କନକ ବ୍ୟୁରୋ : ବରଗଡବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି । ବରଗଡ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ପ୍ରକଳ୍ପର ଉଦଘାଟନ ସହ ଶିଳାନ୍ୟାସ କରିଛନ୍ତି । ବହୁ ପ୍ରତୀକ୍ଷିତ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ ଓ କ୍ୟାନ୍ସର ହସ୍ପିଟାଲର ଉଦଘାଟନ କରିଛନ୍ତି ନବୀନ । ୧୦୦ ଶଯ୍ୟା ବିଶିଷ୍ଟ କ୍ୟାନସର ରୋଗ ଚିକିତ୍ସା କେନ୍ଦ୍ରର ଲୋକାର୍ପଣ କରିଛନ୍ତି ନବୀନ ।

Advertisment

ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ରାଜ୍ୟରେ ଏବେ ରୂପାନ୍ତରଣ ପର୍ବ ଚାଲିଛି । ବିଏସକେୱାଇ ୪ କୋଟି ଲୋକଙ୍କ ପାଇଁ ଆଶୀର୍ବାଦ ପାଲଟିଛି । ଏବେ ଓଡ଼ିଶା ପୂରା ଦେଶକୁ ଖାଦ୍ୟ ଯୋଗାଉଛି । ଏଥିରେ ବରଗଡ ଚାଷୀ ଭାଇଙ୍କ ଅବଦାନ ଯଥେଷ୍ଟ ଅଧିକ ରହିଛି । ବରଗଡରେ ନିର୍ମିତ କ୍ୟାନସର ହସ୍ପିଟାଲ ପଶ୍ଚିମ ଓଡ଼ିଶାବାସୀଙ୍କୁ ସେବା ଯୋଗାଇ ଦେବ । ଆଜି ସୋହେଲା, ବିଜେପୁର, ବିଜେପୁର, ଡୁଙ୍ଗୁରିପାଲି ବ୍ଲକର ଚାଷୀ ଭାଇଙ୍କ ପାଇଁ ଖୁସିର ଦିନ । ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପ ଦ୍ୱାରା ଆଜି ଠାରୁ ଜମିକୁ ପାଣି ଯୋଗାଇବା ଆରମ୍ଭ ହେଲା । ଏହାଦ୍ୱାରା ୬୦ ହଜାର ଏକରରୁ ଅଧିକ ଜମି ଜଳସେଚିତ ହେବ । ଛାତ୍ରଛାତ୍ରୀଙ୍କ ପାଇଁ ନୂଆ-ଓ ଛାତ୍ରବୃତ୍ତି ନୂଆ ଆଶା ଆଣିଛି । ସମସ୍ତଙ୍କ ସହଯୋଗରେ ଗଢିବା ନୂଆ ଓଡ଼ିଶା ।

୧୬୭୭ କୋଟି ୪୨ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ ଜିଲ୍ଲାର ସବୁଜ ବିପ୍ଲବ ଆଣିବ । ସେହିପରି ୧୦୬ କୋଟି ୬ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଶହେ ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ କ୍ୟାନ୍ସର ହସ୍ପିଟାଲ ପଶ୍ଚିମ ଓଡିଶାର କର୍କଟ ରୋଗୀଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇଦେବ । ବରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରେ ପ୍ରାୟ ୧୨୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ୫ ମହଲା ବିଶିଷ୍ଟ କ୍ୟାନ୍ସର ହସ୍ପିଟାଲ ନିର୍ମାଣ ହୋଇଛି । ସେହିପରି ମୁଖ୍ୟମନ୍ତ୍ରୀ ଗସ୍ତ ଅବସରରେ ୨୨କୋଟି ୭୮ ଲକ୍ଷ ଟଙ୍କା ବ୍ୟୟରେ ପଶ୍ଚିମ ଓଡିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହ ନାଥ ମନ୍ଦିରର ଉନ୍ନତିକରଣ କାର୍ଯ୍ୟର ଉଦଘାଟନ କରିଛନ୍ତି । ଏହାଛଡା ମୁଖ୍ୟମନ୍ତ୍ରୀ ୩୪୨ କୋଟି ୬୯ ଲକ୍ଷ ୬୩ ହଜାର ଟଙ୍କା ବ୍ୟୟରେ ନିର୍ମିତ ୫୯ଟି ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ କରିବା ସହ ୨୬୩ କୋଟି ୩୩ ଲକ୍ଷ ୧୮ ହଜାର ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ୨୧ଟି ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିଛନ୍ତି ନବୀନ ପଟ୍ଟନାୟକ ।