ନବୀନଙ୍କ ଫୋକସରେ କେନ୍ଦ୍ରାପଡା, ଟାର୍ଗେଟରେ ବୈଜୟନ୍ତ। ନାଁ ନନେଇ ବୈଜୟନ୍ତଙ୍କ ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ । କହିଲେ, ‘ବିଶ୍ୱାସଘାତ କରିଥିବା ବ୍ୟକ୍ତିଙ୍କୁ କ୍ଷମା ଦେବେନି କେନ୍ଦ୍ରାପଡ଼ାବାସୀ’

ମୋଦୀଙ୍କ ବାରମ୍ବାର ଓଡ଼ିଶାଗସ୍ତକୁ ମଧ୍ୟ କଟାକ୍ଷ କଲେ ମୁଖ୍ୟମନ୍ତ୍ରୀ

198

କନକ ବ୍ୟୁରୋ: କେନ୍ଦ୍ରାପଡାରେ କୁରୁକ୍ଷେତ୍ର । ନବୀନଙ୍କ ଫୋକସରେ କେନ୍ଦ୍ରାପଡା, ଟାର୍ଗେଟରେ ବୈଜୟନ୍ତ । ଆଜି ରୋଡ ସୋ ବେଳେ ନାଁ ନ ନେଇ ବୈଜୟନ୍ତଙ୍କ ଉପରେ ବର୍ଷିଛନ୍ତି ନବୀନ । ନବୀନ କହିଛନ୍ତି, କେନ୍ଦ୍ରାପଡାର ବିକାଶ ସେ ନିଜେ ଦେଖିବେ । ଜଣେ ଯୁବ ଓ ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କୁ କେନ୍ଦ୍ରାପଡା ଦାୟିତ୍ୱ ଦେଇଥିଲେ । ହେଲେ ସେ ସମସ୍ତଙ୍କ ସହ ବିଶ୍ୱାସଘାତକତା କରିଛନ୍ତି । ନିଜ ସ୍ୱାର୍ଥ ପାଇଁ କେନ୍ଦ୍ରାପଡାକୁ ବଳି ପକାଇଛନ୍ତି ବୋଲି କହିଛନ୍ତି ନବୀନ । ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି । ଓଡିଶାରେ ପ୍ରାକୃତି ବିପର୍ଯ୍ୟୟ ସମୟରେ ପ୍ରଧାନମନ୍ତ୍ରୀଙ୍କର ଦେଖା ନଥିଲା । କିନ୍ତୁ ଭୋଟ ପାଇଁ ଗୋଟିଏ ମାସରେ ୧୦ ଥର ଆସିଲେଣି ବୋଲି ଅଭିଯୋଗ ଆଣିଛନ୍ତି ମୁଖ୍ୟମନ୍ତ୍ରୀ ।

ନାଁ ନନେଇ ବୈଜୟନ୍ତଙ୍କ ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ । ‘ବିଶ୍ୱାସଘାତ କରିଥିବା ବ୍ୟକ୍ତିଙ୍କୁ କ୍ଷମା ଦେବେନି କେନ୍ଦ୍ରାପଡ଼ାବାସୀ’ । କେନ୍ଦ୍ରାପଡ଼ାରୁ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିବା ସହ ନାଁ ନନେଇ ବୈଜୟନ୍ତ ପଣ୍ଡାକୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ । ନବୀନ କହିଛନ୍ତି, କେନ୍ଦ୍ରାପଡ଼ାର ଦାୟିତ୍ୱ ସେ ଜଣେ ଉଚ୍ଚଶିକ୍ଷିତ ଯୁବକଙ୍କୁ ଦେଇଥିଲେ । ସେହି ବ୍ୟକ୍ତି କେନ୍ଦ୍ରାପଡ଼ାର ବିକାଶକୁ ଆଗେଇ ନେବେ ବୋଲି ଭାବିଥିଲେ । ଆଉ କେନ୍ଦ୍ରାପଡ଼ାବାସୀ ମଧ୍ୟ ଏହି ବିଶ୍ୱାସରେ ତାଙ୍କୁ ଦୁଇ ଦୁଇ ଥର ଲୋକସଭାକୁ ପଠାଇଥିଲେ । କିନ୍ତୁ ନିଜ ସ୍ୱାର୍ଥ ପାଇଁ ସେ କେନ୍ଦ୍ରାପଡ଼ାର ସ୍ୱାର୍ଥକୁ ବଳି ପକାଇ ଦେଇଛନ୍ତି । ତେଣୁ ବିଶ୍ୱାସଘାତୀଙ୍କୁ କେନ୍ଦ୍ରାପଡ଼ାବାସୀ କେବେ କ୍ଷମା ଦେବେ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

କେନ୍ଦ୍ରାପଡ଼ା ଆସନ ବିଜେଡି ପାଇଁ ସମ୍ମାନର ଆସନ ହୋଇଛି । ଏହି ଆସନକୁ ପୁଣିଥରେ କବଜା କରିବାକୁ ଜୋରଦାର ଉଦ୍ୟମ କରିଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ କହିଛନ୍ତି, କେନ୍ଦ୍ରାପଡ଼ା ବିଜୁବାବୁଙ୍କ କର୍ମଭୂମି, ଆଉ କେନ୍ଦ୍ରାପଡ଼ାବାସୀଙ୍କୁ ବିଜୁବାବୁ ତାଙ୍କ ପରିବାର ଭଳି ଦେଖୁଥିଲେ । ଏହି ସଂପର୍କ ଓ ଭାବ ଆଜି ମଧ୍ୟ ଅତୁଟ ରହିଛି । ନବୀନ ପୁଣିଥରେ ଦୋହରାଇଛନ୍ତି ଯେ ଓଡ଼ିଶାବାସୀ ନୁହଁନ୍ତି, ଓଡ଼ିଶାବାସୀଙ୍କ ଭୋଟ ବିଜେପି ପାଇଁ ମୂଲ୍ୟବାନ । କେବଳ ଭୋଟ ପାଇଁ ପ୍ରଧାନମନ୍ତ୍ରୀ ଗୋଟିଏ ମାସରେ ୧୦ ଥର ଓଡ଼ିଶା ଆସିଛନ୍ତି । ଯେତେବେଳେ ବନ୍ୟା, ବାତ୍ୟା, ମରୁଡ଼ି ଭଳି ପ୍ରାକୃତିକ ବିପର୍ଯ୍ୟୟରେ ଓଡ଼ିଶାବାସୀ ପଡିଛନ୍ତି, ସେତେବେଳେ ପ୍ରଧାନମନ୍ତ୍ରୀଙ୍କ ଦେଖା ନଥିଲା ବୋଲି କହି ଶାଣୀତ ସମାଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ତେବେ ବାଜି ଜିତିବାକୁ ମୋଦୀଙ୍କ ଲୋକପ୍ରିୟତା ଉପରେ ଭରସା କରିଛି ବିଜେପି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଘନ ଘନ ଓଡ଼ିଶା ଆସୁଛନ୍ତି । ସେପଟେ ପ୍ରଧାନମନ୍ତ୍ରୀଙ୍କ ଏପରି ବାରମ୍ବାର ଓଡ଼ିଶା ଗସ୍ତକୁ କଡ଼ା ସମାଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଚତୁର୍ଥ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର ଶେଷ ହୋଇଛି । ଶେଷ ଦିନରେ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଛନ୍ତି ତିନି ଦଳର ନେତା ।