ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନିର୍ଦ୍ଧାରଣ କରିବ ବିଧାୟକ ଦଳ ନେତାଙ୍କ ଭାଗ୍ୟ । କିଏ ଜିତିବ ଭୋଟରଙ୍କ ଭରସା?

130

କନକ ବ୍ୟୁରୋ : ଆଉ ମାତ୍ର ଦିନ ଦୁଇଟା ପରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ହେବ ଭୋଟଗ୍ରହଣ । ଏହି ପର୍ଯ୍ୟାୟରେ ମୋଟ ୫ଟି ଲୋକସଭା ଓ ୩୫ଟି ବିଧାନସଭା ଆସନରେ ନେତା ବାଛିବା ପାଇଁ ଭୋଟର ଦେବେ ଭୋଟ । ୨ୟ ପର୍ଯ୍ୟାୟରେ ଅନେକ ହେଭିୱେଟ ନେତା ନିଜର ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି । ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନର ଗୁରୁତ୍ୱ ଏଥିପାଇଁ ବଢିଯାଇଛି କାରଣ ଏହି ପର୍ଯ୍ୟାୟରେ ରାଜ୍ୟର ୩ ପ୍ରମୁଖ ଦଳର ବିଧାୟକ ଦଳ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର ।

ଦ୍ୱିତୀୟ ପର୍ଯ୍ୟାୟରେ ଯେଉଁ ଆସନ ଗୁଡିକରେ ନିର୍ବାଚନ ହେବାକୁ ଯାଉଛି ତାହା ମଧ୍ୟରୁ ବିଜେପୁର, ହିଞ୍ଜିଳି, ପାଟଣାଗଡ ଓ ବଲାଙ୍ଗୀର ଆସନକୁ ନେଇ ଅଧିକ ଚର୍ଚ୍ଚା ହେଉଛି । ବିଜେପୁର ଓ ହିଞ୍ଜିଳିରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମୈଦାନକୁ ଓହ୍ଲାଇଥିବା ବେଳେ ପାଟଣାଗଡ ଆସନରୁ ବିଜେପିର ଟାଣୁଆ ନେତା କନକ ବର୍ଦ୍ଧନ ସିଂହଦେଓ ନିର୍ବାଚନ ଲଢୁଛନ୍ତି । ସେହିଭଳି ବଲାଙ୍ଗୀର ଆସନରୁ କଂଗ୍ରେସର ପୁରୁଖା ନେତା ନରସିଂହ ମିଶ୍ର ପୁଣିଥରେ ନିର୍ବାଚନ କୁରୁକ୍ଷେତ୍ରରେ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି । କିନ୍ତୁ ଏହି ୩ ନେତାଙ୍କ ମଧ୍ୟରେ ଗୋଟିଏ ସମାନତା ହେଉଛି, ଏହି ୩ ନେତାଙ୍କୁ ୩ ପ୍ରମୁଖ ଦଳର ବିଧାୟକ ଦଳ ନେତା ଭାବେ ଦେଖିବାକୁ ପାଇଛନ୍ତି ଭୋଟର ।

ହିଞ୍ଜିଳି ଓ ବିଜେପୁର ଆସନରୁ ବିଜେଡି ସୁପ୍ରିମୋ ମୈଦାନକୁ ଓହ୍ଲାଇଥିବା ବେଳେ ଗତ ୧୯ ବର୍ଷ ଧରି ବିଜେଡିର ବିଧାୟକ ଦଳ ନେତା ଭାବେ ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରୁଛନ୍ତି ନବୀନ । ଏପରିକି ବିଧାନସଭାରେ ଦୀର୍ଘ ୧୯ ବର୍ଷ ଧରି ଗୃହର ନେତା ରହି ଆସିଛନ୍ତି ନବୀନ । ସେହିଭଳି ବଲାଙ୍ଗୀର ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିବା ନରସିଂହ ମିଶ୍ର ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ କଂଗ୍ରେସର ବିଧାୟକ ଦଳ ନେତା ଥିବା ବେଳେ ବିଧାନସଭାରେ ବିରୋଧୀ ଦଳ ନେତା ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ । ୨୦୧୪ରେ କଂଗ୍ରେସ ମାତ୍ର ୧୭ଟି ଆସନ ହାତେଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ବିଜେପିର ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ ମଧ୍ୟ ମୈଦାନକୁ ଓହ୍ଲାଇଛନ୍ତି । ପାଟଣାଗଡରୁ କନକବର୍ଦ୍ଧନ ପୁଣିଥରେ ବିଜୟ ବାନା ଉଡାଇବାକୁ ଜୋରଦାର ଉଦ୍ୟମ ଆରମ୍ଭ କରିଛନ୍ତି । ୨୦୧୪ରେ ବିଜେପି ମାତ୍ର ୧୦ଟି ଆସନରେ ବିଜୟୀ ହୋଇଥିବା ବେଳେ କନକ ବର୍ଦ୍ଧନଙ୍କୁ ବିଜେପିର ବିଧାୟକ ଦଳ ନେତା ଭାବେ ଦାୟିତ୍ୱ ମିଳିଥିଲା ।

ତିନି ଦଳର ୩ ହେଭିୱେଟ ନେତା ନିର୍ବାଚନ କୁରୁକ୍ଷେତ୍ରରେ ନିଜର ଭାଗ୍ୟ ପରୀକ୍ଷା କରିବାକୁ ଓହ୍ଲାଇଥିବା ଭୋଟର କାହା ଖାତାରେ ନିଜର ମୂଲ୍ୟବାନ ମତ ଦେବେ ତାହା ଦେଖିବା ବାକି ରହିଲା ।