ଡିଏମକେ ମୁଖିଆ କରୁଣାନିଧିଙ୍କ ଦେହାନ୍ତ ଖବର ଯେତେବେଳେ ସମସ୍ତଙ୍କୁ ଦୁଃଖ ଦେଇଛି ଠିକ ସେତିକିବେଳେ ଯେଉଁ ରାଜନୀତିର ଭିତ୍ତିଭୂମି ସେ ସ୍ଥାପନ କରିଥିଲେ ତାର ଗୁରୁତ୍ୱ ସମସ୍ତେ ବେଶ ଅନୁଭବ ମଧ୍ୟ କରୁଛନ୍ତି । ତାମିଲ ଭାଷା ଏବଂ ଆଂଚଳିକ ସ୍ୱାର୍ଥ ଓ ସ୍ୱାଭିମାନକୁ ପ୍ରସଙ୍ଗ କରି ସେ ଏକ ଆଂଚଳିକ ରାଜନୀତିର ମୂଳଦୁଆ ରଖିଥିଲେ । ଯାହାର ଗୁରୁତ୍ୱକୁ ଯଦି ୨୦୧୮ରେ ଅନୁଶୀଳନ କରାଯାଏ ତେବେ ଗୋଟିଏ କଥା କୁହାଯାଇ ପାରିବ, ବିନା ଆଂଚଳିକ ଦଳର ସହଯୋଗରେ ଜାତୀୟ ଦଳମାନେ ରାଜନୀତିରେ ଗୈାଣ ହେଉଛନ୍ତି । ହୁଏତ ୨୦୧୪ ସାଧାରଣ ନିର୍ବାଚନ ଏହାର ଏକ ବ୍ୟତିକ୍ରମ ହୋଇପାରେ କିନ୍ତୁ ୨ ଦଶନ୍ଧି ତଳର କଥା ମନେ ପକାନ୍ତୁ, ଯେଉଁ ସମୟରେ ଆଂଚଳିକ ଦଳ ହାତରେ ଚାବିକାଠି ରହୁଥିଲା ଆଉ ଜାତୀୟ ଦଳ ସେମାନଙ୍କ ବିନା ସହଯୋଗରେ କାର୍ଯ୍ୟ କରିବା ମୁସ୍କିଲ ହୋଇପଡୁଥିଲା ।

Advertisment

publive-image

ସଂଖ୍ୟାଖେଳ
ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପରିପ୍ରେକ୍ଷୀରେ କଂଗ୍ରେସ ଓ ବିଜେପି ଭଳି ଜାତୀୟ ଦଳ ଗୁଡିକ ଆଂଚଳିକ ଦଳର ଗୁରୁତ୍ୱକୁ ଅନୁଭବ କରିଛନ୍ତି । କାରଣ ସଂଖ୍ୟା ଖେଳରେ ବିଜେଡି, ଏଆଇଏଡିଏମକେ, ଟିଆରଏସ, ସମାଜବାଦୀ ପାର୍ଟି, ଶିବସେନା, ଡିଏମକେ, ଟିଡିପି, ପିଡିପି, ଭଳି ଦଳକୁ ନିଜ ସପକ୍ଷରେ ନରଖିଲେ ଜାତୀୟ ସମୀକରଣ ବିଗିଡିଯିବାର ଯେଉଁ ଆଶଙ୍କା ତିଆରି ହୋଇଛି, ତାକୁ ବେଶ ଭଲଭାବେ ବୁଝିଛନ୍ତି ଅମିତ ଶାହା ଆଉ ରାହୁଲ ଗାନ୍ଧୀ । ୨୦୧୯ ପୂର୍ବରୁ ଯେତେବେଳେ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ଆସିଛି ତେଣୁ ଉଭୟ ୟୁପିଏ ଓ ଏନଡିଏକୁ ନିଜ ସପକ୍ଷରେ ନେବାକୁ ଉଦ୍ୟମ ଆରମ୍ଭ ହୋଇଛି ।

