ମୁଖ୍ୟମନ୍ତ୍ରୀଙ୍କୁ ହାତ ହଲାଇ ବାଏ ବାଏ କଲା ଜଗା ! ସୁସ୍ଥ ଅଛନ୍ତି ଦୁଇ ଶିଶୁ, ସୂଚନା ଦେଲେ ଡାକ୍ତର ଅଶୋକ ମହାପାତ୍ର

24

କନକ ବ୍ୟୁରୋ : ଦିଲ୍ଲୀ ଏମ୍ସରେ ଜଗାବଳିଆଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜଗା ବଳିଆଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଏମ୍ସ ଡାକ୍ତରଙ୍କ ସହ ଆଲୋଚନା କରିବା ପରେ ଜଗାବଳିଆଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ସନ୍ତୋଷ ପ୍ରକାଶ କରିଛନ୍ତି ନବୀନ । ଏହାସହ ଡାକ୍ତରୀ ଦଳଙ୍କୁ ସେମାନଙ୍କ ନିଷ୍ଠା ପାଇଁ ପ୍ରଶଂସା କରିବା ସହ ଓଡିଶା ବାସୀ ସେମାନଙ୍କୁ ସବୁ ଦିନ ପାଇଁ ମନେ ରଖିବେ ବୋଲି କହିଛନ୍ତି ନବୀନ । ଏମ୍ସରେ ଜଗା-ବଳିଆଙ୍କୁ ଭେଟିବା ବେଳେ ମୁଖ୍ୟମନ୍ତ୍ରୀ ଏକ ଭିନ୍ନ ମୁଡରେ ନଜରକୁ ଆସିଥିଲେ । ଜଗାକୁ ହାତ ହଲାଇ ମୁଖ୍ୟମନ୍ତ୍ରୀ ଡାକିବା ପରେ ଜଗା ମଧ୍ୟ ହାତ ହଲାଇଥିଲା । ଏପରିକି ମୁଖ୍ୟମନ୍ତ୍ରୀଙ୍କୁ ହାତ ହଲାଇ ବାଏ ବାଏ କରିଥିଲା ଜଗା । ଏହାପରେ ଜଗାବଳିଆଙ୍କ ବାପାମାଙ୍କ ସହ ମଧ୍ୟ ମୁଖ୍ୟମନ୍ତ୍ରୀ ଆଲୋଚନା କରିବା ସହ ସେମାନଙ୍କ ଚିକିତ୍ସା ପାଇଁ ଆବଶ୍ୟକ ଅନୁସାରେ ଅଧିକ ସହାୟତା ରାଜ୍ୟ ସରକାର ଯୋଗାଇ ଦେବେ ବୋଲି ସେ ଆଶ୍ୱାସନା ଦେଇଛନ୍ତି ।

ସାରା ଓଡିଶା ଏହି ଯାଆଁଲା ଭାଇଙ୍କ ମଙ୍ଗଳ କାମନା କରି ପ୍ରାର୍ଥନା କରୁଛନ୍ତି ବୋଲି ମଧ୍ୟ ସେମାନଙ୍କୁ ନବୀନ ପଟ୍ଟନାୟକ କହିଛନ୍ତି । ଅନ୍ୟପଟେ ଜଗାବଳିଆଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିବା ସହ ବିପଦମୁକ୍ତ ହୋଇଥିବା କହିଛନ୍ତି ଡାକ୍ତର ଅଶୋକ ମହାପାତ୍ର । ଭେଂଟିଲେଟରରୁ ବଳିଆକୁ ବାହାର କରାଯାଇଛି । ଦ୍ୱିତୀୟ ପର୍ଯ୍ୟାୟ ଅପରେସନର ଗୋଟିଏ ମାସ ପରେ ବଳିଆ ଗତକାଲି ଭେଂଟିଲେଟରରୁ ବାହାରିଛି । ତାକୁ ଆଇସିୟୁରେ ରଖାଯାଇ ଚିକିତ୍ସା ଚାଲିଛି । ଆଇସିୟୁରେ ତାକୁ ନାକବାଟେ ମହୁ ଓ କ୍ଷୀର ଦିଆଯାଉଥିବା ବେଳେ ଜଗାର ମଧ୍ୟ ସ୍ୱାସ୍ଥ୍ୟବସ୍ଥାରେ ସନ୍ତୋଷ ଜନକ ଉନ୍ନତି ଆସିଛି ।