ବରଦାନ ସାଜିବ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ସାଢ଼େ ୩ କୋଟି ଲୋକଙ୍କୁ ସରକାରୀ ହସ୍ପିଟାଲରେ ମିଳିବ ମାଗଣା ଚିକିତ୍ସା

78

କନକ ବ୍ୟୁରୋ : ନବୀନ ସରକାରଙ୍କ ବଡ଼ ଘୋଷଣା । ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ଯୁଗାନ୍ତକାରୀ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ସଚିବାଳୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ନାମରେ ଓଡ଼ିଶାବାସୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏହି ଯୋଜନାରେ ଜରିଆରେ ସାଢ଼େ ୩ କୋଟି ଲୋକଙ୍କୁ ସରକାରୀ ଡାକ୍ତରଖାନାରେ ମାଗଣାରେ ଚିକିତ୍ସା ଯୋଗାଇଦିଆଯିବ ।ଓଡ଼ିଶାରେ ସ୍ୱାସ୍ଥ୍ୟସେବାକୁ ଲୋକାଭିମୁଖୀ, ଗୁଣାତ୍ମକ ଏବଂ ଅଧିକ ପ୍ରଭାବୀ କରିବା ଉଦ୍ଦେଶ୍ୟରେ ଆସନ୍ତା ଅଗଷ୍ଟ ୧୫ ତାରିଖରୁ କାର୍ଯ୍ୟକାରୀ ହେବ ଏହି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ।

naveen pattanaikସବୁଠୁ ବଡ଼ କଥା ହେଲା, ଏହି ଯୋଜନାରେ ୭୦ ଲକ୍ଷରୁ ଅଧିକ ପରିବାରକୁ ବାର୍ଷିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ସୁରକ୍ଷା ସହାୟତା ଯୋଗାଇ ଦିଆଯିବ । ସବୁ ସରକାରୀ ମେଡ଼ିକାଲରେ ମାଗଣା ସ୍ୱାସ୍ଥ୍ୟସେବା ଓ ଔଷଧ ମଧ୍ୟ ଉପଲବ୍ଧ ହେବ । ଏଥିସହ ଡାକ୍ତରଖାନାରେ ଆଦାୟ ହେଉଥିବା ସମସ୍ତ ପ୍ରକାର ୟୁଜର୍ସ ଫି ବନ୍ଦ କରାଯିବ । ଏହାଛଡ଼ା ପ୍ରସୂତି, ନବଜାତ ଓ ଅସୁସ୍ଥ ଶିଶୁ ଡାକ୍ତରଖାନାରୁ ଘରକୁ ଆସିବା ପାଇଁ ଯାତାୟତ ବାବଦ ଖର୍ଚ୍ଚ ପାଇଁ ମିଳିବ ୫୦୦ ଟଙ୍କା । ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ଏଥିରେ ବର୍ଷକୁ ୬.୫ ଲକ୍ଷରୁ ଉଦ୍ଧ୍ୱର୍ ପ୍ରସୂତି ଓ ଅସୁସ୍ଥ ଶିଶୁ ଉପକୃତ ହେବେ ।

ସବୁଠୁ ବଡ଼ କଥା ହେଲା, ମୋଦିଙ୍କ ଆୟୁଷ୍ମାନ ଭାରତ ଯୋଜନାକୁ ଟକ୍କର ଦେବ ନବୀନଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା । କେନ୍ଦ୍ର ସରକାରଙ୍କ ବିନା କୌଣସି ସହାୟତାରେ ଏହି ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା ଆଣୁଛନ୍ତି ରାଜ୍ୟ ସରକାର । ଅନ୍ୟପଟେ କେନ୍ଦ୍ରର ମୋଦି ସରକାର ବଜେଟରେ ଆୟୁଷ୍ମାନ ଭାରତ ଯୋଜନା ଘୋଷଣା କରିଛନ୍ତି । ଯେଉଁ ଯୋଜନାରେ ଦେଶର ୫୦ କୋଟି ଗରିବ ଲୋକଙ୍କୁ ୫ଲକ୍ଷ ଯାଏଁ ସ୍ୱାସ୍ଥ୍ୟ ସେବା ଯୋଗଇ ଦେବା ପାଇଁ ଘୋଷଣା କରିଥିଲେ । ବଡ କଥା ହେଉଛି ଏହି ଯୋଜନାକୁ ଅଗଷ୍ଟ ୧୫ ତାରିଖ କିମ୍ବା ଅକ୍ଟୋବର ମାସରେ ଲାଗୁ କରିବାର ଲକ୍ଷ୍ୟ ରଖାଯାଇଛି । କିନ୍ତୁ ଏହାପୂର୍ବରୁ ନବୀନ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଘୋଷଣା କରି ମୋଦିଙ୍କ ବିରୋଧରେ ଏକ ମାଷ୍ଟରଷ୍ଟ୍ରୋକ ଖେଳିଛନ୍ତି । ଏହାସହ ମୋଦିଙ୍କ ଆୟୁଷ୍ମାନ ଭାରତ ଯୋଜନା ଓଡ଼ିଶାରେ ଲାଗୁ ହେବ କି ନାହିଁ ତାହାକୁ ନେଇ ଏବେ ଅନିଶ୍ଚିନ୍ତତା ଦେଖାଦେଇଛି ।