କାଲି ପୁଣି ଓଡ଼ିଶା ଆସୁଛନ୍ତି ମୋଦୀ, ସୋମବାର ପୁରୀରେ ରୋଡ୍ ସୋ’ । ଏପଟେ ମଇଦାନକୁ ଓହ୍ଲାଇବେ ନବୀନ ।

118

କନକ ବ୍ୟୁରୋ: ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଶେଷ ହୋଇଛି । କିନ୍ତୁ ଅନ୍ୟପଟେ ପରବର୍ତ୍ତୀ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଜୋରଦାର କରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି ରାଜନୈତିକ ଦଳ । ବିଜେଡି, ବିଜେପି ଓ କଂଗ୍ରେସ ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଜୋରଦାର ପ୍ରଚାର କରିବାକୁ ଯୋଜନା କରିଛନ୍ତି ।

  • ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ କମ୍ପିବ ମଇଦାନ
  • ମୋଦୀ କରିବେ ରୋଡ ସୋ’
  • ସମାବେଶ କରିବେ ନବୀନ

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଶେଷ ହେବା ପରେ ସବୁ ଦଳର ନଜରରେ ଏବେ ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟରେ ହେବାକୁ ଥିବା ଆସନ ଉପରେ । ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟରେ ହେବାକୁ ଥିବା ୧୨ ଲୋକସଭା ଆସନ ଓ ୮୪ଟି ବିଧାନସଭା ଆସନ ଦଖଲ କରିବାକୁ ସବୁ ଦଳ ଆଗୁଆ ରଣନୀତି କରିଛନ୍ତି । ଅଧିକରୁ ଅଧିକ ଲୋକଙ୍କ ଆକୃଷ୍ଟ କରିବା ପାଇଁ ଜୋରଦାର ପ୍ରଚାର କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏହି କ୍ରମରେ ବିଜେପି ପାଇଁ ପ୍ରଚାର କରିବାକୁ ଆସୁଛନ୍ତି ଦଳର ସବୁଠାରୁ ବଡ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ଆସନ୍ତାକାଲି ପୁଣି ଭୁବନେଶ୍ୱର ଆସିବେ ମୋଦୀ । ସୋମବାର ପୁରୀରେ ରୋଡ ସୋ କରିବେ । ତା ପରେ କଟକ ଓ ଅନୁଗୁଳରେ ଜନସଭା କରିବାର କାର୍ଯ୍ୟକ୍ରମ ରହିଛି । ମୋଦୀଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଅନ୍ୟପଟେ ନବୀନ ମଧ୍ୟ ପରବର୍ତ୍ତୀ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ପାଇଁ ମଇଦାନକୁ ଓହ୍ଲାଇବେ । ଆସନ୍ତାକାଲି ନବୀନ କେନ୍ଦୁଝର ଆନନ୍ଦପୁର, ଭଦ୍ରକ, କଟକକୁ ଯିବାର କାର୍ଯ୍ୟକ୍ରମ ରହିଛି । ସେଠାରେ ଜନସଭା କରିବା ସହ ବିଜେଡିର ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ସେ ପୁଣି ଥରେ ସରକାରକୁ ଆସିଲେ କଣ କରିବେ, ସେ ନେଇ ଲୋକଙ୍କୁ ପ୍ରତିଶ୍ରୁତି ଦେବେ । ନବୀନ ପ୍ରଚାର ପାଇଁ ଆସୁଥିବା ଜାଣିବା ପରେ କର୍ମୀ ବେଶ୍ ଉତ୍ସାହିତ ଅଛନ୍ତି ।

ସୂଚନାଯୋଗ୍ୟ ଯେ, ଆଗକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ସମେତ ବିଜେପିର ବହୁ କେନ୍ଦ୍ରୀୟ ନେତା ଓଡିଶା ଆସିବାର କାର୍ଯ୍ୟକ୍ରମ ରହିଛି । ବିଭିନ୍ନ ସ୍ଥାନରେ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି ।