ପଞ୍ଚମ ପାଳିର ଦ୍ବିତୀୟ ବର୍ଷ ଶେଷ : ଆଜି ମନ୍ତ୍ରିପରିଷଦ ବୈଠକ, ତୃତୀୟ ବର୍ଷ ଖସଡ଼ା ସାମ୍ନାକୁ ଆସିପାରେ

157

କନକ ବ୍ୟୁରୋ : ରାଜନୈତିକ ସ୍ତରରେ ସରକାର ଅନେକ ସଫଳତା ହାସଲ କରିଛନ୍ତି । ଉଭୟ ବାଲେଶ୍ବର ଏବଂ ତିର୍ତ୍ତୋଲ ଉପନିର୍ବାଚନରେ ଶାସକ ବିଜେଡି ବିଜୟ ଲାଭ କରିଛି । ବାଲେଶ୍ବରରେ ବିଜେପି ହାତରୁ ଆସନ ଛଡ଼ାଇ ନେଇଛନ୍ତି ଶାସକ ଦଳ । ପିପିଲି ଉପନିର୍ବାଚନ ଅଧାରେ ଅଟକିରହିଛି । ଗୋଟିଏ ଚିତ୍ର ଅତ୍ୟନ୍ତ ସ୍ପଷ୍ଟ ଯେ ରାଜନୈତିକ ଦୃଷ୍ଟି କୋଣରୁ ନବୀନ ସରକାର ପ୍ରତି ଏବେ କୌଣସି ବିପଦ ନାହିଁ ।

ଏଭଳି ଏକ ବଡ଼ ସଫଳତା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିର ଦ୍ବିତୀୟ ବର୍ଷ ଶେଷ ହୋଇଛି। ହେଲେ ପୁରୀକୁ ବିଶ୍ବସ୍ତରୀୟ ସହରରେ ପରିଣତ ଠାରୁ ଆରମ୍ଭ କରି କଟକ ବଡ଼ ମେଡ଼ିକାଲକୁ ଏମ୍‌ସ ପ୍ଲସ୍ ମାନ୍ୟତା ଦେବା, ପୁରୀରେ ଆନ୍ତର୍ଜାତିକ ବିମାନ ବନ୍ଦର ଏଭଳି ଅନେକ କାର୍ଯ୍ୟକ୍ରମ ତ୍ବରାନ୍ବିତ ହୋଇପାରନାହିଁ । ଏସବୁ କ୍ଷେତ୍ରରେ ଗୋଟିଏ ପରେ ଗୋଟିଏ ବିପର୍ଯ୍ୟୟ ସରକାରଙ୍କ ରାସ୍ତାକୁ ଅବରୋଧ କରିରଖିଛି ।

କରୋନା ଭୀଷଣ ଅବସ୍ଥାରେ ଥିବାରୁ ଏଥର ୧୪ ତାରିଖରୁ ମନ୍ତ୍ରୀମାନଙ୍କ ରିପୋର୍ଟ କାର୍ଡ ତର୍ଜମାକୁ ନିଜେ ମୁଖ୍ୟମନ୍ତ୍ରୀ ସ୍ଥଗିତ ରଖିଛନ୍ତି । ଏହା ସତ୍ତ୍ବେ ଆଜି ଅପରାହ୍ନ ସାଢ଼େ ପାଞ୍ଚଟାରେ ମନ୍ତ୍ରୀ ପରିଷଦ ବୈଠକରେ ତୃତୀୟ ବର୍ଷ ଲାଗି କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରାଯିବ ବୋଲି ଜଣାପଡ଼ିଛି । ଏହି ଦୁଇ ବର୍ଷ ମଧ୍ୟରେ ସରକାର ଯାହା ଭଲ କାମ କରିଛନ୍ତି, ତାହାର ବି ନବୀନ ତର୍ଜମା କରିବେ ।

