କେତେ ସତ ହେବ ସର୍ଭେ ରିପୋର୍ଟ? ୨୧ରୁ ୧୮ରେ ବାଜି ମାରିବ ବିଜେଡି, ବିଜେପି ଦେବ କଡା ଟକ୍କର । ଖାତା ଖୋଲିପାରେ କଂଗ୍ରେସ ?

1,669

କନକ ବ୍ୟୁରୋ : ୨୦୧୯ରେ ପୁଣିଥରେ ଓଡିଶାରେ ବିଜେଡି ଦେଖାଇବ ବଳ । ମୋଟ ୨୧ଟି ଲୋକସଭା ଆସନରୁ ୧୮ଟି ଆସନରେ ବିଜୟ ବାନା ଉଡାଇବ ବିଜେଡି । କାମ ଦେବନି ମୋଦି ମ୍ୟାଜିକ । ତେବେ ୨୦୧୯ରେ ୨୦୧୪ ଭଳି ସଫଳତା ବିଜେଡିକୁ ମିଳିନପାରେ । ବିଜେପି ଓ କଂଗ୍ରେସ ଗତ ନିର୍ବାଚନ ଠାରୁ ଭଲ ପ୍ରଦର୍ଶନ କଲେ ମଧ୍ୟ ବିଜେଡି ଠାରୁ ଢେର ପଛରେ ରହିବେ । ବିଜେପି ୨ଟି ଆସନରେ ଗେରୁଆ ବାନା ଉଡାଇବ ଓ କଂଗ୍ରେସ ଓଡିଶାରେ ଗୋଟିଏ ଆସନରେ ବିଜୟୀ ହେବା ସହ ଖାତା ଖୋଲିବ ବୋଲି ସର୍ଭେ ରିପୋର୍ଟରେ ସାମ୍ନାକୁ ଆସିଛି ।

ଜାତୀୟ ଗଣମାଧ୍ୟମ ଦ କ୍ୱିଣ୍ଟ ପକ୍ଷରୁ କରାଯାଇଥିବା ସର୍ଭେ ରିପୋର୍ଟରେ କୁହାଯାଇଛି ଯେ, ଚଳିତ ନିର୍ବାଚନରେ ବିଜେଡିର ଭୋଟ ପ୍ରତିଶତ ବୃଦ୍ଧି ହେବା ସହ ୫୦ ପ୍ରତିଶତରେ ପହଞ୍ଚିବ । ବିଜେପିକୁ ଆଶାନୁରୂପକ ଫାଇଦା ନ ମିଳିଲେ ମଧ୍ୟ ଭୋଟହାରରେ ୩ ପ୍ରତିଶତ ବୃଦ୍ଧି ହେବ । ତେବେ କଂଗ୍ରେସ ଏହି ନିର୍ବାଚନରେ ବଡ ବିପର୍ଯୟର ସାମ୍ନା କରିପାରେ । ଓଡିଶାରେ ଦଳର ଭୋଟହାର ୨୭ ପ୍ରତିଶତରୁ ୧୬ ପ୍ରତିଶତକୁ ଖସିଆସିବ ବୋଲି ସର୍ଭେ ରିପୋର୍ଟରେ ସାମ୍ନାକୁ ଆସିଛି ।

ଜଗତସିଂହପୁର, ବ୍ରହ୍ମପୁର, କଟକ ଓ କନ୍ଧମାଳ ଭଳି ଜିଲ୍ଲାରେ ବିଜେଡି ଅଦ୍ଭୁତପୂର୍ବ ସଫଳତା ପାଇବ । ତେବେ ଏହି ଆସନ ଗୁଡିକରେ ବିଦ୍ରୋହୀ ପ୍ରାର୍ଥୀ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିପାରନ୍ତି ବିଜେଡି ପାଇଁ । ସେହିଭଳି କେନ୍ଦ୍ରାପଡା ଓ ନବରଙ୍ଗପୁରରେ ମଧ୍ୟ ଦଳ ପାଇଁ ଚ୍ୟାଲେଞ୍ଜ ସୃ୍ଷ୍ଟି ହୋଇପାରେ । ଅନ୍ୟପଟେ କେଉଁଝର, ସମ୍ବଲପୁର ଓ କୋରାପୁଟ ଜିଲ୍ଲାରେ ବିଜେଡିକୁ ବିପର୍ଯ୍ୟୟର ସାମ୍ନା କରିବାକୁ ପଡିପାରେ । କେଉଁଝରରେ ବିଜେପି ଭଲ ପ୍ରଦର୍ଶନ କରିବ ବୋଲି ସର୍ଭେ ରିପୋର୍ଟରେ ସାମ୍ନାକୁ ଆସିଛି । ସମ୍ବଲପୁରରେ ମଧ୍ୟ ବିଜେପି ଭଲ ପ୍ରଦର୍ଶନ କରିବ ଓ କୋରାପୁଟରେ କଂଗ୍ରେସର ପ୍ରଦର୍ଶନ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିବ ବୋଲି ସର୍ଭେ ରିପୋର୍ଟରେ ସାମ୍ନାକୁ ଆସିଛି ।

ଏହାଛଡା ବରଗଡ, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, କଳାହାଣ୍ଡି, ବଲାଙ୍ଗୀର ଓ କେନ୍ଦ୍ରାପଡା ଭଳି ଲୋକସଭା ଆସନରେ ବିଜେପି ଯଦି ବିରୋଧୀ ଭୋଟକୁ ନିଜ ସପକ୍ଷରେ ଆଣିପାରିବ ତେବେ ବିଜେଡି ପାଇଁ ଏହା ଘାତକ ହୋଇପାରେ ବୋଲି ସର୍ଭେ କହୁଛି । ଫେବ୍ରୁଆରୀ ମାସରେ ହୋଇଥିବା ଏହି ସର୍ଭେ ରିପୋର୍ଟରେ ଏଭଳି ତଥ୍ୟ ସାମ୍ନାକୁ ଆସିବା ପରେ ରାଜ୍ୟ ରାଜନୀତି ଉଷ୍ମ ହୋଇଛି । ତେବେ ଟିକେଟ ଘୋଷଣା ପରେ ବଦଳୁଥିବା ସମୀକରଣ ହୁଏତ ଏହି ସର୍ଭେ ରିପୋର୍ଟରେ କିଛିଟା ପରିବର୍ତ୍ତନ ଆଣିପାରେ ।