୨ଟି ଆସନରେ ନିର୍ବାଚନ ଲଢିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହିଞ୍ଜିଳି ସହ କଣ୍ଟାବାଂଜିରୁ ହେଲେ ପ୍ରାର୍ଥୀ, ବିଜେଡିରେ ଫୋକସରେ ପଶ୍ଚିମ ଓଡ଼ିଶା ।

838

କନକ ବ୍ୟୁରୋ : ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି । କଣ୍ଟାବାଞ୍ଜିରୁ ଲଢିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୧୯ ଭଳି ୨ଟି ଆସନରୁ ନିର୍ବାଚନ ଲଢିବେ ମୁଖ୍ୟମନ୍ତ୍ରୀ । ପୂର୍ବରୁ ହିଞ୍ଜିଳି ଆସନରୁ ମୁଖ୍ୟମନ୍ତ୍ରୀ ବିଜେଡି ପ୍ରାର୍ଥୀ ହୋଇଥିବା ବେଳେ ଆଜି କଣ୍ଟାବାଞ୍ଜିରୁ ନବୀନ ଲଢିବା ନେଇ ଘୋଷଣା ହୋଇଛି । ଏହାପୂର୍ବରୁ ୨୦୧୯ରେ ହିଞ୍ଜିଳି ସହ ବିଜେପୁର ଆସନରୁ ନିର୍ବାଚନ ଲଢିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉଭୟ ଆସନରେ ମୁଖ୍ୟମନ୍ତ୍ରୀ ବିଜୟୀ ହୋଇଥିବା ବେଳେ ପରେ ବିଜେପୁର ଆସନ ଛାଡି ହିଞ୍ଜିଳି ଆସନ ରଖିଥିଲେ ।

କଣ୍ଟାବାଞ୍ଜିରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବା ପରେ ପଶ୍ଚିମ ଓଡ଼ିଶାକୁ ବିଜେଡି ଫୋକସରେ ରଖିଥିବା କୁହାଯାଉଛି । ଗତଥର ନବୀନ ପଶ୍ଚିମ ଓଡ଼ିଶାରୁ ଲଢିଥିଲେ ଯାହାର ଫାଇଦା ବିଜେଡିକୁ ମିଳିଥିଲା । ତେଣୁ ସେହି ଷ୍ଟ୍ରାଟେଜିକୁ ବିଜେଡି ପୁଣିଥରେ ଦୋହରାଇଛି । ପଶ୍ଚିମ ଓଡ଼ିଶାରେ ବିଜେଡି ବିଧାନସଭାରେ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ଲୋକସଭାରେ ଭଲ ପ୍ରଦର୍ଶନ କରିବାରେ ବିଫଳ ହୋଇଥିଲା । ତେଣୁ ଚଳିତଥର ପଶ୍ଚିମ ଓଡ଼ିଶାରେ ଲୋକସଭା ଆସନରେ ଭଲ ପ୍ରଦର୍ଶନ ପାଇଁ ନବୀନଙ୍କୁ ମୈଦାନକୁ ଓହ୍ଲାଇଥିବା ଚର୍ଚ୍ଚା ହେଉଛି । ୨୦୧୯ରେ କଣ୍ଟାବାଞ୍ଜି ଆସନ କଂଗ୍ରେସ ଖାତାକୁ ଯାଇଥିଲା । କଂଗ୍ରେସର ସନ୍ତୋଷ ସିଂ ସାଲୁଜା ବିଧାୟକ ହୋଇଥିଲେ । କିନ୍ତୁ ଚଳିତଥର ସନ୍ତୋଷଙ୍କ ଭଳି ହେଭିୱେଟକୁ ମାତ୍ ଦେବାକୁ ଏହି ଆସନରେ ମୁଖ୍ୟମନ୍ତ୍ରୀଙ୍କୁ ଓହ୍ଲାଇଛି ବିଜେଡି ।