ସାଧାରଣ ଜୀବନ, ନିରାଡମ୍ବର ଜୀବନଶୈଳୀ । ଦେଶର ରାଜନୀତିରେ ନବୀନ ଏକ ବ୍ରାଣ୍ଡ

ଦୁଇ ଦଶନ୍ଧୀରୁ ଅଧିକ କାଳ କ୍ଷମତାର କେନ୍ଦ୍ରବିନ୍ଦୁରେ ଥିଲେ ବି ନବୀନଙ୍କ ଜୀବନଶୈଳୀ ଅତି ସାଧାରଣ

163

କନକ ବ୍ୟୁରୋ: ଦାମୀ ପୋଷାକ ପତ୍ର, ଚଳଣିରେ ଆଭିଜାତ୍ୟ, ସୌଖୀନ ଜୀବନଯାପନ ଶୈଳୀ କ’ଣ ଜଣଙ୍କର ବ୍ୟକ୍ତିତ୍ୱର ମାପକାଠି ହୋଇପାରେ? ଏହି ସବୁ ପ୍ରଶ୍ନ ମନକୁ ଆସିବା ବେଳେ ସାମନାକୁ ଆସିଥାନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସରଳ ଓ ନିରାଡମ୍ବର ଜୀବନ ଶୈଳୀ ତାଙ୍କ ବ୍ୟକ୍ତିତ୍ୱକୁ ଚର୍ଚ୍ଚିତ ଓ ଲୋକପ୍ରିୟ କରିଛି । ଦୁଇ ଦଶନ୍ଧୀରୁ ଅଧିକ କାଳ କ୍ଷମତାର କେନ୍ଦ୍ରବିନ୍ଦୁରେ ରହିଥିଲେ ମଧ୍ୟ ନିଜ ଭାବମୂର୍ତ୍ତିକୁ ସାମାନ୍ୟତମ କ୍ଷୂଣ୍ଣ ହେବାକୁ ଦେଇନାହାନ୍ତି ନବୀନ । ଆଜି ନବୀନ କେବଳ ଜଣେ ସାଧାରଣ ରାଜନେତା ନୁହଁନ୍ତି, ଦେଶର ରାଜନୀତିରେ ନବୀନ ଏକ ବ୍ରାଣ୍ଡ ।

ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ଯେମିତି ଜୀବନ ଶୈଳୀ ଥିଲା ସାଧାରଣ, ମୁଖ୍ୟମନ୍ତ୍ରୀ ହେବା ପରେ ଠିକ୍ ସେହିପରି ନିରାଡମ୍ବର ଜୀବନ । ଏକଦମ୍ ସାଧାସିଧା ମଣିଷ । ପୋଷାକପତ୍ର କହିଲେ ଧଳା କୁର୍ତା ପାଇଜାମା, ହାୱାଇ କିମ୍ବା କୋହ୍ଲାପୁର ଚପଲ । ଅଫିସ ହେଉ କି’ ବାସଭବନ, ସବୁଠି ସାଧାରଣ ଆସବାବପତ୍ର । ପୁରୁଣା କାଠ ଚୌକିରେ କାମ ଚଳାଇନିଅନ୍ତି ମୁଖ୍ୟମନ୍ତ୍ରୀ । ଦିଲ୍ଲୀ ଡୁନ୍ ସ୍କୁଲରେ ପାଠପଢା, ବିଦେଶର ଆଭିଜାତ୍ୟ ମହଲରେ ବସାଉଠା, ହେଲେ ବ୍ୟକ୍ତିଗତ ଜୀବନ ଶୈଳୀରେ କେବେ ବି ବିଚ୍ୟୁତି ଘଟିନାହିଁ । ଏହା ହିଁ ନବୀନ ପଟ୍ଟନାୟକଙ୍କ ବିଶେଷତ୍ତ୍ୱ । ଦିଲ୍ଲୀରେ ବହୁଦିନ ପର୍ଯ୍ୟନ୍ତ ସେହି ପୁରୁଣା ଫିଆଟ୍ କାର୍ ଥିଲା ତାଙ୍କର ସହଚର । ମୁଖ୍ୟମନ୍ତ୍ରୀ ହେବା ପରେ ବି ଦୀର୍ଘ ବର୍ଷ ଧରି ମାରୁତି ଏଷ୍ଟିମ୍ ଗାଡି ବ୍ୟବହାର କରୁଥିଲେ । ପରେ ମାରୁତି ଏସଏକ୍ସ-୪ ମଡେଲ ଗାଡ଼ି ବ୍ୟବହାର କରିଥିଲେ ନବୀନ । ଦଳର ବିଧାୟକ, ମନ୍ତ୍ରୀଙ୍କୁ ସରଳ ଜୀବନଯାପନ କରିବାକୁ ପରାମର୍ଶ ଦେଇଥାଆନ୍ତି ମୁଖ୍ୟମନ୍ତ୍ରୀ ।

