ନବୀନ ଆସିଲେ, ବିଜେପି ବିଧାୟକଙ୍କୁ ବୁଝାଇ ଭିତରକୁ ଡାକିନେଲେ । ଚାଷୀ ପ୍ରସଙ୍ଗକୁ ନେଇ ନବୀନ ନିବାସରେ ଆରମ୍ଭ ହେଲା ଆଲୋଚନା ।

446

କନକ ବ୍ୟୁରୋ : ଓଡ଼ିଶା ରାଜନୀତିର ବିରଳ ଦୃଶ୍ୟ । ଧାରଣାରେ ବସିଥିବା ବିଜେପି ବିଧାୟକଙ୍କୁ ନବୀନ ନିବାସ ଭିତରକୁ ଡାକିନେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ ପରେ ଶେଷରେ ଆଲୋଚନା ପାଇଁ ଭିତରକୁ ଗଲେ ବିଜେପି ବିଧାୟକ । ଆଉ ଏହାସହ ଉଭୟ ଶାସକ-ବିରୋଧୀଙ୍କ ମଧ୍ୟରେ ଆରମ୍ଭ ହୋଇଛି ଆଲୋଚନା । କିନ୍ତୁ ସବୁଠୁ ବଡ କଥା ହେଲା, ନବୀନ ନିବାସ ଆଗରେ ଯେଉଁ ହାଇଡ୍ରାମା ଚାଲିଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ନିଜେ ନବୀନ ।

ଏହାପୂର୍ବରୁ ମଣ୍ଡି ଅବ୍ୟବସ୍ଥାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିବା ସହ ମୁଖ୍ୟମନ୍ତ୍ରୀ ବିଧାନସଭା ଆସନ୍ତୁ ବୋଲି ଦାବି କରିଥିଲେ ବିରୋଧୀ । ମଣ୍ଡି ଅବ୍ୟବସ୍ଥା ଓ ସୁବାସ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ଉଦ୍ୟମ ପ୍ରସଙ୍ଗକୁ ନେଇ ଗୃହ ବାରମ୍ବାର ମୁଲତବି ପରେ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା ପାଇଁ ନବୀନ ନିବାସ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା ବିଜେପି ବିଧାୟକ ଟିମ୍ । ଆଉ ବିଜେଡି ପକ୍ଷରୁ ବିଜେପି ଟିମକୁ ସ୍ୱାଗତ ପାଇଁ ନବୀନ ନିବାସ ଆଗରେ ପ୍ରସ୍ତୁତ ହୋଇସାରିଥିଲା । ଶଙ୍ଖ ଓ ଚନ୍ଦନ ଧରି ବିଜେଡିର ବରିଷ୍ଠ ନେତା ଉପସ୍ଥିତ ରହିଥିଲେ ।

ତେବେ ବିଜେପି ଟିମ୍ ନବୀନ ନିବାସ ସାମ୍ନାରେ ପହଞ୍ଚିବା ପରେ ଗେଟ୍ ବନ୍ଦ ଥିବା କହି ଧାରଣାରେ ବସିଥିଲେ । ବିଜେଡି ନେତାଙ୍କ ହାତଯୋଡି ନିବେଦନ କରିବା ସତ୍ତେ୍ୱ ମଧ୍ୟ ଭିତରକୁ ଯିବାକୁ ରାଜି ହୋଇନଥିଲେ ବିଜେପି ବିଧାୟକ । ଶେଷରେ ନବୀନ ନିବାସରୁ ନିଜେ ଆସିଥିଲେ ନବୀନ । ଧାରଣାରେ ବସିଥିବା ବିଧାୟକଙ୍କୁ ନବୀନ ନିବାସ ଭିତରକୁ ଆସିବାକୁ ନିମନ୍ତ୍ରଣ କରିଥିଲେ । ଆଉ ବିରୋଧୀ ଦଳ ନେତାଙ୍କୁ ସାଥୀରେ ନବୀନ ନିବାସ ଭିତରକୁ ଯାଇଥିଲେ ମୁଖ୍ୟମନ୍ତ୍ରୀ ।

Comments are closed.