କେନ୍ଦୁପତ୍ର ତୋଳାଳୀଙ୍କ ହକ୍ ପାଇଁ ମୁଁ ଲଢେଇ କରିବି, ବିଜେପି ନେତା କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ପ୍ରଚାର ମୈଦାନରୁ ବିଜେପିକୁ ଟାର୍ଗେଟ କଲେ ନବୀନ ।

79

କନକ ବ୍ୟୁରୋ : ପଦ୍ମପୁର ପ୍ରଚାର ମୈଦାନରୁ ବିଜେପି ଉପରେ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବର୍ଷା ସିଂ ବରିହାଙ୍କ ପାଇଁ ପ୍ରଚାର କରିବା ସହ ଓଡ଼ିଶା ବିଜେପି କିଭଳି ଲୋକଙ୍କୁ ଭୁଆଁ ବୁଲାଉଛି ତାହାର ଗୋଟି ଗୋଟି ହିସାବ ଲୋକଙ୍କ ସାମ୍ନାରେ ରଖିଛନ୍ତି ନବୀନ । କେନ୍ଦୁପତ୍ରରେ ୧୮% ଜିଏସଟି ପ୍ରସଙ୍ଗକୁ ନେଇ କେନ୍ଦ୍ର ଉପରେ ବର୍ଷିଛନ୍ତି ନବୀନ ।

ଭିଡ଼ିଓ ବାର୍ତ୍ତାରେ ନବୀନ କହିଛନ୍ତି କେନ୍ଦୁପତ୍ର ତୋଳାଳୀଙ୍କୁ ବୋନସ ଦେବାରେ ସାରା ଦେଶରେ ଓଡ଼ିଶା ପ୍ରଥମ । ବିଜେଡି ସରକାର ସବୁବେଳେ ଲୋକଙ୍କ ପାଇଁ କାମ କରୁଛି । ନିକଟରେ ପ୍ରଥମ ପର୍ଯ୍ୟାୟରେ କେନ୍ଦୁପତ୍ର ତୋଳାଳୀଙ୍କୁ ୧ ହଜାର ଓ ସିଜିନାଲ କର୍ମଚାରୀଙ୍କୁ ୧୫୦୦ ଟଙ୍କା ବୋନସ ଦିଆଗଲା । ଆଗକୁ ମଧ୍ୟ ବୋନସ ଦିଆଯିବ । ସମସ୍ତଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣରେ ସାମିଲ କରାଯିବ । ଝିଅ ବାହାଘର ଠାରୁ ପିଲାଙ୍କ ପାଠପଢା ଯାଏଁ ସୁବିଧା ଯୋଗାଇ ଦେଉଛୁ ।

କେନ୍ଦୁପତ୍ର ଉପରେ କେନ୍ଦ୍ର ୧୮% ଜିଏସଟି ଲଗାଉଛି । ହେଲେ ସୁନା ଉପରେ ମାତ୍ର ୩% ଜିଏସଟି ଲାଗିଛି । ସୁନା ବେପାରୀ ଦେବେ ୩% ଜିଏସଟି, କିନ୍ତୁ ଗରିବ କେନ୍ଦୁପତ୍ର ତୋଳାଳୀ ଦେବ ୧୮% । କେନ୍ଦୁପତ୍ର ତୋଳାଳୀଙ୍କ ପାଇଁ ବିଜେପି ନେତା ମାନେ କୁମ୍ଭୀର କାନ୍ଦଣା କାନ୍ଦୁଛି । ମୁଁ କେନ୍ଦୁପତ୍ର ତୋଳାଳୀଙ୍କ ପାଇଁ ପଲ୍ଲୀରୁ ଦିଲ୍ଲୀ ଯାଏଁ ଲଢିବି । କେନ୍ଦୁପତ୍ର ତୋଳାଳୀଙ୍କ ହକ୍ ପାଇଁ ଲଢେଇ କରିବି । ବିଜେପି ନେତା କେବେ ଏହି ଅନ୍ୟାୟ ଉପରେ ମୁହଁ ଖୋଲିବେନି । ଏଭଳି କହି ନବୀନ କେବଳ ବିଜେପିକୁ ଟାର୍ଗେଟ କରିନାହାନ୍ତି ବରଂ କେନ୍ଦୁପତ୍ର ତୋଳାଳୀଙ୍କ ସହ ଛିଡା ହୋଇଥିବା ନେଇ ବାର୍ତ୍ତା ଦେଇଛନ୍ତି । ଆଉ ନବୀନଙ୍କ ଏହି ବାଣ ବିଜେପିକୁ କେତେ କ୍ଷତି ପହଞ୍ଚାଉଛି ତାହା ନିର୍ବାଚନ ଫଳାଫଳ ଆସିବା ପରେ ସ୍ପଷ୍ଟ ହୋଇଯିବ ।