ଚର୍ଚ୍ଚାରେ ବିଜେପିର ୫ମ ପ୍ରାର୍ଥୀ ତାଲିକା । କୁରୁକ୍ଷେତ୍ରରୁ ଲଢିବେ ନବୀନ ଜିନ୍ଦଲ, ମଣ୍ଡିରୁ କଙ୍ଗନା ରାଣାୱତ । ରାମାୟଣ ସିରିଏଲର ରାମଙ୍କୁ ଟିକେଟ୍ ଦେଲା ବିଜେପି ।

287
କନକ ବ୍ୟୁରୋ: ଚର୍ଚ୍ଚାରେ ବିଜେପିର ୫ମ ପ୍ରାର୍ଥୀ ତାଲିକା । ଅଭିନେତ୍ରୀ, ଶିଳ୍ପପତି, କଳାକାର ଓ ପୀଡିତାଙ୍କୁ ଟିକେଟ ଦେଇ ଏଣିକି ଚର୍ଚ୍ଚାରେ ରହିଛି ଦଳ । ମଣ୍ଡିରୁ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ପ୍ରାର୍ଥୀ କରିଥିବାବେଳେ ବରିଷ୍ଠ କଳାକାର ଅରୁଣ ଗୋଭିଲଙ୍କୁ ଦଳ ଏଥରକ ଟିକେଟ ଦେଇଛି । ସେପଟେ ଶିଳ୍ପପତି ନବୀନ ଜିନ୍ଦଲ ଓ ସନ୍ଦେଶଖାଲି ପୀଡିତାଙ୍କୁ ପ୍ରାର୍ଥୀ କରିବା ଘଟଣା ବେଶ ଚର୍ଚ୍ଚା ସାଉଣ୍ଟିଛି ।
  • କୁରୁକ୍ଷେତ୍ରରୁ ନବୀନ ଜିନ୍ଦଲ, ମଣ୍ଡିରୁ କଙ୍ଗନା
  • ମେରଠରୁ ଅରୁଣ ଗୋଭିଲ, ସୁଲତାନପୁରରୁ ମେନକା
ଲୋକସଭା ନିର୍ବାଚନ ପାଇଁ ବିଜେପି ଜାରି କରିଛି ୫ମ ପ୍ରାର୍ଥୀ ତାଲିକା । ୧୧୧ଜଣ ପ୍ରାର୍ଥୀଙ୍କୁ ଟିକେଟ ଦେଇଛି ଦଳ । ତାଲିକାରେ ଏମିତି କିଛି ଚେହେରା ରହିଛନ୍ତି ଯେଉଁମାନେ କିଛି ଦିନ ହେବ ବେଶ ଚର୍ଚ୍ଚାରେ ରହିଥିଲେ । ସେମାନଙ୍କ ମଧ୍ୟରୁ ସବୁଠୁ ଆଗରେ ରହିଛନ୍ତି ଅଭିନେତ୍ରୀ କଙ୍ଗନା ରାଣାୱତ । ହିମାଚଳର ପ୍ରଦେଶ ମଣ୍ଡି ପାଇଁ ମିଳିଛି ବଲିଉଡ କୁଇନଙ୍କୁ ଟିକେଟ ।
ସେପଟେ ବରିଷ୍ଠ କଳାକାର ଅରୁଣ ଗୋଭିଲଙ୍କ ଉପରେ ବିଶ୍ୱାସ ପ୍ରକାଶ କରି ମେରଠରୁ  ପ୍ରାର୍ଥୀ କରିଛି ଦଳ । ସେହିପରି ବିଶିଷ୍ଠ ଶିଳ୍ପପତି ନବୀନ ଜିନ୍ଦଲଙ୍କୁ କୁରୁକ୍ଷେତ୍ରରୁ ଛିଡା କରିଛି ବିଜେପି । ଅନ୍ୟପଟେ ବରୁଣ ଗାନ୍ଧୀଙ୍କ ଟିକେଟ କାଟି ମା’ ତଥା ବରିଷ୍ଠ ନେତ୍ରୀ ମେନକା ଗାନ୍ଧୀଙ୍କୁ ସୁଲତାନପୁୁର ଟିକେଟ ଦେଇଛି ଦଳ । ସେହିପରି ପଶ୍ଚିମବଙ୍ଗ ସନ୍ଦେଶଖାଲୀ ପୀଡିତା ରେଖା ପାତ୍ରକୁ ବସୀରହାଟରୁ ଟିକେଟ ଦେଇ ଆଶ୍ଚର୍ଯ୍ୟ କରିଛି ।
