କନକ ବ୍ୟୁରୋ: କ୍ଷମତାରେ ଥିବାବେଳେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଦେଖା କରିପାରୁନଥିଲେ ଦଳୀୟ ନେତା। ହେଲେ କ୍ଷମତାରୁ ଯିବା ପରେ ଏବଂ ମମତା ମହନ୍ତ ବିଜେଡି ଛାଡି ବିଜେପିରେ ମିଶିବା ପରେ ଦଳକୁ ଭୟ ଘାରିଛି । ଆଉ ଏବେ ନବୀନ ନିବାସରେ ଦଳୀୟ ନେତାଙ୍କ ସାହାଣ ମେଲା ଚାଲିଛି। ପ୍ରାୟ ପ୍ରତିଦିନ କେଉଁଠି ନା କେଉଁଠି ନେତା ଆସୁଛନ୍ତି ବିଜେଡି ସୁପ୍ରିମୋଙ୍କୁ ଭେଟୁଛନ୍ତି ।

  • ନବୀନଙ୍କୁ ଘାରିଲାଣି ଅନାସ୍ଥା ଭୟ
  • ନେତାଙ୍କ ପାଇଁ ସାହାଣ ମେଲା ନବୀନ ନିବାସ

୨୪ ବର୍ଷର ସରକାର ଶାସନ କ୍ଷମତାରୁ ଯିବା ପରେ ବିଜେଡି ଶିବିରରେ ଛନକା ପଶିଛି। ଅପ୍ରତ୍ୟାଶିତ ଭାବେ ମମତା ମହନ୍ତ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହେବା ପରେ କଡ ଲେଉଟାଇଛି ବିଜେଡି ରାଜନୀତି। ହେଭିୱେଟ ନେତାଙ୍କ ଠାରୁ ଆରମ୍ଭ କରି ତୃଣମୂଳସ୍ତରର ନେତା ପଟ୍ଟ ପରିବର୍ତ୍ତନ କରିବାକୁ ମନ ବଳାଇଥିବା ଚର୍ଚ୍ଚା ହେଉଛି। ତେଣୁ ଆଗକୁ ବଡଧରଣର ସଙ୍କଟ ମାଡି ଆସୁଥିବା ଆଶଙ୍କା କରି ଏବେ ସମସ୍ତଙ୍କ ପାଇଁ ନବୀନ ନିବାସକୁ ସାହାଣ ମେଲା କରିଛନ୍ତି ବିଜେଡି ସୁପ୍ରିମୋ। ପଞ୍ଚାୟତସ୍ତରରୁ ଆରମ୍ଭ କରି ଜିଲ୍ଲାସ୍ତରର ନେତା ପ୍ରତ୍ୟେକ ଦିନ ନବୀନ ନିବାସରେ ଡେରା ପକାଇ ଘଣ୍ଟା ଘଣ୍ଟା ଧରି ଆଲୋଚନା କରୁଛନ୍ତି।

ରାଜ୍ୟରେ କ୍ଷମତା ଦଖଲ ପରେ ଏବେ ପଞ୍ଚାୟତ, ବ୍ଲକ ଓ ଏନଏସି ଦଖଲ ପାଇଁ ଅଭିଯାନ ଆରମ୍ଭ କରିଛି ବିଜେପି। ତେଣୁ ନିଜର ଶକ୍ତି ବୃଦ୍ଧି ପାଇଁ ଯୋଡତୋଡ ରଣନୀତି ଆପଣାଇବାକୁ ଦଳ ଅଣ୍ଟା ଭିଡ଼ିଥିବା ଚର୍ଚ୍ଚା ହେଉଛି। ଯାହା ଆଗକୁ ବିଜେଡିକୁ ବ୍ୟାକଫୁଟକୁ ଠେଲିବ। ନୀଳଗିରି, ଧର୍ମଶାଳା, ରସୁଲପୁର ଭଳି କିଛି ବ୍ଲକରେ ଗଡବଡ ପଲିଟିକ୍ସ ଆରମ୍ଭ ହେଲାଣି। ଆଗକୁ ଏଠାରେ ଥିବା ବିଜେଡି ସମର୍ଥିତ ଅଧ୍ୟକ୍ଷଙ୍କ ଉପରେ ଅନାସ୍ଥା ଅସ୍ତ୍ର ପ୍ରୟୋଗ କରିବ ବିଜେପି। ଯାହା ବିଜେଡି ଦଳପତିଙ୍କ ଚିନ୍ତା ବଢାଇଛି।

ସୂଚନାଯୋଗ୍ୟ ଯେ, ଆଗକୁ ପଞ୍ଚାୟତ ନିର୍ବାଚନ। ପୁଣିଥରେ ତୃଣମୂଳସ୍ତରରେ ସଙ୍ଗଠନକୁ ମଜବୁତ କରିବାକୁ ବିଜେପି ଓ ବିଜେଡି ଏବେଠୁ ଆରମ୍ଭ କଲେଣି କସରତ। ବିଜେଡି ଦୁର୍ଗକୁ ବିଜେପି ଧସେଇ ପଶିବାକୁ ଉଦ୍ୟମ କରୁଥିବା ବେଳେ ନିଜ ଗଡ ରକ୍ଷା ପାଇଁ ନବୀନ ଦଳୀୟ ନେତା ଓ କର୍ମୀଙ୍କୁ ଦେଉଛନ୍ତି ଗୁରୁମନ୍ତ୍ରଣା।