publive-image

ନୀତିଶ-ନବୀନ ଫୋନକଲ୍
ଜାତୀୟ ରାଜନୀତିରେ ବିଜେଡି ସାଂସଦଙ୍କ ଗୁରୁତ୍ୱ କଣ, ଏହାକୁ ନେଇ ଅନେକ ବାର ବିତର୍କ ହୋଇଛି । ଲୋକସଭା ଆଉ ରାଜ୍ୟସଭାରେ ୨୮ ସାଂସଦ ଥାଇ କଣ ହାସଲ କରିଛି ବିଜେଡି? ଏହାର ଉତ୍ତର ଆଜି ଯେତେବେଳେ ଆସୁଛି, ସେତେବେଳେ କୁହାଯାଇ ପାରିବ, ଜାତୀୟ ରାଜନୀତିରେ କିଙ୍ଗମେକର ଭୂମିକାରେ ବିଜେଡି ମୁଖିଆ ନବୀନ ପଟ୍ଟନାୟକ ଆସିଲେଣି, ଏଥିରେ କୈଣସି ଦ୍ୱିମତ ନାହିଁ ।
ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପରିପ୍ରେକ୍ଷୀରେ ଜେଡିୟୁ ସୁପ୍ରିମୋ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଫୋନରେ ଆଲୋଚନା କରି ସମର୍ଥନ ଲାଗିଲେ । ଜେଡିୟୁ ସାଂସଦ ହରିବଂଶ ନାରାୟଣ ସିଂଙ୍କୁ ଏନଡିଏ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପାଇଁ ପ୍ରାର୍ଥୀ କରାଯାଉଥିବା ବେଳେ ନୀତିଶ ଲୋଡିଛନ୍ତି ବିଜେଡିର ୯ ସାଂସଦଙ୍କ ସମର୍ଥନ । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, ୨୦୧୨ରେ ଯେତେବେଳେ ପି. ଏ. ସାଙ୍ଗମାଙ୍କୁ ବିଜେଡି ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ କରିଥିଲା ସେତେବେଳେ ଜେଡିୟୁ ସମର୍ଥନ ଦେଇନଥିଲା, ଆଉ ଏବେ ବଲ ନବୀନଙ୍କ କୋର୍ଟରେ ।

publive-image

କଥା ହେଲେ ଶାହା-ରାଜନାଥ
ନୀତିଶ କଥା ହେବାର କିଛି ଘଂଟା ଭିତରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଓ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହୋଇ ଏନଡିଏ ପାଇଁ ସମର୍ଥନ ମାଗିଲେ । ଏହି ଫୋନର ଅର୍ଥ ବୁଝନ୍ତୁ । ଯେତେବେଳ ରାଜ୍ୟରେ ବିଜେପି ଆଉ ବିଜେଡି ମଧ୍ୟରେ ଏକ କଡା ପ୍ରତିଦ୍ୱନ୍ଦ୍ୱିତା ଚାଲିଛି, ଠିକ ସେତିକିବେଳେ ଦିଲ୍ଲୀ ବୁଝିଛି ନବୀନଙ୍କ ଆବଶ୍ୟକତା କଣ ରହିଛି । କାରଣ ଯେଉଁ ରାଜନୀତିର ମୂଳଦୁଆ ନବୀନ ଏଠି ପକାଇଛନ୍ତି ସେହି ଗଡ ଏତେ ଶୀଘ୍ର ଭାଙ୍ଗିବନି ବୋଲି ବୋଧହୁଏ ବିଜେପିର ଜାତୀୟ ସ୍ତରରେ ନେତା ବୁଝିଲେଣି ।

