ଖୋଲିଲା ପ୍ଲାଜମା ବ୍ୟାଙ୍କ୍ । କ୍ୟାପିଟାଲ ହସ୍ପିଟାଲରେ ରାଜ୍ୟର ୪ର୍ଥ ପ୍ଲାଜମା ବ୍ୟାଙ୍କର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କରୋନା ରୋଗୀଙ୍କୁ ନୂଆ ଜୀବନ ଦେବାକୁ ପ୍ଲାଜମା ବ୍ୟାଙ୍କର ପରିକଳ୍ପନା ।

155

କନକ ବ୍ୟୁରୋ: ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଉଦଘାଟନ ହେଲା ରାଜ୍ୟର ଚତୃର୍ଥ ପ୍ଲାଜମା ବ୍ୟାଙ୍କ । ଭିଡ଼ିଓ କନଫରେନ୍ସିଂରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନା ରୋଗୀଙ୍କୁ ନୂଆ ଜୀବନ ଦେବାକୁ ପ୍ଲାଜମା ବ୍ୟାଙ୍କର ପରିକଳ୍ପନା କରି ଏହି ଦିଗରେ ରାଜ୍ୟ ସରକାର ବଳିଷ୍ଠ ପଦକ୍ଷେପମାନ ନେଉଛନ୍ତି ।

କେବଳ ଏତିକି ନୁହେଁ, ପ୍ଲାଜମା ଦାନ ପାଇଁ ମଧ୍ୟ ଏକ ୱେବପୋର୍ଟାଲର ମଧ୍ୟ ଉଦଘାଟନ କରିଛନ୍ତି ରାଜ୍ୟ ସରକାର । ଅନ୍ୟପଟେ ପୂର୍ବରୁ ଏସସିବି ସହ ୩ଟି କୋଭିଡ୍ ହସ୍ପିଟାଲରେ ଖୋଲିଛି ପ୍ଲାଜମା ବ୍ୟାଙ୍କ୍ । ଯେଉଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ସେମାନେ ନିଜର ପ୍ଲାଜମା ଦାନ କରି ଅନ୍ୟ ଆକ୍ରାନ୍ତଙ୍କୁ ନୂଆ ଜୀବନ ଦେବାରେ ସହାୟକ ହେଉଛନ୍ତି ।

ସେପଟେ କରୋନା ଭୂତାଣୁ ସଂକ୍ରମଣ ବଢୁଥିବା ବେଳେ ନୂଆ ଆଶାସଂଚାର କରିଛି ପ୍ଲାଜମା ଥେରାପି । ଗଂଜାମ ଟାଟା ହସ୍ପିଟାଲରେ ପ୍ଲାଜମା ଥେରାପି ଦ୍ୱାରା ଚିକିତ୍ସିତ ହୋଇଥିବା ୩ ଗୁରୁତର ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଟାଟା ହସ୍ପିଟାଲରେ ପ୍ରଥମ ଥର ପାଇଁ ପ୍ଲାଜମା ଥେରାପି ଦ୍ୱାରା ଏହି ସଂକ୍ରମିତମାନେ ସୁସ୍ଥ ହୋଇଛନ୍ତି । ଏନେଇ ଗଂଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି । ଏହାସହ କରୋନା ଭୂତାଣୁ ସଂକ୍ରମିତ ହୋଇ ସୁସ୍ଥ ହୋଇଥିବା ଲୋକଙ୍କୁ ପ୍ଲାଜମା ଦାନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି । ଏହାପୂର୍ବରୁ କରୋନାରେ ଆକ୍ରାନ୍ତ ହୋଇ ପ୍ଲାଜମା ଥେରାପି ନେଇ ସୁସ୍ଥ ହୋଇଥିଲେ ଜଣେ ମହିଳା । କଟକ ଅଶ୍ୱିନୀ କୋଭିଡ଼ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣେ ୪୮ ବର୍ଷିୟ ମହିଳା ପ୍ଲାଜମା ଥେରାପି ନେଇ ସୁସ୍ଥ ହୋଇଛନ୍ତି । ଏବେ ପୁଣି ଗଂଜାମରେ ୩ଜଣ ସଂକ୍ରମିତ ସୁସ୍ଥ ହେବା ପରେ ଏହି ଚିକିତ୍ସା ମାଧ୍ୟମରେ ଅଧିକ ରୋଗୀ ସୁସ୍ଥ ହୋଇପାରିବେ ବୋଲି ଆଶା ସଂଚାର ହୋଇଛି ।