ଜର ସାମ୍ନା କରିଥିଲେ ରାଜ୍ୟ ସରକାର । ଆଉ ତା ପରେ ହିଁ ନୂଆ ଓଡିଶା ଗଢିବାରେ ହାତରେ ନିହାଣ ଧରି ଲାଗି ପଡିଥିଲେ ନବୀନ । ମୁଖ୍ୟମନ୍ତ୍ରୀଙ୍କ ବିକାଶ ମୂଳକ କାମର ସମୀକ୍ଷାକୁ ଯଦି ଅନୁଧ୍ୟାନ କରାଯାଏ ତେବେ ଜଣାପଡିବ ନବୀନ ସରକାର କେତେ ଗୁରୁତ୍ୱ ଦେଉଛନ୍ତି ଓଡିଶାକୁ ସଜାଇବାକୁ, ଓଡିଶାକୁ ଗଢିବାକୁ ଆଉ ନୂଆ ଓଡିଶାରେ ନବ ସୂର୍ଯ୍ୟ ଉଆଁଇବାକୁ ।

ଶ୍ରୀକ୍ଷେତ୍ରରୁ ଆରମ୍ଭ ସୌନ୍ଦର୍ଯ୍ୟକରଣ

ମହାପ୍ରଭୁଙ୍କ ଚରଣରୁ ଆରମ୍ଭ ହୋଇଥିଲା ସୌନ୍ଦର୍ଯ୍ୟକରଣର ଚିତ୍ର ଅଙ୍କା । ଶ୍ରୀକ୍ଷେତ୍ରକୁ ସଜାଇବା ଓ ବଡଦାଣ୍ଡର ବିକାଶ ସହ ପୁରୀକୁ ଐତିହ୍ୟ ସହରରେ ପରିଣତ କରିବାକୁ ନବୀନ କରିଥିଲେ ବ୍ଲୁ ପ୍ରିଣ୍ଟ । ବାତ୍ୟା ଫନି ଶ୍ରୀକ୍ଷେତ୍ରର ସୁନ୍ଦରତା ଉଜାଡି ଦେବା ପରେ ତାର ପୁନରୁଦ୍ଧାର ପାଇଁ ବିକାଶର ବିନ୍ଧାଣୀ ସାଜି ନିଜେ ପୁରୀର ଦାୟିତ୍ୱ ନେଇଥିଲେ ନବୀନ । ପୁରୀ ପାଇଁ ୫୦୦ କୋଟିର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ।
ଶ୍ରୀମନ୍ଦିର ଚାରିପାଖ ଉଚ୍ଛେଦ ଠାରୁ, ବଡଦାଣ୍ଡକୁ ସବୁଜିକରଣ, ମାଳତୀପାଟପୁରରୁ ଶ୍ରୀଜଗନ୍ନାଥ ବଲ୍ଲଭ ମଠ ଯାଏଁ ଲିଙ୍କ ରୋଡ, ଶ୍ରୀସେତୁ ବ୍ରିଜ ନିର୍ମାଣ, ମଷାନଈକୁ ମଙ୍ଗଳାନଦୀ ସହ ଯୋଡି ଉନ୍ନତିକରଣ, ଅଠରନଳାର ସଂରକ୍ଷଣ ଓ ସୌନ୍ଦର୍ଯ୍ୟକରଣ ଉପରେ ଗୁରୁତ୍ୱ ଦେଇ ବିକାଶର କାମ ଆରମ୍ଭ କରିବାକୁ ଘୋଷଣା କରିଥିଲେ ନବୀନ । ଆଉ ଶ୍ରୀକ୍ଷେତ୍ରକୁ ନେଇ ସେହି ସ୍ୱପ୍ନ ଗୋଟେ ପରେ ଗୋଟେ ସତ ହେବାରେ ଲାଗିଛି...

ଏକାମ୍ରକ୍ଷେତ୍ରକୁ ଆଖିଦୃଶିଆ ଫୋକସ

ଶ୍ରୀକ୍ଷେତ୍ର ପରି ଏକାମ୍ରକ୍ଷେତ୍ରର ବିକାଶ ପାଇଁ ବି ଗୁରୁତ୍ୱ ଦେଇଛନ୍ତି ନବୀନ । ଲିଙ୍ଗରାଜ ମନ୍ଦିରର ସୌନ୍ଦର୍ଯ୍ୟ କରଣ ସହ ମହାପ୍ରଭୁଙ୍କ ମନ୍ଦିରର ବିକାଶ ଉପରେ ଅଧିକ ଫୋକସ କରିଛନ୍ତି ରାଜ୍ୟ ସରକାର । ନିଜେ ମୁଖ୍ୟମନ୍ତ୍ରୀ ଲିଙ୍ଗରାଜ ମନ୍ଦିରର ସୌନ୍ଦର୍ଯ୍ୟକରଣ କାମ ସମୀକ୍ଷା କରି ସେବାୟତଙ୍କ ସହ କଥାବାର୍ତ୍ତା କରିଥିଲେ ଆଉ ଶ୍ରୀମନ୍ଦିର ଢାଞ୍ଚାରେ ଲିଙ୍ଗରାଜ ମନ୍ଦିର ପାଇଁ ଆଇନ ଆଣିବାକୁ ପ୍ରତିଶ୍ରୁତି ଦେଇଥିଲେ । ଆଉ ଇଏ ହେଉଛି ଲିଙ୍ଗରାଜ ମନ୍ଦିରର ପରିବର୍ତ୍ତିତ ଦୃଶ୍ୟ ଏବଂ ବିକାଶ ନେଇ ଅଙ୍କାଯାଇଥିବା ଚିତ୍ର ।
ଶ୍ରୀମନ୍ଦିର, ଲିଙ୍ଗରାଜ ମନ୍ଦିର ପରି ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀଙ୍କ ପାଇଁ ୨୦୦ କୋଟି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ସମଲେଶ୍ୱରୀ ପୀଠର ବିକାଶ ସହ ଆଖପାଖରେ ଥିବା ୧୦୮ ଏକର ଜମିର ବିକାଶ ପାଇଁ ନୂଆ ପ୍ରକଳ୍ପର ପରିକଳ୍ପନା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ସ୍ୱାସ୍ଥ୍ୟ ଉପରେ ସରକାରଙ୍କ ଫୋକସ