publive-image

ୟୁପିଏ କ୍ୟାମ୍ପରୁ ଫୋନ
କଥା ଖାଲି ଏନଡିଏ କ୍ୟାମ୍ପରେ ସୀମିତ ନାହିଁ, ୟୁପିଏ କ୍ୟାମ୍ପ ମଧ୍ୟ ନବୀନଙ୍କୁ ନିଜ ସପକ୍ଷରେ ନେବାକୁ ଉଦ୍ୟମ ଆରମ୍ଭ କରିଛି । ଏନସିପି ନେତା ଶରଦ ପାୱାର ନିଜେ କଥା ହୋଇଛନ୍ତି ବିଜେଡି ମୁଖିଆଙ୍କ ସହିତ । ଚର୍ଚ୍ଚା ଅନୁସାରେ, ଏନଡିଏ ପ୍ରାର୍ଥୀଙ୍କ ବିପକ୍ଷରେ ୟୁପିଏ ଏନସିପି ସାଂସଦଙ୍କୁ ମୈଦାନକୁ ଓହ୍ଲାଇବ । ତେଣୁ ସଂଖ୍ୟା ଯୋଗାଡ ପାଇଁ ୟୁପିଏ ଯେତିକି ଜୋର ଦେଉଛି ସେତିକି ଜୋର ଶରଦ ପାୱାରଙ୍କ ଠାରୁ ମଧ୍ୟ ଦେଖିବାକୁ ମିଳୁଛି । ବିଜେଡି ଭଳି ଯେଉଁ ଦଳ ଗୁଡିକ ବର୍ତ୍ତମାନ ସୁଦ୍ଧା କୈାଣସି ନିଷ୍ପତ୍ତି ନେଇନାହାନ୍ତି ସେମାନଙ୍କୁ ନିଜ ସପକ୍ଷରେ ରଖିବାକୁ ଆରମ୍ଭ ହୋଇଛି ଉଦ୍ୟମ ।

publive-image

ଆଜି ବିଜେଡିର ନିଷ୍ପତ୍ତି
ଦିଲ୍ଲୀର ନଜର ଏବେ ଭୁବନେଶ୍ୱର ଉପରେ । ଅର୍ଥାତ୍ ଉଭୟ କଂଗ୍ରେସ ଓ ବିଜେପି ତୀକ୍ଷ୍ଣ ନଜର ରଖିଛନ୍ତି କଣ ରହିବ ବିଜେଡିର ଆଭିମୁଖ୍ୟ । ଖାସ କରି ମୁମ୍ବାଇରେ ମେକ ଇନ ଓଡିଶା ପାଇଁ ସିନା ନବୀନ ପୁଂଜି ଆଣିବାକୁ ଯାଇଛନ୍ତି, ହେଲେ ଦେଶର ବାଣିଜ୍ୟ ରାଜଧାନୀରେ ରାଜନୈତିକ ପାରାକୁ ବଢାଇ ଦେଇଛନ୍ତି । ଉଭୟ ୟୁପିଏ ଆଉ ଏନଡିଏ କ୍ୟାମ୍ପରୁ ନବୀନ ଯେତେବେଳେ ଫୋନକଲ ପାଉଛନ୍ତି, ଠିକ ସେହି ସମୟରେ ନିଷ୍ପତ୍ତି କଣ ନିଆଯିବ, ତାର ଗୁରୁତ୍ୱ ମଧ୍ୟ ବଢିଯାଉଛି । ବିଜୁ ଜନତା ଦଳର ସାଂସଦଙ୍କ ଆଭିମୁଖ୍ୟ କଣ ରହିବ, ସେନେଇ ଦଳ ମୁଖିଆ ଆଜି ସ୍ପଷ୍ଟ କରିବେ ।

publive-image

କଣ ହୋଇପାରେ ନିଷ୍ପତ୍ତି?
କଣ ହେବ ବିଜେଡି ମୁଖିଆଙ୍କ ନିଷ୍ପତ୍ତି । ଏନଡିଏ ସହ ରହିବେ ନା ୟୁପିଏକୁ ଯିବେ? ପ୍ରାୟ ଗୋଟିଏ ଦଶନ୍ଧି ଧରି ଯେଉଁ ସମଦୁରତ୍ୱର ନୀତିକୁ ଆଧାର କରି ନବୀନ ରାଜନୀତିରେ ଆଗକୁ ବଢୁଛନ୍ତି ସେତିକି ବେଳେ ଏହା ଏକ ଘଡିସନ୍ଧି ମୁହୂର୍ତ୍ତ ବୋଲି କୁହାଯାଇପାରେ । କାରଣ ନିଷ୍ପତ୍ତି ନେବା ହୁଏତ ଏତେ ସହଜ ନୁହେଁ । କାରଣ ୟୁପିଏକୁ ସମର୍ଥନ କଲେ ଏହାର ଭିନ୍ନ ଅର୍ଥ ବାହାରିବ, ଏନଡିଏକୁ ସମର୍ଥନ କଲେ ମେଂଟ ଚର୍ଚ୍ଚା ଆର୍ଭ ହେବ ଆଉ ଭୋଟଦାନରୁ ବିରତ ରହିଲେ, ଏହା ନିର୍ଦ୍ଦିଷ୍ଟ ଏକ କ୍ୟାମ୍ପକୁ ସମର୍ଥନ କଲାଭଳି ହୋଇପାରେ । ବୋଧହୁଏ ଅନେକ ଦିଗକୁ ଚିନ୍ତା କରି ଏକ ମାଷ୍ଟରଷ୍ଟ୍ରୋକ ଆସିପାରେ ନବୀନଙ୍କ କ୍ୟାମ୍ପରୁ ।