  • ନୂଆ ଚେହେରା ସାମିଲ, କିଛି ପୁରୁଣା ପଡ଼ିଲେ ବାଦ୍
  • ଲୋକପ୍ରିୟତାକୁ ଗୁରୁତ୍ୱ, ସମୀକ୍ଷା ପରେ ନିଷ୍ପତ୍ତି
ବିଜେପି ସେମିତି କିଛି ଚେହେରାଙ୍କୁ ମଧ୍ୟ ଟିକେଟ ଦେଇଛି ଯେଉଁମାନେ ନିକଟରେ ବିଜେପିରେ ସାମିଲ ହୋଇଥିଲେ  । ସେମାନଙ୍କ ଭିତରେ ରହିଛନ୍ତି ଝାଡଖଣ୍ଡର ଅନ୍ୟତମ ଚର୍ଚ୍ଚିତ ରାଜନେତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭାଉଜ ସୀତା ସୋରେନ । ନିକଟରେ ଜେଏମଏମ ଓ ସୋରେନ ପରିବାର ବିରୋଧରେ ଅଭିଯୋଗ ଆଣି ସୀତା ଦଳ ଛାଡିଥିଲେ ଓ ପଦ୍ମ ଧରିଥିଲେ । ସେହିପରି କୋଲକାତା ହାଇକୋର୍ଟ ବିଚାରପତି ଅଭିଜିତ ଗଙ୍ଗୋପାଧାୟ ସମୟ ପୂର୍ବରୁ ଅବସର ନେଇଥିଲେ ଓ ବିଜେପି ସାମିଲ ହେବା ପରେ ଲୋକସଭା ନିର୍ବାଚନ ପାଇଁ ତମଲୁକରୁ ମିଳିଛି ଟିକେଟ ।  ଏହି ଭିତରେ ସମସ୍ତଙ୍କ ଅପେକ୍ଷା ଥିଲା ୱାୟନାଡରୁ ରାହୁଲ ଗାନ୍ଧୀଙ୍କ ବିରୋଧରେ ଦଳ କାହାକୁ ଛିଡା କରିବ ? ତେବେ କେରଳର ତୁଙ୍ଗ ନେତା କେ ସୁରେନ୍ଦ୍ରନଙ୍କୁ ଟିକେଟ ଦେଇ ବିଜେପି ।
ତେବେ ବିଜେପି ସେହି ସବୁ ଆସନ ଉପରେ ନଜର ରଖିଛି ଯେଉଁଥିରେ ଗତଥର ଭଲ ପ୍ରଦର୍ଶନ କରିନଥିଲା । ସେଥିପାଇଁ ୫ମ ତାଲିକାରେ ନୂଆ ଚେହେରାଙ୍କୁ ସାମିଲ କରିବା ସହ ଅନେକ ହାଇପ୍ରୋଫାଇଲ ଚେହେରାଙ୍କୁ ବାଦ ଦେଇଛି । କୁହାଯାଉଛି ଦଳୀୟ ନେତାଙ୍କ ଲୋକପ୍ରିୟତା କର୍ମନିଷ୍ଠା ଓ ନୂଆ ଚେହେରାଙ୍କ ଉପରେ ଅଧିକ ବିଶ୍ୱାସ ରଖି ଦଳ ଆଭ୍ୟନ୍ତରୀଣ ସମୀକ୍ଷା କରିବା ପରେ ଟିକେଟ ଦେଇଛି ।