ନବୀନ ନିବାସରେ ଆଜି ହେଲା କଣ? ନେତାଙ୍କୁ ଡାକି କଣ ପଚାରିଲେ ନବୀନ । ଚାରିକାନ୍ଥ ଭିତରର ବଡ କଥା ।

ନବୀନ ପଚାରି ବୁଝିଥିଲେ, ପାଟକୁରା ପାଇଁ ସର୍ବପ୍ରଥମେ କଣ କରିବାର ଆବଶ୍ୟକତା ରହିଛି । ନିର୍ବାଚନ ସମୟରେ ଲୋକ ତାଙ୍କ ଅଂଚଳର ସମସ୍ୟା ନେଇ କଣ ସବୁ ଆଭିମୁଖ୍ୟ ରଖୁଥିଲେ? କିଛି ଏଭଳି ପ୍ରଶ୍ନର ଉତ୍ତର ଆଜି ଲୋଡାଯାଇଥିଲା, ଦାୟିତ୍ୱରେ ଥିବା ନେତାଙ୍କ ଠାରୁ । କାରଣ ବିଜେଡି ସୁପ୍ରିମୋ ଯାହା ଚାହୁଁଥିଲେ, ପାଟକୁରାରେ ଠିକ ସେଭଳି ଫଳାଫଳ ମିଳିଥିବାରୁ ଲୋକ ସାମ୍ନା କରୁଥିବା ତମାମ ସମସ୍ୟାର ସମାଧାନ ପାଇଁ ରାସ୍ତା ଖୋଜାଯାଇପାରେ ବୋଲି ଅନୁମାନ କରାଯାଉଛି ।

546

କନକ ବ୍ୟୁରୋ: ବିଜୟ ଉତ୍ସବ ସରିନଥିଲା, ହେଲେ ସେତେବେଳକୁ କିନ୍ତୁ ନେତାଙ୍କ ଫୋନ୍ ବାଜିବା ଆରମ୍ଭ ହୋଇଗଲା । ପାଟକୁରା ଦଖଲର ଉତ୍ସାହ ଯେତିକି ଥିଲା, ତାଠାରୁ ଅଧିକ ବିଚଳିତ କରୁଥିଲା ଭୋଟ୍ ଟ୍ରେଣ୍ଡ । ଆରମ୍ଭରୁ ୪୦ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ଜିତିବାକୁ ଆଶା ରଖିଥିବା ଦଳର ବ୍ୟବଧାନ କମିବା କିଛି ମାତ୍ରାରେ ସମସ୍ତଙ୍କୁ ବିସ୍ମିତ କରୁଥିଲା । ଦଳର ଥିଙ୍କଟ୍ୟାଙ୍କଙ୍କୁ ମଧ୍ୟ ଏହା ପ୍ରଭାବିତ କରୁଥିବା ସନ୍ଧ୍ୟା ସୁଦ୍ଧା ଜଣାପଡୁଥିଲା ।

ଡେରାବିଶ, ଗରଦପୁର ଆଉ ମାର୍ଶାଘାଇ ଭିତରୁ ଦଳ ଡେରାବିଶରେ ଏକତରଫା ଭୋଟ ହାସଲ କରିବ ବୋଲି ଧାରଣା ସମସ୍ତଙ୍କୁ ଦିଆଯାଇଥିଲା । ହେଲେ ଏହି ବ୍ଲକରେ ସେଭଳି ମାର୍ଜିନ ନ’ମିଳିବାରୁ ବିଜେଡିର ବିଜୟ ବ୍ୟବଧାନ ଢେର କମିଯାଇଥିଲା । ହେଲେ କାହିଁକି ଡେରାବିଶରେ କମିଲା ବିଜେଡିର ବ୍ୟବଧାନ? ଖାଲି ଡେରାବିଶ ନୁହେଁ, ବରଂ ବିଜୟଙ୍କୁ ପରାସ୍ତ କରିବା ପାଇଁ ଯେଉଁ ବ୍ୟବଦାନର ଲକ୍ଷ୍ୟ ରଖାଯାଇଥିଲା, ତାହା କମିବା ପରେ ନବୀନ ନିବାସରେ ଆରମ୍ଭ ହୋଇଥିଲା ତର୍ଜମା ।

ଯଦିଓ ଆଲୋଚନାର ପୂରା ବିଷୟ ଏହା ଉପରେ ପର୍ଯ୍ୟବେଷିତ ନଥିଲା, ହେଲେ ଦାୟିତ୍ୱରେ ଥିବା ନେତା ସମସ୍ତେ ପହଁଚିବା ପରେ ବିଶ୍ଳେଷଣର ପର୍ବ ଆରମ୍ଭ ହୋଇଥିଲା । କେଉଁ ବ୍ଲକର ଦାୟିତ୍ୱରେ କିଏ ଥିଲା, ଆଉ କେଉଁଠି ରହିଲା ତ୍ରୁଟି ବିଚ୍ୟୁତି ତାକୁ ନେଇ କିଛି ମିନିଟର ସମୀକ୍ଷା ଭିତରେ ଆଉ କିଛି ଦିଗ ମଧ୍ୟ ସାମ୍ନାକୁ ଆସିଥିଲା । ନେତା କହିଥିଲେ, ତାଙ୍କ ମନର କଥା । ଆଉ ଏହା ପରେ ପାଟକୁରା ନେଇ କେଇ ମିନିଟ ଧରି ମଧ୍ୟ ଚାଲିଥିଲା କଥାବାର୍ତ୍ତା ।