naveen

ଏନଡିଏକୁ ସମର୍ଥନ କଲେ...
ଜେଡିୟୁ ପ୍ରାର୍ଥୀଙ୍କୁ ଯଦି ନବୀନ ସମର୍ଥନ ଦିଅନ୍ତି ତେବେ ବିଜେପି-ବିଜେଡି ପୁଣି ଏକାଠି ହେଉଥିବା ଚର୍ଚ୍ଚା ଆରମ୍ଭ ହେବ । ତେବେ କେଉଁ ଯୁକ୍ତି ବା ଆଧାର ବଳରେ ନବୀନ ଏହି ନିଷ୍ପତ୍ତି ନେବେ ତାର ଗୁରୁତ୍ୱ ବେଶୀ । କାରଣ, ୨୦୧୨ରେ ବିଜେଡିର ରାଷ୍ଟ୍ରପତି ପ୍ରାର୍ଥୀ ପି. ଏ. ସାଙ୍ଗମାଙ୍କୁ ଜେଡିୟୁ ସମର୍ଥନ ଦେଇନଥିଲା । ଯଦିଓ ସେତେବେଳେ ବିଜେପି, ସାଙ୍ଗମାଙ୍କ ସପକ୍ଷରେ ବାହାରିଥିଲା, ଯାହା ବଦଳରେ ରାମନାଥ କୋବିନ୍ଦଙ୍କୁ ବିଜେଡି ସମର୍ଥନ ଦେଇଥିଲା । ଆଉ ଏବେ ଏନଡିଏ ସପକ୍ଷରେ ବିଜେଡି ବାହାରିଲେ ଯୁକ୍ତି ବା ଆଧାର କଣ ହେବ?

publive-image

ୟୁପିଏକୁ ସମର୍ଥନ ଦେଲେ...
ଯଦି ବିଜେଡି ୟୁପିଏକୁ ସମର୍ଥନ ଦେଉଛି, ତେବେ ବୁଝାପଡିବ ମୋଦି ବିରୋଧୀ କ୍ୟାମ୍ପକୁ ଢଳୁଛି ବିଜେଡି । ଯାହାର ସମ୍ଭାବନା ଖୁବ କମ । ଯେହେତୁ ଶରଦ ପାୱାର ଫୋନ କରି ଏନସିପି ପ୍ରାର୍ଥୀଙ୍କ ପାଇଁ ସମର୍ଥନ ମାଗିଛନ୍ତି, ତେଣୁ ନିଷ୍ପତ୍ତି ନେବା ବେଳେ ଅତୀତର କଥାକୁ ମଧ୍ୟ ନବୀନ ମନେ ପକାଇବେ, ଆଉ ଏହାରି ଆଧାରରେ ନିଷ୍ପତ୍ତି ନେବାର ସମ୍ଭାବନା ରହୁଛି ।

