କନକ ବ୍ୟୁରୋ: ସାଧାରଣ ନିର୍ବାଚନ ପାଇଁ ଏବେଠୁ ପ୍ରସ୍ତୁତି ଆରମ୍ଭ କରିଦେଲାଣି ବିଜେଡି । ୨୦୧୯ରେ ଦଳକୁ ଯେଭଳି ମହିଳା ଭୋଟ ମିଳିଥିଲା ଠିକ ସେହିଭଳି ସମର୍ଥନ ଲକ୍ଷ୍ୟରେ ମିଶନ ଆରମ୍ଭ କରିଛି ବିଜେଡି । ବଜେଟରେ ମିଶନ ଶକ୍ତି ପାଇଁ ଭଣ୍ଡାର ଖୋଲିଦେଇଥିବାବେଳେ ସହରାଂଚଳରେ କାମ କରୁଥିବା ମିଶନ ଶକ୍ତି ସହଭାଗୀଙ୍କ ଭୋଟ ଉପରେ ବି ନଜର ରହିଛି ।

Advertisment

ଲୋକସେବା ଭବନରେ ୮ ହଜାର ମିଶନ ଶକ୍ତି ଗୋଷ୍ଠୀ ସହଭାଗୀଙ୍କୁ ୮ ହଜାର ସାଇକେଲ ବାଂଟିଛନ୍ତି ମୁଖ୍ୟମନ୍ତ୍ରୀ । ସ୍ୱଚ୍ଛ କର୍ମୀ, ସ୍ୱଚ୍ଛ ସାଥୀ, ଆହାର କର୍ମୀ, ଜଳ ସାଥୀ ଓ ସୁପରଭାଇଜର ଏହି ଗୋଲାପୀ ରଙ୍ଗର ସାଇକେଲ ପାଇଛନ୍ତି ।

କାର୍ଯ୍ୟକ୍ରମରେ ଦୁଇଜଣ ମିଶନ ଶକ୍ତି ମାଆ ଆହାର କର୍ମୀ ପଦ୍ମାବତୀ ଦାସ ଓ ସୀତା ମୁର୍ମୁ ନିଜର ଅଭିଜ୍ଞତା ବର୍ଣ୍ଣନା କରିଥିଲେ । ସେମାନଙ୍କ କହିବା କଥା ଥିଲା, ମିଶନ ଶକ୍ତି ଯୋଗୁଁ ସେମାନେ ସ୍ୱାବଲମ୍ବୀ ହୋଇଛନ୍ତି । ପରିବାରର ଛୋଟ ଛୋଟ ଅସୁବିଧା ଦୂର ହୋଇଛି । ସାଇକେଲ ଦ୍ୱାରା ସେମାନଙ୍କ ସମୟ ବଂଚିବା ସହ କାର୍ଯ୍ୟଦକ୍ଷତା ବଢିବ ।

ଚଳିତ ବଜେଟରେ ସରକାର ଏସଏଚଜି ମହିଳାଙ୍କ ପାଇଁ ବଡ ଘୋଷଣା କରିଛନ୍ତି । ଲକ୍ଷେ ମିଶନ ଶକ୍ତି ମହିଳାଙ୍କୁ ଇ ସ୍କୁଟର ଦିଆଯିବ । ଏଥିପାଇଁ ୧୦ କୋଟିର ବ୍ୟୟବରାଦ ହୋଇଛି । ଆଉ ସ୍କୁଟି ବାଂଟିବା ପୂର୍ବରୁ ସାଇକେଲ ବାଂଟି ମିଶନ ଶକ୍ତି ମହିଳାଙ୍କୁ ଭିନ୍ନ ବାର୍ତା ଦେବାକୁ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି ।