ଆଉ ରହିବନି କୋଟିଆ କେଁ… ମିଳିତ ଭାବେ ବିବାଦର ସମାଧାନ ପାଇଁ ସମ୍ମତି ପ୍ରକାଶ କଲେ ଓଡିଶା-ଆନ୍ଧ୍ର ।

167

କନକ ବ୍ୟୁରୋ : ନବୀନ-ଜଗନ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଶେଷ । ଲୋକସେବା ଭବନରେ ଉଭୟ ଆନ୍ଧ୍ର ଓ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ  ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି । ଓଡିଶା ଓ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ପରେ ଜାରି ହୋଇଛି ମିଳିତ ବିବୃତି । ନବୀନ ଓ ଜଗନଙ୍କ ବୈଠକରେ ଦୁଇ ରାଜ୍ୟ ମଧ୍ୟରେ ଥିବା ସୀମା ବିବାଦ, ଜଳ ସମ୍ପଦ ବିବାଦ, ଶକ୍ତି ଓ ନକ୍ସଲ ପ୍ରସଙ୍ଗରେ ଆଲୋଚନା ହୋଇଛି । କିଭଳି ଦୁଇ ରାଜ୍ୟ ମଧ୍ୟରେ ଥିବା ବିବାଦର ସମାଧାନ କରାଯିବ ସେନେଇ ଆଲୋଚନା କରିଛନ୍ତି ଦୁଇ ରାଜ୍ୟର ମୁଖ୍ୟ  ।

ନବୀନ-ଜଗନଙ୍କ ଆଲୋଚନାରେ କୋଟିଆ ପ୍ରସଙ୍ଗ ମଧ୍ୟ ଉଠିଛି । ବିଶେଷ କରି କୋଟିଆ ଗ୍ରାମପୁଞ୍ଜ ବିବାଦକୁ ନେଇ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି । କିଭଳି ଏହି ବିବାଦର ସମାଧାନ ହେବ ଦୁଇ ରାଜ୍ୟ ମିଳିତ ଭାବେ କାର୍ଯ୍ୟ କରିବାକୁ ନିଷ୍ପତି ନେଇଛନ୍ତି । ସେହିପରି ନେରେଡି ବ୍ୟାରେଜ,ଝଂଝାବତୀ ରିଜରଭୟର, ପୋଲାଭରମ, ବାହୁଦା ନଦୀରେ ପାଣି ଛାଡିବା ପ୍ରସଙ୍ଗରେ ଆଲୋଚନା ହୋଇଛି । ଦୁଇ ରାଜ୍ୟ ମଧ୍ୟରେ ଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ, ଆନ୍ଧ୍ର ଓ ଓଡିଶାର ଜନସାଧାରଣଙ୍କ ସ୍ୱାର୍ଥକୁ ନଜରରେ ରଖି, ଦୁଇ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ନେଇ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବାକୁ ନିଷ୍ପତି ହୋଇଛି ।

ବାଲିମେଳା ଓ ଅପର ସିଲେରୁରେ ଶକ୍ତି ସମ୍ପଦକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବୁଝମଣା ହୋଇଛି । ଏଥିସହ ଦୁଇ ରାଜ୍ୟ ନକ୍ସଲ ବାଦ ଓ ଗଞ୍ଜେଇ ଚାଷକୁ ରୋକିବା ପାଇଁ ମିଳିତ ଭାବେ କାର୍ଯ୍ୟ କରିବାକୁ ପରସ୍ପର ପରସ୍ପରକୁ ସହଯୋଗ କରିବାକୁ ରାଜି ଏକମତ ହୋଇଛନ୍ତି । ବିଆର ଆମ୍ବେଦକର ବିଶ୍ୱବିଦ୍ୟାଳୟ, ଶ୍ରୀକାକୁଲମ ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଓଡିଆ ଓ ତେଲୁଗୁ ଭାଷାର ଚେୟାର ପ୍ରତିଷ୍ଠା ପାଇଁ କାର୍ଯ୍ୟ କରିବାକୁ ସହମତ ହୋଇଛନ୍ତି ।