ରାଜ୍ୟପାଳଙ୍କୁ ଭେଟିଲେ ନବୀନ । ୧୧୨ ବିଧାୟକଙ୍କ ସମର୍ଥନ ତାଲିକା ସହ ସରକାର ଗଠନ ନେଇ ଜଣାଇଲେ ଦାବି

198

କନକ ବ୍ୟୁରୋ: ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଭେଟିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସରକାର ଗଠନ ନେଇ ରାଜ୍ୟପାଳଙ୍କ ନିକଟରେ ଦାବି ଜଣାଇଲେ ନବୀନ । ଆଉ ଏହାସହ ୧୧୨ ବିଧାୟକଙ୍କ ସମର୍ଥନ ତାଲିକା ମଧ୍ୟ ରାଜ୍ୟପାଳଙ୍କୁ ପ୍ରଦାନ କରିଛନ୍ତି ବିଜେଡି ବିଧାୟକ ଦଳ ନେତା ।

ଏହାପୂର୍ବରୁ ବିଜେଡି ବିଧାୟକ ଦଳ ନେତା ନିର୍ବାଚିତ ହୋଇଥିଲେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ପଞ୍ଚମ ଥର ପାଇଁ ବିଧାୟକ ଦଳ ନେତା ନିର୍ବାଚିତ ହୋଇଛନ୍ତି ନବୀନ ପଟ୍ଟନାୟକ । ନବୀନ ନିବାସରେ ହୋଇଥିବା ବିଧାୟକ ଦଳ ବୈଠକରେ ନବୀନଙ୍କ ନାଁ ପ୍ରସ୍ତାବ ଦେଇଥିଲେ ବିକ୍ରମ ଆରୁଖ । ବିଜେଡିର ନବ ନିର୍ବାଚିତ ୧୧୨ ବିଧାୟକ ବୈଠକରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଦଳର ନେତା ପାଇଁ ପ୍ରସ୍ତାବ ପାରିତ କରାଇଛନ୍ତି । ନେତା ନିର୍ବାଚିତ ହେବା ପରେ ବିଧାୟକମାନଙ୍କୁ ଧନ୍ୟବାଦ ଦେଇଛନ୍ତି ନବୀନ ।

ବିଧାୟକ ଦଳ ନେତା ନିର୍ବାଚିତ ହୋଇଥିବା ନବୀନ ଆସନ୍ତା ୨୯ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ନିଜ ମନ୍ତ୍ରୀମଣ୍ଡଳ ସହ ପ୍ରଦର୍ଶନୀ ପଡିଆରେ ଶପଥ ନେବେ ନବୀନ । ଏହି ଶପଥଗ୍ରହଣ ଉତ୍ସବରେ ୫୦୦୦ରୁ ଅଧିକ ଲୋକ ଉପସ୍ଥିତ ରହିବେ । ଏହାକୁ ଦୃଷ୍ଟିରେ ରଖି ପ୍ରଦର୍ଶନୀ ପଡିଆରେ କଡ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।