୨୦୨୦ ମେ’ ୨୯ ତାରିଖରେ କ୍ଷମତା ଚୌକି ଧରିବା ପରେ ଶାସନ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତନ କରିଥିଲେ ମୁଖ୍ୟମନ୍ତ୍ରୀ । ନିଜ ବ୍ୟକ୍ତିଗତ ସଚିବ ଭି କାର୍ତିକେୟନ୍ ପାଣ୍ଡିଆନ୍‌ଙ୍କୁ ସାମ୍ନାକୁ ଆଣି ତାଙ୍କୁ ‘୫ଟି’ ସଚିବ ଭାବେ ଅବସ୍ଥାପିତ କରି ତୃତୀୟ ମହଲାର କ୍ଷମତା ବଢ଼ାଇଥିଲେ । ସରକାରକୁ ଲୋକଙ୍କ ନିକଟରେ ଉତ୍ତରଦାୟୀ କରିବା ଲାଗି ‘ମୋ ସରକାର’ ଆରମ୍ଭ ହୋଇଥିଲା ।

ପ୍ରଥମ ବର୍ଷରେ ଏହାକୁ ନେଇ ହୋଇଥିବା ତନାଘନା ଦ୍ବିତୀୟ ବର୍ଷରେ ଅନେକ ବିଭାଗ ପାଳନ କରିନାହାନ୍ତି । ଅଫିସ ଠିକ୍ ସମୟରେ ଆସିବା ଠାରୁ ଆରମ୍ଭ କରି ପଟ୍ଟା ପ୍ରଦାନ ପର୍ଯ୍ୟନ୍ତ ସବୁଥିରେ ପୁଳା ପୁଳା ଅଭିଯୋଗ ଆସିଲାଣି । ନୟାଗଡ ପରୀ ହତ୍ୟାକାଣ୍ଡ ଠାରୁ ଆରମ୍ଭ କରି ଯାଜପୁର ଜିଲ୍ଲାର ପିହୁ ଘଟଣାରେ ସରକାରଙ୍କ ଅନୁଶାସନକୁ ଅଧିକାରୀମାନେ ପାଳନ କରିବାରେ କାର୍ପଣ୍ୟତା ଦେଖାଇବା କାରଣରୁ ସରକାର ବଦନାମ ହୋଇଛନ୍ତି । କିନ୍ତୁ ଏକଥା ବି ହୋଇଛି ଯେ ସରକାର ଦୁର୍ନୀତି କ୍ଷେତ୍ରରେ ଶୂନ୍ୟ ସହନଶୀଳତା ପ୍ରଦର୍ଶନ କରିବାକୁ ଯାଇ ୧୦୦ରୁ ଅଧିକ ଅଧିକାରୀରଙ୍କୁ ଚାକିରିରୁ ବିଦା କରିଛନ୍ତି, ପେନସନ୍ ବି ବନ୍ଦ ହୋଇଛି । ଶାସକ ଦଳର ହୋଇଥିବା ସତ୍ତ୍ବେ ମୁଖ୍ୟମନ୍ତ୍ରୀ ନିଜେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ, ଜଙ୍ଗଲ ବିଭାଗର ବରିଷ୍ଠ ଅଧିକାରୀ ଆଇଏଫ୍‌ଏସ୍ ଅଭୟ ପାଠକଙ୍କୁ ଜେଲ୍ ପଠାଇଛନ୍ତି । ଶ୍ରୀ ପାଠକଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।

ତେବେ ମନ୍ତ୍ରିପରିଷଦ କିନ୍ତୁ ସେଭଳି ପ୍ରଭାବୀ ହୋଇପାରିନାହିଁ । ହାତଗଣତି କିଛି ମନ୍ତ୍ରୀଙ୍କୁ ଛାଡ଼ିଦେଲେ ଅନ୍ୟ ମନ୍ତ୍ରୀମାନେ ସେମାନଙ୍କ ପାରଦର୍ଶିତା ପ୍ରଦର୍ଶନ କରିପାରିନାହାନ୍ତି । ମନ୍ତ୍ରୀ ଅରୁଣ ସାହୁ, ମନ୍ତ୍ରୀ ପ୍ରତାପ ଜେନା ଯଥାକ୍ରମେ ପରୀ ହତ୍ୟାକାଣ୍ଡ ଏବଂ ମାହାଙ୍ଗା ଡବଲ୍ ମର୍ଡର ପାଇଁ ବିବାଦକୁ ଆସିଛନ୍ତି । ସେହିଭଳି ଧାନକିଣା ପ୍ରସଙ୍ଗକୁ ନେଇ ସରକାରଙ୍କୁ ବିଧାନସଭାରେ ହଲାପଟା ହେବାକୁ ପଡ଼ିଛି। ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ ବିରୋଧୀ ଘେରିଛନ୍ତି ।

