ମୋଦୀଙ୍କ ଆକ୍ରମଣ ପରେ ନବୀନଙ୍କ ନିମନ୍ତ୍ରଣ । ବିଜେଡି ସୁପ୍ରିମୋ କହିଲେ, ତୃତୀୟ ପର୍ଯ୍ୟାୟ ସୁଦ୍ଧା ଦଳକୁ ମିଳିସାରିଛି ବହୁମତ, ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବାକୁ ମୋଦିଙ୍କୁ କଲେ ନିମନ୍ତ୍ରଣ

620
କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀଙ୍କ ଦମ୍ଭୋକ୍ତିର ଜବାବ୍ ଦୃଢ଼ତାର ସହ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଯେଉଁ ବାଲେଶ୍ୱରରେ ନରେନ୍ଦ୍ର ମୋଦି ବିଜେପି ସରକାର ଗଢ଼ିବ ଏବଂ ବିଜେଡି ଗଲା ପରେ ପୁଣି ଓଡ଼ିଶା ଆସିବେ ବୋଲି ଦମ୍ଭୋକ୍ତି ପ୍ରକାଶ କରିଥିଲେ, ସେହି ବାଲେଶ୍ୱରରେ ମୋଦିଙ୍କୁ ଜବାବ୍ ଦେଇଛନ୍ତି ନବୀନ । କହିଛନ୍ତି- ତୃତୀୟ ପର୍ଯ୍ୟାୟ ନିର୍ବାଚନ ସରିବା ପରେ ଓଡ଼ିଶା ଲୋକଙ୍କ ଆଶୀର୍ବାଦରୁ ବିଜେଡି ବହୁମତ ପାଇ ସାରିଲାଣି । ଏମିତି କି ଶପଥ ଗ୍ରହଣ ପାଇଁ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ ଦେଇଛନ୍ତି ନବୀନ ।
ଗତକାଲି ପ୍ରଧାନମନ୍ତ୍ରୀ କହିଥିଲେ ଓଡ଼ିଶାରୁ ବିଜେଡ଼ି ସରକାର ଗଲାପରେ ସେ ପୁଣି ଓଡ଼ିଶା ଆସିବେ । ତୃତୀୟ ପର୍ଯ୍ୟାୟ ଭୋଟ ପରେ ଓଡ଼ିଶାବାସୀଙ୍କ ଆଶୀର୍ବାଦରେ ବିଜେଡ଼ି ବହୁମତ ପାଇସାରିଲାଣି । ବିଜେଡ଼ି ସରକାର ଶପଥ ଗ୍ରହଣ ଉତ୍ସବରେ ଅତିଥି ଭାବେ ଯୋଗଦେବାକୁ ମୋଦିଜୀଙ୍କୁ ନମ୍ରତାର ସହ ମୋର ଅନୁରୋଧ । ଆଜି ରେମୁଣାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କିଛି ଏଭଳି ଢଙ୍ଗରେ କାଉଁଟର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯାହା ରାଜ୍ୟ ରାଜନୀତିର ତାତିକୁ ଆହୁରି ବଢାଇ ଦେଇଛି ।
ଏହାପୂର୍ବରୁ ଗତକାଲି ବାଲେଶ୍ୱର ସଭାରେ ନବୀନ ସରକାରକୁ ଟାର୍ଗେଟ କରିବା ସହ ମୋଦି କହିଥିଲେ, ଏଥର ନବୀନ ସରକାର ଯିବା ନିଶ୍ଚିତ । କେହି ତାଙ୍କ ସରକାରକୁ ବଞ୍ଚାଇ ପାରିବେ ନାହିଁ । ୧୯ ବର୍ଷ ଶାସନରେ ରହିଥିବା ନବୀନ ସରକାରକୁ ଲୋକ ସମ୍ମାନର ସହ ବିଦାୟ ଦେବେ । ନିର୍ବାଚନର ଶେଷ ପର୍ଯ୍ୟାୟରେ ଆସିଛି । ମୁଁ ତାଙ୍କୁ କହିବା ପାଇଁ ଚାହୁଁଛି, ନବୀନ ବାବୁ ଆପଣ ଯାଉଛନ୍ତି । ଆପଣଙ୍କ ଯିବା ନିଶ୍ଚିତ । କିଛି ଅଫିସର ଆପଣଙ୍କୁ ବଂଚାଇପାରିବେନି ।  ଏଭଳି କହି ମୋଦି ସିଧାସଳଖ ନବୀନଙ୍କୁ ଟାର୍ଗେଟ କରିଥିଲେ ।
ଚାରି ଚାରି ଥର ଓଡିଶାରେ ଶାସନ କ୍ଷମତାରେ ରହିବା ପରେ ପଞ୍ଚମ ଥର ଶାସନ କ୍ଷମତାକୁ ଆସିବା ପାଇଁ ପୂରା ଜୋର ଲଗାଇ ଦେଇଛନ୍ତି ନବୀନ । ସେପଟେ ଓଡିଶାରେ ସମ୍ଭାବନା ଦେଖୁଥିବା ମୋଦି ମଧ୍ୟ ବାରମ୍ବାର ଓଡିଶା ଆସି ବିଜେପି ନେତା ଓ କର୍ମୀଙ୍କ ଜୋସ ବଢାଉଛନ୍ତି । ଶେଷ ପର୍ଯ୍ୟାୟରେ ନିର୍ବାଚନ ପହଞ୍ଚିଥିବା ବେଳେ ଭୋଟର କାହାକୁ ବାଛିଛନ୍ତି ତାହା ଆସନ୍ତା ୨୩ରେ ସ୍ପଷ୍ଟ ହୋଇଯିବ ।