କନକ ବ୍ୟୁରୋ : ଗତକାଲି ନୂଆ ମନ୍ତ୍ରୀ ଶପଥ ନେଲେ, ଆଜି ନବୀନ ନିବାସରେ ବିଦାୟୀ ମନ୍ତ୍ରୀ ପହଞ୍ଚିଲେ । ଯାହା କିଛି ସମୟ ପାଇଁ ରାଜନୈତିକ ମହଲରେ ହଲଚଲ ସୃଷ୍ଟି କରିଥିଲା । କିନ୍ତୁ ନବୀନ ନିବାସରୁ ବିଦାୟୀ ମନ୍ତ୍ରୀ ବାହାରିବା ପରେ ପ୍ରକୃତ କଥା ସାମ୍ନାକୁ ଆସିଥିଲା । ବାସ୍ତବରେ ବିଦାୟୀ ମନ୍ତ୍ରୀ ମାନେ ନବୀନ ନିବାସରୁ ଡାକରା ପାଇବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଯାଇଥିଲେ । ପ୍ରତାପ ଜେନା, ଦିବ୍ୟଶଙ୍କର ମିଶ୍ର, ସୁଦାମ ମାରାଣ୍ଡି, ଜ୍ୟୋତି ପାଣିଗ୍ରାହୀ, ରଘୁନନ୍ଦନ ଦାସ, ପଦ୍ମନାଭ ବେହେରା, ଅରୁଣ ସାହୁଙ୍କ ପରି ବିଦାୟୀ ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ଆଉ ସମସ୍ତ ମନ୍ତ୍ରୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ନବୀନ ।
ଆଗକୁ ୨୦୨୪ ସାଧାରଣ ନିର୍ବାଚନ ରହିଛି । ତେଣୁ ବିଦାୟୀ ମନ୍ତ୍ରୀଙ୍କୁ ସଂଗଠନ ଦାୟିତ୍ୱ ବୁଝିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଦୁଇ ଚାରି ଦିନ ଭିତରେ ସଂଗଠନ ଦାୟିତ୍ୱ ଦିଆଯିବ ବୋଲି କହିଛନ୍ତି । କୋଭିଡ୍ ସମୟରେ ଗୁରୁ ଦାୟିତ୍ୱ ବହନ କରିଥିବାରୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହା ସହ ଆଶ୍ୱାସନା ଦେଇ ବିଦାୟୀ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ କହିଛନ୍ତି, ମନ୍ତ୍ରିମଣ୍ଡଳ ଅଦଳବଦଳ ଏକ ସ୍ୱାଭାବିକ ପ୍ରକ୍ରିୟା । ପ୍ରଦର୍ଶନ ଆଧାରରେ ମନ୍ତ୍ରିମଣ୍ଡଳ ଅଦଳବଦଳ କରାଯାଇନାହିଁ ।
ସେହିଭଳି ମନ୍ତ୍ରିମଣ୍ଡଳରୁ ବାଦ୍ ପଡିଥିବା ନେତା କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଆମକୁ ବ୍ୟଥିତ କରିନାହିଁ । ଦଳ ପାଇଁ ସାଙ୍ଗଠନିକ କାର୍ଯ୍ୟ ଜାରି ରହିବ । ମାନ୍ୟବର ମୁଖ୍ୟମନ୍ତ୍ରୀ ଯେଉଁ ଭରସା ଆମ ଉପରେ ରଖିଛନ୍ତି ଓ ଦାୟିତ୍ୱ ଦେଇଛନ୍ତି ତାହାକୁ ନିଶ୍ଚୟ ପୂରା କରିବୁ ।