ସେହିଭଳି ମନ୍ତ୍ରୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଯେଉଁ ନିର୍ଦେଶନାମା ଜାରି କରିଥିଲେ, ସେଥିରୁ ଅଧିକାଂଶ ପାଳନ ହୋଇନାହିଁ । ଏଇ ଯେମିତି ପ୍ରତିମାସ ପ୍ରଥମ ସପ୍ତାହରେ ମନ୍ତ୍ରୀମାନଙ୍କ କାର୍ଯ୍ୟଦକ୍ଷତା ସମୀକ୍ଷା କଥା କୁହାଯାଇଥିଲା, ଯାହା ହୋଇପାରିନାହିଁ। ମନ୍ତ୍ରୀମାନେ ଜିଲ୍ଲାଗସ୍ତ ବି ଅଟକିଯାଇଛି । ବାଇ-ଲ ପ୍ରସଙ୍ଗକୁ ନେଇ କେନ୍ଦ୍ର-ରାଜ୍ୟ ମଧ୍ୟରେ ତୁ ତୁମେ ମେ ହୋଇଥିଲା । ପୁରୀ କ୍ଷେତ୍ରରେ ଏହାକୁ କେନ୍ଦ୍ର ସ୍ଥଗିତ ରଖିଥିଲେ। ହେଲେ ଭୁବନେଶ୍ବରର ବିଭିନ୍ନ ମନ୍ଦିର କ୍ଷେତ୍ରରେ ଏହା ଅସ୍ପଷ୍ଟ ରହିଛି। ଏଏସ୍‌ଆଇ ଓ ପ୍ରଶାସନ ମୁହାଁମୁହିଁ ସ୍ଥିତିକୁ ଆସିବା କାରଣରୁ ଶ୍ରୀଲିଙ୍ଗରାଜ ମନ୍ଦିର ବିକାଶ ପ୍ରକ୍ରିୟା ଏବେ ସ୍ଥଗିତ । ପୁରୀେର ମଧ୍ୟ କୌଣସି ବଡ଼ ଧରଣର ବିକାଶ କାର୍ଯ୍ୟ ଏଯାଏ ପରିଲକ୍ଷିତ ହୋଇନାହିଁ ।

ତୃତୀୟ ମହଲାରେ ମୁଖ୍ୟମନ୍ତ୍ରୀଙ୍କ ଆଉ ଗୋଟିଏ ପରାମର୍ଶଦାତା ପଦବି ସୃଷ୍ଟି କରାଯାଇଛି ଓ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ ଯାଇ ମୁଖ୍ୟମନ୍ତ୍ରୀ ଉଭୟ ଦାୟିତ୍ବ ପୂର୍ବତନ ମୁଖ୍ୟସଚିବ ଅସିତ କୁମାର ତ୍ରିପାଠୀଙ୍କୁ ଦେଇଛନ୍ତି। ପ୍ରତି ଜିଲ୍ଲାରେ ବିକାଶ ପରିଷଦର କାର୍ଯ୍ୟାଳୟ ଖୋଲିବ ବୋଲି ସରକାର କହିଛନ୍ତି। ଅନ୍ୟପକ୍ଷରେ କୋଟିଆ ଉପରେ ଆନ୍ଧ୍ର ଦଖଲ ପ୍ରସଙ୍ଗ ସରକାରଙ୍କୁ ଅକଳରେ ପକାଇ ଦେଇଛି। ଏ ମାମଲା ପୁଣି ଥରେ ସୁପ୍ରିମକୋର୍ଟକୁ ଯାଇଛି। ସେହିଭଳି ମହାନଦୀ ବିବାଦ ମାମଲାରେ କୌଣସି ଆଶ୍ବସ୍ତି ରାଜ୍ୟକୁ ମିଳିପାରିନାହିଁ।

ରାଜ୍ୟ ସରକାର ଅର୍ଥନୈତିକ ଓ ସାମାଜିକ ଦୃଷ୍ଟିକୋଣରୁ ପଛୁଆବର୍ଗଙ୍କ ସଂପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। କମିସନ କାର୍ଯ୍ୟ ଆରମ୍ଭ କରିଛି ଓ ଗଣନା ପାଇଁ ପ୍ରସ୍ତୁତି କରାଯାଇଛି। ସେହିଭଳି ସରକାରୀ ବିଦ୍ୟାଳୟରେ ପାଠ ପଢ଼ିଲେ ଇଞ୍ଜିନିୟିରିଂ ଓ ଡାକ୍ତରୀ ପାଠ କ୍ଷେତ୍ରରେ ୧୫ ପ୍ରତିଶତ ସଂରକ୍ଷଣ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ୮ ହଜାର ବିଦ୍ୟାଳୟକୁ ନୂଆ ରୂପ ଦେବାକୁ ନିଷ୍ପତ୍ତି ହୋଇଛି।

ଏଠାରେ ଉଲ୍ଲେଖଥାଉକି, କରୋନା ବିପର୍ଯ୍ୟୟ କିନ୍ତୁ ସରକାରଙ୍କୁ ଅସ୍ତବ୍ୟସ୍ତ କରିସାରିଲେଣି। ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ଏହାର ପ୍ରଭାବ କମ୍ ଥିଲେ ହେଁ, ଦ୍ବିତୀୟ ପର୍ଯ୍ୟାୟରେ ଏହା ଭୀଷଣ କ୍ଷତି ପହଞ୍ଚାଉଛି। ବିପର୍ଯ୍ୟୟ ସରକାରଙ୍କୁ ଅଣନିଶ୍ବାସୀ କରିଦେଇଛି। ସରକାର କ୍ଷମତାକୁ ଆସିବା ପୂର୍ବରୁ ଭୀଷଣ ବାତ୍ୟା ରୂପ ଧାରଣ କରି ଆସିଥିବା ‘ଫନି’ ଭୁବନେଶ୍ବର ଓ ପୁରୀର ଭିତ୍ତିଭୂମିକୁ ଦୋହଲାଇ ଦେଇଥିଲା। ପରେ ବୁଲ୍‌ବୁଲ୍, ‘ଅମ୍ଫାନ୍’ ଏବଂ ଏବେ ‘ୟାସ୍‌’ରାଜ୍ୟକୁ ଦୁଃସ୍ଥିତି ଭିତରକୁ ଠେଲି ଦେଇଛି। ଏହି ବିପର୍ଯ୍ୟୟ କାରଣରୁ ଆର୍ଥିକ ଦୃଷ୍ଟିରୁ ଗତ ୧୬ବର୍ଷ ଧରି ଅତ୍ୟନ୍ତ ସଶକ୍ତ ବୋଲି ଦାବି କରୁଥିବା ଓଡ଼ିଶା ଏକ ବଡ଼ ବିପର୍ଯ୍ୟୟ ଭିତରେ ସନ୍ତୁଳି ହେଉଛି।

ତେବେ ରାଜନୈତିକ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଲକ୍ଷ୍ୟ କରାଯାଉଛି । ନିର୍ବାଚନ ପୂର୍ବର ତିକ୍ତତା ଭୁଲି ମୁଖ୍ୟମନ୍ତ୍ରୀ-କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନେକ ନିଷ୍ପତ୍ତି ମିଳିତ ଭାବେ ନେଇଛନ୍ତି । ଏଭଳି ଏକ ପୃଷ୍ଠଭୂମିରେ ନବୀନଙ୍କ ପଞ୍ଚମ ପାଳିର ତୃତୀୟ ବର୍ଷ କିଭଳି ରୂପ ନେବ, ତାହା ଉପରେ ରାଜନୈତିକ ମହଲ ଠାରୁ ଆରମ୍ଭକରି ବୁଦ୍ଧିଜୀବୀ ସମସ୍ତେ ନଜର ରଖିଛନ୍ତି ।