କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚତୁର୍ଥ ପାଳିର ଦ୍ବିତୀୟ ପର୍ଯ୍ୟାୟରେ ଥିବା ମନ୍ତ୍ରିମଣ୍ଡଳର ଜଣେ ସଦସ୍ୟଙ୍କୁ ବାଦ୍ ଦେଲେ ସମସ୍ତେ ନିର୍ବାଚନରେ ଜିତିଥିଲେ। କିନ୍ତୁ ନବୀନଙ୍କ ପଞ୍ଚମ ପାଳିରେ ଆଜି ଶପଥ ନେବାକୁ ଯାଉଥିବା ମନ୍ତ୍ରିମଣ୍ଡଳରେ ସେମାନଙ୍କ ମଧ୍ୟରୁ ୮ ଜଣ ବାଦ୍ ପଡ଼ିଛନ୍ତି। ସେମାନେ ହେଲେ ବଦ୍ରି ନାରାୟଣ ପାତ୍ର, ପ୍ରଫୁଲ୍ଲ ସାମଲ, ଶଶିଭୂଷଣ ବେହେରା, ଉଷା ଦେବୀ, ଅନନ୍ତ ଦାସ, ଚନ୍ଦ୍ର ସାରଥୀ ବେହେରା, ନୃସିଂହ ଚରଣ ସାହୁ ଓ ସ୍ନେହାଙ୍ଗିନୀ ଛୁରିଆ।
ପୁରୁଣା ମନ୍ତ୍ରିମଣ୍ଡଳରେ କ୍ୟାବିନେଟ୍ ମନ୍ତ୍ରୀ ଥିବା ବିଜୟଶ୍ରୀ ରାଉତରାୟ ଏଥର ନିର୍ବାଚନ ଲଢ଼ି ନ ଥିଲେ। ଆଉ ଜଣେ କ୍ୟାବିନେଟ୍ ମନ୍ତ୍ରୀ ରମେଶ ମାଝୀ ଏଥର ସାଂସଦ ଭାବେ ଲଢ଼ି ନିର୍ବାଚିତ ହୋଇଛନ୍ତି। ମନ୍ତ୍ରୀ ମହେଶ୍ବର ମହାନ୍ତି ନିଜ ପାରମ୍ପରିକ ଆସନ ପୁରୀରୁ ଏଥର ଲଢ଼ି ହାରିଯାଇଛନ୍ତି। ପୁରୁଣା ମନ୍ତ୍ରିମଣ୍ଡଳରୁ ୬ ଜଣଙ୍କୁ (ସୂର୍ଯ୍ୟ ପାତ୍ରଙ୍କୁ ଛାଡ଼ି) ନିଆଯାଇଥିଲା ବେଳେ ୮ ଜଣଙ୍କୁ କାହିଁକି ବାଦ୍ ଦିଆଗଲା, ତାହାକୁ ନେଇ ରାଜନୈତିକ ଆଲୋଚନା ଜୋର୍ ଧରିଛି। ପୁଅର ବିଭିନ୍ନ ଅପରାଧିକ କାର୍ଯ୍ୟ ନେଇ ବିବାଦରେ ଥିବା ବଦ୍ରି ନାରାୟଣ ପାତ୍ରଙ୍କୁ ପୁନର୍ବାର ମନ୍ତ୍ରିମଣ୍ଡଳରେ ସାମିଲ୍ କରିବାକୁ ସୁପ୍ରିମୋ ଚାହିଁ ନ ଥିବା କୁହାଯାଉଛି।
ଅନ୍ୟପଟେ, ଶଶିଭୂଷଣ ବେହେରାଙ୍କୁ ତାଙ୍କ ପୁରୁଣା ଆସନ ଜୟଦେବରେ ଏଥର ଲଢ଼ିବାକୁ ସୁଯୋଗ ଦିଆଯାଇ ନ ଥିଲା। ତାଙ୍କୁ କେନ୍ଦ୍ରାପଡ଼ାରେ ଟିକେଟ୍ ଦିଆଯାଇଥିଲା ଓ ସେ ଜିତିଥିଲେ। କିନ୍ତୁ ତାଙ୍କୁ କିମ୍ବା କେନ୍ଦ୍ରାପଡ଼ାରେ କାହାରିକୁ ମନ୍ତ୍ରୀ କରାଯାଇ ନାହିଁ। ଭଣ୍ଡାରୀପୋଖରୀରେ ପ୍ରଫୁଲ୍ଲ ସାମଲ ଏଥର ପିସିସି ସଭାପତିଙ୍କୁ ହରାଇଥିଲେ ବି ମନ୍ତ୍ରୀ ପଦ ଫେରି ପାଇ ନାହାନ୍ତି। ଉଷା ଦେବୀଙ୍କୁ ଅସୁସ୍ଥତା ପାଇଁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇନି ବୋଲି କୁହାଯାଉଛି। ସେହିପରି ସରକାରୀ ଦଳର ମୁଖ୍ୟ ସଚେତକ ଥିବା ଅମର ଶତପଥୀ ମଧ୍ୟ ଏଥର ବଦଳିଛନ୍ତି। ତାଙ୍କ ଜାଗାରେ ପ୍ରମିଳା ମଲ୍ଲିକଙ୍କୁ ମୁଖ୍ୟ ସଚେତକ କରାଯାଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/05/n-1-8.jpg)