ନିଆରା ରାଜନୀତିଜ୍ଞ ନବୀନ । ମହାବାତ୍ୟା ମୁକାବିଲାଠୁ ଆରମ୍ଭ କରି ମହିଳା ସଂରକ୍ଷଣ ସବୁଥିରେ ଆଗୁଆ ନବୀନ ।

185

କନକ ବ୍ୟୁରୋ: ଦେଶର ରାଜନୀତିରେ ନବୀନ ଏପରି ଜଣେ ରାଜନେତା, ଯିଏ କ୍ରମାଗତ ଭାବେ ୫-୫ ଥର ମୁଖ୍ୟମନ୍ତ୍ରୀ ହେବାର ଗୌରବ ଲାଭ କରିଛନ୍ତି । ଓଡ଼ିଶାର ଲୋକପ୍ରିୟ ଜନନେତା ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ଏକ ନାଟକୀୟ ଘଟଣାକ୍ରମରେ ରାଜନୀତିରେ ପ୍ରବେଶ କରିବା ପରେ ବିଜୁ ଲିଗାସିକୁ ବେଶ୍ ଆଗକୁ ନେଇଛନ୍ତି ନବୀନ । ରାଜ୍ୟର ବିକାଶ ଲାଗି ତାଙ୍କର ଦୂରଦୃଷ୍ଟି ଏବଂ ଅସହାୟ, ଅବହେଳିତ ବର୍ଗ ପ୍ରତି ଥିବା ସମ୍ବେଦନଶୀଳତା ଯୋଗୁଁ ଦେଶର ଏକ ନିଆରା ରାଜନୈତିକ ବ୍ୟକ୍ତିତ୍ୱ ଭାବେ ସେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀ, ଆଦର୍ଶ ମୁଖ୍ୟମନ୍ତ୍ରୀ, ଶ୍ରେଷ୍ଠ ପ୍ରଶାସକ ଭଳି ଅନେକ ସମ୍ମାନରେ ସମ୍ମାନିତ ହୋଇଛନ୍ତି ନବୀନ । କେବଳ ସେତିକି ନୁହେଁ, ହକି ବିଶ୍ୱକପ୍ର ସଫଳ ଆୟୋଜନ କରି ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଓଡ଼ିଶାର ସ୍ଥିତିକୁ ଜାହିର କରିଛନ୍ତି । ଦେଶ ଓ ବିଦେଶର ବଡ଼ ବଡ଼ ଶିଳ୍ପପତିଙ୍କୁ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ପ୍ରବର୍ତ୍ତାଇ ପାରିଛନ୍ତି ନବୀନ ।

୧୯୯୯ ମହାବାତ୍ୟା । ପ୍ରକୃତିର ଏହି ମହାତାଣ୍ଡବରେ ହଜାର ହଜାର ଲୋକଙ୍କ ଅକାଳ ମୃତ୍ୟୁ ତାଙ୍କୁ ଏପରି ବିଚଳିତ କରିଥିଲା ଯେ ରାଜ୍ୟରେ ଏହାର ପୁନରାବୃତ୍ତି କରାଇ ଦେଇନାହାନ୍ତି ନବୀନ । ଫାଇଲିନ୍, ତିତଲି ଏବଂ ୨୦୧୯ରେ ଧ୍ୱଂସଲୀଳା ରଚିଥିବା ଫୋନି ଭଳି ମହାବାତ୍ୟାରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ରକ୍ଷା କରିବାରେ ସଫଳ ହୋଇଛି ତାଙ୍କ ସରକାର । ଫୋନି ମାଡ଼ ହେବା ପୂର୍ବରୁ ୧୦ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରି ଦେଶ ଓ ବିଦେଶରେ ବେଶ ପ୍ରଶଂସିତ ହୋଇଛନ୍ତି ନବୀନ । ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ଏବଂ ଲୋକଙ୍କ ଜୀବନ ରକ୍ଷା କରିବା ପାଇଁ ତାଙ୍କର ଭୂମିକାକୁ ମିଳିତ ଜାତିସଂଘ ମଧ୍ୟ ପ୍ରଶଂସା କରିଛି । ନାସନାଲ ଜିଓଗ୍ରାଫିକ୍ ଭଳି ଅନ୍ତର୍ଜାତୀୟ ଖ୍ୟାତି ସଂପନ୍ନ ଟିଭି ଚ୍ୟାନେଲରେ ଏ ନେଇ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରସାରିତ ହୋଇଛି ।

ତା ସହିତ ମହିଳା ସଂରକ୍ଷଣ ବିଲ୍ ସପକ୍ଷରେ ବଳିଷ୍ଠ ଯୁକ୍ତି ଓ ଆନ୍ତରିକ ଉଦ୍ୟମ ଯୋଗୁଁ ସାରା ଦେଶରେ ବେଶ ପ୍ରଶଂସିତ ହୋଇଛନ୍ତି ନବୀନ । ୨୦୧୯ ସାଧାରଣ ନିର୍ବାଚନରେ ୨୧ଟି ଲୋକସଭା ଆସନରୁ ୭ଟି ଆସନରେ ମହିଳାଙ୍କୁ ଦଳୀୟ ପ୍ରାର୍ଥୀ କରି ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ନବୀନ । ସେହିପରି ଜାତିଭିତ୍ତିକ ଜନଗଣନା ପାଇଁ ବିଧାନସଭାରେ ସଂକଳ୍ପ ପାରିତ କରି କେନ୍ଦ୍ର ସରକାରଙ୍କ ଉପରେ ସେ ଚାପ ପକାଇଛନ୍ତି । ଗାନ୍ଧୀଙ୍କ ଆଦର୍ଶ ଓ ଅହିଂସା ନୀତି ହିଁ ଦେଶର ବିକାଶକୁ ଆଗେଇ ନେବ ଏବଂ ଗରିବ ମୁହଁରେ ହସ ଫୁଟାଇବ ବୋଲି ଯୁକ୍ତି ବାଢ଼ିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗାନ୍ଧୀଙ୍କ ଅହିଂସା ନୀତିକୁ ସମ୍ବିଧାନର ମୁଖବନ୍ଧରେ ସ୍ଥାନିତ କରିବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରି ଆସୁଛନ୍ତି ନବୀନ ।

ଜଣେ ଦୂରଦୃଷ୍ଟି ସମ୍ପନ୍ନ ଏବଂ ଜଣେ ସଫଳ ରାଜନେତାଙ୍କ ଭିତରେ ରହିଛି ଜଣେ ସୃଜନଶୀଳ ଲେଖକର ମନପ୍ରାଣ । କଲମ ଧରି ନୂଆ ସୃଜନ ସୃଷ୍ଟି କରିବାରେ ନବୀନ ସିଦ୍ଧହସ୍ତ । ‘ଏ ସେକେଣ୍ଡ ପାରାଡାଇଜ’, ‘ଦି ଗାର୍ଡେନ ଅଫ ଲାଇଫ’, ‘ଡେଜର୍ଟ କିଙ୍ଗଡମ୍’ ହେଉଛି ତାଙ୍କର ଅନବଦ୍ୟ କୃତି । ଜଣେ ଲେଖକ ଭାବେ ତାଙ୍କର ଯେପରି ଖ୍ୟାତି ରହିଛି, ସେମିତି ସେ ଜଣେ ବିମୁଗ୍ଧ ପାଠକ । କଳା ସଂସ୍କୃତି, ଜୀବନଧାରା ଓ ଔଷଧୀୟ ଗୁଳ୍ମ ସମ୍ପର୍କରେ ଗଭୀର ଅଧ୍ୟୟନ ରହିଛି ତାଙ୍କର ।