ଭିଭିଆଇପିର ପ୍ରତୀକ ଭାବେ ଥିବା ନାଲିବତୀକୁ ନିଜ ଗାଡ଼ିରୁ ହଟାଇବା ସହ ମନ୍ତ୍ରୀ ଓ ଅଫିସରଙ୍କ ଗାଡ଼ିରୁ ହଟାଇ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି ନବୀନ । ଅସହାୟ, ଅବହେଳିତ ମଣିଷଙ୍କ ପ୍ରତି ନବୀନଙ୍କ ଦରଦୀପଣ ଦେଖିବାକୁ ମିଳିଥାଏ ତାଙ୍କ ସରକାରଙ୍କ ଯୋଜନା ଭିତରେ । ଅନୁସୂଚିତ ଜାତି, ଜନଜାତି, ଗରିବ, ଦୁର୍ବଳ, ବୁଦ୍ଧ ଓ ମହିଳାଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ ଅନେକ ଯୋଜନା ହିଁ ନବୀନଙ୍କୁ ସାରା ଓଡ଼ିଶାରେ ଲୋକପ୍ରିୟ କରାଇଛି । ରାଜନୀତିର ହୋ-ହଲ୍ଲା ଭିତରେ ରହି ମଧ୍ୟ ଅତ୍ୟନ୍ତ ଶାନ୍ତ ଓ ସମ୍ଭ୍ରମ ତାଙ୍କ ବ୍ୟବହାର । କଟୁ ଭାଷାରେ ବିରୋଧୀ ସମାଲୋଚନା ମଧ୍ୟ ତାଙ୍କୁ ବିବ୍ରତ କରିନଥାଏ । ନବୀନ କେବେ ବି ପ୍ରତିକ୍ରିୟାଶୀଳ ହୋଇନଥାନ୍ତି । ଏହା ହିଁ ତାଙ୍କୁ ନିଆରା କରିଥାଏ ଅନ୍ୟ ରାଜନେତାଙ୍କଠାରୁ ।

ଜୀବନ ଶୈଳୀ ସରଳ, ହେଲେ ଦୁର୍ନୀତି ପ୍ରତି ଅତ୍ୟନ୍ତ କଠୋର ଆଭିମୁଖ୍ୟ ଦେଖାଇଥାନ୍ତି ନବୀନ । ବ୍ୟକ୍ତିଗତ ଭାବେ ହେଉ କିମ୍ବା ମୁଖ୍ୟମନ୍ତ୍ରୀ ଭାବେ ହେଉ, ସ୍ୱଚ୍ଛ ଭାବମୂର୍ତ୍ତି ବଜାୟ ରଖିବାକୁ ସବୁବେଳେ ପ୍ରୟାସ କରି ଆସିଛନ୍ତି । ଦୁର୍ନୀତିର ଛିଟା ପଡିଥିବା ଅନେକ ବରିଷ୍ଠ ନେତାଙ୍କୁ ଦଳରୁ ବିଦା କରି ନିଜର ଭାବମୂର୍ତ୍ତିକୁ ଆହୁରି ଉଜ୍ଜଳ କରିବାରେ ସେ ସକ୍ଷମ ହୋଇଛନ୍ତି । ଦୀର୍ଘଦିନ ଧରି କ୍ଷମତାରେ ରହିବା ପରେ ବି ତାଙ୍କ ଲୋକପ୍ରିୟତା ଦିନକୁ ଦିନ ବୃଦ୍ଧି ପାଇଛି । ଆଜି ନବୀନ ଜଣେ ସାଧାରଣ ରାଜନେତା ନୁହଁନ୍ତି, ଦେଶର ରାଜନୀତିରେ ନବୀନ ଏକ ବ୍ରାଣ୍ଡ ।