publive-image

ବିରତ ରହିବା ସହଜ ନୁହେଁ
ବଡ କଥା ହେଉଛି ସମଦୁରତ୍ୱ ନୀତି ଆଧାରରେ ଭୋଟଦାନରୁ ବିରତ ରହିବା ନିଷ୍ପତ୍ତି ଏତେ ସହଜ ହେବନାହିଁ । କାରଣ ବିଜେଡି ଯଦି ଭୋଟଦାନରୁ ବିରତ ରୁହେ ତେବେ ଏହା ପରୋକ୍ଷରେ ୟୁପିଏକୁ ସୁହାଇବ । କାରଣ ସଂଖ୍ୟା ଖେଳରେ ବିଜେପି ଠାରୁ କଂଗ୍ରେସ ଆଗରେ ରହିଛି । ତେଣୁ ୨୦୧୯ ପୂର୍ବରୁ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ଏଭଳି ଏକ ମୁଦ୍ଦା ଯାହାର ନିଷ୍ପତ୍ତି ନେବା ଏତେ ସହଜ ନୁହେଁ ।

publive-image

ନୀତିଶ ଓ ନବୀନଙ୍କ ସଂପର୍କ
ମୂଳ ଜନତା ଦଳରୁ ସୃଷ୍ଟି ହୋଇଥିବା ଏକାଧିକ ଦଳ ଭିତରୁ ଜେଡିୟୁ ଓ ବିଜେଡି ଗୋଟିଏ । ଉଭୟ ନୀତିଶ ଆଉ ନବୀନଙ୍କ ମଧ୍ୟରେ ଜନତା ଦଳର ସେହି ସଂପର୍କ ରହିଆସିଛି । ଆଉ ମଝିରେ ତ ଏଭଳି ଚର୍ଚ୍ଚା ଆରମ୍ଭ ହୋଇଥିଲା, ମୂଳ ଜନତା ଦଳକୁ ଏକାଠି କରିବା ପାଇଁ । ନବୀନ ନିବାସରେ ନୀତିଶ କୁମାର ଓ ଶରଦ ଯାଦବ ଆସି ନବୀନଙ୍କ ସହ ଆଲୋଚନା ମଧ୍ୟ କରିଥିଲେ ତେଣୁ ନୀତିଶ ଓ ନବୀନଙ୍କ ମଧ୍ୟରେ ଏକ ଉତ୍ତମ ସଂପର୍କ ମଧ୍ୟ ରହିଛି । ଲୋକସଭାର ପୂର୍ବତନ ବାଚସ୍ପତି ରବି ରାୟଙ୍କ ଶେଷକୃତ୍ୟରେ ଯୋଗଦେବାକୁ ଆସିଥିବା ନୀତିଶ, ନବୀନଙ୍କୁ ଭେଟିବାକୁ ଭୁଲିନଥିଲେ ।

publive-image

ଶରଦଙ୍କ ସହ ନବୀନଙ୍କ ସଂପର୍କ
୨୦୦୯ରେ ଏନସିପି ସହ ଶରଦ ପାୱାରଙ୍କ ଦଳ ଏନସିପି ବୁଝାମଣା କରିଥିଲା । ୪ଟି ଆସନରେ ଏନସିପି ପ୍ରାର୍ଥୀ ଜିତିଥିଲେ । ୨ ବର୍ଷ ଧରି ମେଂଟରେ ଅଂଶୀଦାର ମଧ୍ୟ ଥିଲେ । ହେଲେ ପରବର୍ତ୍ତୀ ପର୍ଯ୍ୟାୟରେ ଯେଉଁ ରାଜନୈତିକ ଘଟଣାମାନ ଘଟିଲା ତାହା ମେଂଟରେ ଫାଟ ଆଣିଲା ଆଉ ଏନସିପି-ବିଜେଡି ମେଂଟ ଭାଙ୍ଗିଗଲା । ଆଉ ଏହା ସ୍ପଷ୍ଟ ଦର୍ଶାଉଛି ଅତୀତରେ ଏହି ଦୁଇ ଦଳ ଭିତରେ ତିକ୍ତତା ଥିଲା, କିନ୍ତୁ ଏବେ ସଂପର୍କରେ ସୁଧାର ପାଇଁ ପୁଣି ଉଦ୍ୟମ ଆରମ୍ଭ ହେଉଛି । ଆଉ ନିଷ୍ପତ୍ତି ନେଲାବେଳେ ନବୀନଙ୍କ ସାମ୍ନାରେ ଏହି ଦିଗର ମଧ୍ୟ ଗୁରୁତ୍ୱ ରହିବ ।