ଖାଲି ପର୍ଯ୍ୟଟନ ନୁହେଁ ସ୍ୱାସ୍ଥ୍ୟ ଉପରେ ବି ଗୁରୁତ୍ୱ ଦେଇଛନ୍ତି ନବୀନ ସରକାର । କଟକ ବଡ ମେଡିକାଲ ଠାରୁ ବରଗଡର କ୍ୟାନ୍ସର ହସ୍ପିଟାଲ ମିର୍ମାଣ ଯାଏଁ ସବୁଠି ସରକାର ଉନ୍ନତ ସ୍ୱାସ୍ଥ୍ୟା ସେବାକୁ ଆଗରେ ରଖୁଥିବା ଜଣାପଡେ । ସାରା ରାଜ୍ୟରୁ ଧନୀ, ଗରିବ ସବୁ ଶ୍ରେଣୀର ରୋଗୀ କଟକ ବଡ ମେଡିକାଲ ଆସୁଥିବାରୁ ଏସସିବି ପାଇଁ ୧୦୦୦ କୋଟିର ପ୍ୟାକେଜ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ଏସସିବିରେ ଏମ୍ସ ପ୍ଲସ ସେବା ଯୋଗାଇବା ଲକ୍ଷ୍ୟରେ ମେଡିକାଲରେ ଅତ୍ୟାଧୁନିକ ସେବା, ଶଯ୍ୟା ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଛି । ଯେମିତି କି କୌଣସି ରୋଗୀ ରାଜ୍ୟ ବାହାରକୁ ଯିବେନି ।

ସେହିପରି ସରକାରଙ୍କ ବିକାଶର ସ୍କାନର ଭିତରେ ଆସିଥିଲା ବରମୁଣ୍ଡା ବସଷ୍ଟାଣ୍ଡ । ବର୍ଷ ବର୍ଷ ଧରି ଅବହେଳିତ ଅବସ୍ଥାରେ ଥିବା ରାଜ୍ୟର ସବୁଠାରୁ ବ୍ୟସ୍ତବହୁଳ ବସଷ୍ଟାଣ୍ଡର ନକ୍ସା ବଦଳାଇ ବିକାଶର ରଙ୍ଗ ମାରିବାକୁ ତତ୍ପର ହୋଇଥିଲେ ସରକାର । ୧୮ ମାସ ଭିତରେ ୧୮୦ କୋଟିର ପ୍ରକଳ୍ପ କାମ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ ନବୀନ ଯାହା ଦେଢ ବର୍ଷ ଭିତରେ ବରମୁଣ୍ଡାର ଚେହେରା ବଦଳିଯିବ ବୋଲି ଡେଡଲାଇନ ବି ଦେଇଥିଲେ ।

ବାଉନ ବଜାର ତେପନ ଗଳିର ସହର ଅର୍ଥାତ ସବୁଠାରୁ ପୂରାତନ ସହର କଟକର ବିକାଶ କରିବାକୁ ମହାନଦୀ କୂଳରେ ପରି କଟକର କାନଭାସରେ ଚିତ୍ର ଆଙ୍କିଥିଲେ ନବୀନ । ମହାନଦୀ କୂଳରୁ କଟକ ପାଇଁ ମେଗା ପ୍ରୋଜେକ୍ଟ ଘୋଷଣା କରିଥିଲେ । ରାସ୍ତାଘାଟ ପ୍ରଶସ୍ତିକରଣ, ମୁକ୍ତ ପରିବେଶ, ଟ୍ରାଫିକ ନିୟନ୍ତ୍ରଣ, କ୍ରୀଡା ଏବଂ ସାଂସ୍କୃତିକ କ୍ଷେତ୍ରର ବିକାଶ ପାଇଁ ନବୀନ ଟାଣିଥିଲେ ରୂପରେଖ । ଯାହା ଏବେ ଧିରେଧିରେ ସତ ହେବାରେ ଲାଗିଛି । ନୂଆ ଓଡିଶା ଗଢିବାରେ ନବୀନ କେତେ ନିପୁଣ, କେତେ ଧୁରନ୍ଧର, କେତେ ସଙ୍କଳ୍ପବଦ୍ଧ ତାହା ଏସବୁ ବିକଶିତ କାମ ହିଁ ସ୍ପଷ୍ଟ ପ୍ରମାଣିତ କରୁଛି । ଆଉ ଆଗାମୀ ଦିନରେ ନବୀନଙ୍କ ଅଧୁରା କାମ, ଦେଖିଥିବା ସ୍ୱପ୍ନ ସତ ହେବ ବୋଲି ଆଶା ।