ନବୀନ ପଚାରି ବୁଝିଥିଲେ, ପାଟକୁରା ପାଇଁ ସର୍ବପ୍ରଥମେ କଣ କରିବାର ଆବଶ୍ୟକତା ରହିଛି । ନିର୍ବାଚନ ସମୟରେ ଲୋକ ତାଙ୍କ ଅଂଚଳର ସମସ୍ୟା ନେଇ କଣ ସବୁ ଆଭିମୁଖ୍ୟ ରଖୁଥିଲେ? କିଛି ଏଭଳି ପ୍ରଶ୍ନର ଉତ୍ତର ଆଜି ଲୋଡାଯାଇଥିଲା, ଦାୟିତ୍ୱରେ ଥିବା ନେତାଙ୍କ ଠାରୁ । କାରଣ ବିଜେଡି ସୁପ୍ରିମୋ ଯାହା ଚାହୁଁଥିଲେ, ପାଟକୁରାରେ ଠିକ ସେଭଳି ଫଳାଫଳ ମିଳିଥିବାରୁ ଲୋକ ସାମ୍ନା କରୁଥିବା ତମାମ ସମସ୍ୟାର ସମାଧାନ ପାଇଁ ରାସ୍ତା ଖୋଜାଯାଇପାରେ ବୋଲି ଅନୁମାନ କରାଯାଉଛି ।

ବିଜେପୁର ଉପ-ନିର୍ବାଚନ ବେଳେ ନବୀନ ନିଜେ ଏହି ନିର୍ବାଚନ ମଣ୍ଡଳୀର ଦାୟିତ୍ୱ ନେବେ ବୋଲି କହିଥିଲେ । ଆଉ ନିର୍ବାଚନ ପରେ ଅନେକ କିଛି ପ୍ୟାକେଜ ଘୋଷଣା କରିଥିଲେ । ଆଉ ସମାନ ଢଙ୍ଗରେ ପାଟକୁରାରେ ମଧ୍ୟ ନବୀନ କହିଥିଲେ, ଏହି ନିର୍ବାଚନ ମଣ୍ଡଳୀର ବିକାଶ ଦାୟିତ୍ୱ ସେ ନିଜେ ଦେଖିବେ । ତେଣୁ ନିର୍ବାଚନ ମଣ୍ଡଳୀ ଦାୟିତ୍ୱରେ ଥିବା ନେତାଙ୍କ ଠାରୁ ରିପୋର୍ଟ ମିଳିବା ପରେ, ଏଦିଗରେ ପଦକ୍ଷେପ ନିଆଯାଇପାରେ ବୋଲି ଅନୁମାନ କରାଯାଉଛି ।

ଏହି ନିର୍ବାଚନରେ ବିଜୁ ଜନତା ଦଳ ତାର ସମସ୍ତ ଶକ୍ତି ଲଗାଇ ମୈଦାନକୁ ଓହ୍ଲାଇଥିଲା । ମନ୍ତ୍ରୀ, ବିଧାୟକ, ବରିଷ୍ଠ ନେତା ସବୁ ପଂଚାୟତ ଦାୟିତ୍ୱରେ ରହିଥିଲେ । ଉପର ସ୍ତରରେ ନେତା ଏସବୁକୁ ମନିଟର କରୁଥିଲେ । ଆଉ ପ୍ରତିଦିନ ରିପୋର୍ଟ ଆସୁଥିଲା ନବୀନ ନିବାସକୁ । ସମ୍ମାନର ଏହି ଲଢେଇରେ ବିଜୟ ମହାପାତ୍ରଙ୍କ ସ୍ଥିତିକୁ ଆହୁରି ଗୈାଣ କରିବାକୁ ଯେଉଁ ମିଶନ ହାତକୁ ନିଆଯାଇଥିଲା, ସେଥିରେ ଯଦିଓ ସଫଳତା ମିଳିଛି ହେଲେ ବ୍ୟବଧାନ କମିବା କିଛି ମାତ୍ରାରେ ଏହି ବିଜୟକୁ ଫିକା କରିଥିବା ଚର୍ଚ୍ଚା ହେଉଛି ।

ବିଜୟର ଠିକ ପରଦିନ ସମସ୍ତ ନେତାଙ୍କୁ ଧରି ସମୀକ୍ଷା କରିବା ସହ ଆଗାମୀ ଦିନରେ ନିର୍ବାଚନମଣ୍ଡଳୀ ପାଇଁ ରଣନୀତି ତିଆରି କରିବା କିନ୍ତୁ ଦର୍ଶାଉଛି, ଏହି ଲଢେଇର ମହତ୍ତ୍ୱ ଆଉ ଗୁରୁତ୍ୱ ରାଜ୍ୟ ରାଜନୀତି ପାଇଁ କେତେ ଥିଲା?