publive-image

କଣ କହୁଛି ବିଜେଡି?
ବିଜେଡି ମୁଖପାତ୍ର ସସ୍ମିତ ପାତ୍ରଙ୍କ କହିବା ଅନୁସାରେ, ଦଳର ସୁପ୍ରିମୋ ଯେଉଁ ନିଷ୍ପତ୍ତି ଗ୍ରହଣ କରିବେ, ତାହା ରାଜ୍ୟର ସାମଗ୍ରିକ ବିକାଶ ଆଉ ସ୍ୱାର୍ଥ ଦୃଷ୍ଟିରୁ ଗ୍ରହଣ କରାଯିବ । ଯେହେତୁ ଏହା ଏକ ସାମ୍ବିଧାନିକ ପଦ ପାଇଁ ନିର୍ବାଚନ, ତେଣୁ ରାଜନୀତିକ ଦୃଷ୍ଟିରୁ ନିଷ୍ପତ୍ତି ହେବନାହିଁ । ଆଜି ଦଳୀୟ ସୁପ୍ରିମୋ ସ୍ଥିତି ସ୍ପଷ୍ଟ କରିବେ, ସଂସଦରେ ୯ ବିଜେଡି ସାଂସଦଙ୍କ ଆଭିମୁଖ୍ୟ କଣ ରହିବ ।

publive-image

କଣ କହୁଛି ବିଜେପି?
ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି, ସାମ୍ବିଧାନିକ ପଦ ପାଇଁ ହେଉଥିବା ଏହି ନିର୍ବାଚନରେ ସମର୍ଥନ ହାସଲ କରିବାକୁ ଦଳ ସମସ୍ତ ରାଜନୈତିକ ଦଳଙ୍କ ଯୋଗାଯୋଗ କରୁଛି । ତେଣୁ ରାଜ୍ୟ ରାଜନୀତି ସହ ଏହାର କିଛି ସଂପର୍କ ନାହିଁ । ବିଜେଡି ନିଷ୍ପତ୍ତି ଯଦି ଏନଡିଏ ସପକ୍ଷରେ ଯାଏ ତେବେ ଏହାର ଅର୍ଥ ନୁହେଁ ଯେ ଆଗାମୀ ଦିନରେ ଦଳ ସହ ମେଂଟ ହେବ ।

publive-image

କଣ କହୁଛି କଂଗ୍ରେସ?
କଂଗ୍ରେସ ନେତା ପ୍ରଦୀପ ମାଝୀଙ୍କ କହିବା କଥା, ଯାହା ଜଣାପଡୁଛି ବିଜେଡିର ନିଷ୍ପତ୍ତି ଏନଡିଏ ସପକ୍ଷରେ ଯାଇପାରେ । କାରଣ ୟୁପିଏ ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ କରିବାର ସମ୍ଭାବନା କମ । ଅତୀତର କିଛି ଉଦାହରଣ ଦେଇ ଏହି ଯୁକ୍ତି ପ୍ରଦୀପ ମାଝୀ ଉପସ୍ଥାପନ କରୁଥିଲେ, ଯାହାର ଅର୍ଥ କଂଗ୍ରେସ ମଧ୍ୟ ଭଲଭାବେ ଜାଣିଛି, ବିଜେଡିର ସମର୍ଥନ ପାଇବା ସମ୍ଭାବନା କମ ।

publive-image

ଆଉ ଏହାରି ଭିତରେ ସମସ୍ତଙ୍କ ନଜର ବିଜେଡି ମୁଖିଆଙ୍କ ନିଷ୍ପତ୍ତି ଉପରେ । ଏନଡିଏ ନା ୟୁପିଏ କାହା ସପକ୍ଷରେ ଯିବେ ନବୀନ । ନା ଶେଷ ମୁହୁର୍ତ୍ତରେ ଏଭଳି କିଛି ହେବ ଯେଉଁଠି ବିଜେଡିର ପ୍ରାର୍ଥୀ ସାମ୍ନାକୁ ଆସିବେ, ଆଉ ନବୀନ କିଙ୍ଗମେକର ହୋଇ ଜାତୀୟ ରାଜନୀତିରେ ନିଜ ସ୍ଥିତିକୁ ଆହୁରି ମଜଭୁତ କରିବେ ।