କନକ ବ୍ୟୁରୋ : ଆସନ୍ତା ୯ ତାରିଖରେ ଓଡ଼ିଶା ଆସୁଛନ୍ତି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ରେଡି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସେ ଆଲୋଚନା କରିବେ । ବିଶେଷ କରି ସୀମା ବିବାଦ ଉପରେ ଆଲୋଚନା ହେବ ବୋଲି ସୂଚନା ମିଳିଛି । କୋରାପୁଟର କୋଟିଆକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ରହିଛି । ସୀମାବର୍ତ୍ତୀ ଗାଁକୁ ନେଇ ଟଣାଓଟରା ଚାଲିଛି ।

Advertisment

ଏପରିକି ଆନ୍ଧ୍ର ନିଜ ଅଞ୍ଚଳ ଦାବି କରି ପଞ୍ଚାୟତ ନିର୍ବାଚନ ମଧ୍ୟ କରିିଛି । ଏହାକୁ ବିରୋଧ କରିଆସୁଛି ଓଡ଼ିଶା । ମାମଲା ମଧ୍ୟ ସୁପ୍ରିମକୋର୍ଟକୁ ଯାଇଛି । ତେବେ ଏ ନେଇ କୌଣସି ସମାଧାନର ରାସ୍ତା ବାହାରି ପାରିନି । ଅନେକ ସମୟରେ ଦୁଇ ରାଜ୍ୟର ପ୍ରଶାସନିକ ଅଧିକାରୀ ମୁହାଁମୁହିଁ ହୋଇଛନ୍ତି । ସେହିପରି ଗଜପତି ଜିଲ୍ଲା ସୀମାନ୍ତ ଅଂଚଳକୁ ନେଇ ମଧ୍ୟ ଦୁଇ ରାଜ୍ୟ ମଧ୍ୟରେ ବିବାଦ ରହିଛି । ସୀମା ବିବାଦ ତୀବ୍ର ହେଉଥିବା ବେଳେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ରେଡିଙ୍କ ଗସ୍ତକୁ ଗୁରୁତର ସହ ନିଆଯାଉଛି ।

ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନାରେ ତିନିଟି ପ୍ରମୁଖ ପ୍ରସଙ୍ଗ ସ୍ଥାନ ପାଇବାର ସମ୍ଭାବନା ରହିଛି । ଏଗୁଡ଼ିକ ହେଲା ବଂଶଧାରା ନଦୀ ଉପରେ ନେରେଡି ବ୍ୟାରେଜ୍‌ ନିର୍ମାଣ, ‌ପୋଲାଭରମ୍ ପ୍ରକଳ୍ପ ଏବଂ କୋଟିଆରେ ସୀମା ସମସ୍ୟା । ଏହି ତିନିଟି ପ୍ରସଙ୍ଗରେ ବହୁ ବର୍ଷ ହେଲା ବିବାଦ ଲାଗି ରହିଛି । ତିନିଟି ଯାକ ପ୍ରସଙ୍ଗ ଏବେ କୋର୍ଟରେ ବିଚାରାଧୀନ ରହିଛି ।

ବଂଶଧାରା ଜଳ ବିବାଦ ଟ୍ରିବ୍ୟୁନାଲ୍‌ ଆନ୍ଧ୍ରପ୍ରଦେଶ ସପକ୍ଷରେ ରାୟ ଦେଇଛନ୍ତି। ନେରେଡି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଆଗେଇ ନେବାପାଇଁ ସବୁଜ ସଙ୍କେତ ଦେଇଛନ୍ତି । କିନ୍ତୁ ଏହି ପ୍ରକଳ୍ପ ନିର୍ମାଣ ଦ୍ବାରା ରାୟଗଡ଼ା ଓ ଗଜପତିରେ ବହୁ ଜମି ଜଳମଗ୍ନ ହେବାର ଆଶଙ୍କା ରହିଛି । ଓଡ଼ିଶା ସରକାର ଟ୍ରିବ୍ୟୁନାଲ୍‌ ରାୟ ଉପରେ କିଛିଟା ସ୍ପଷ୍ଟୀକରଣ ମାଗିଛନ୍ତି । ଫଳରେ ଟ୍ରିବ୍ୟୁନାଲଙ୍କ ରାୟ ଏ ଯାଏ କାର୍ଯ୍ୟକାରୀ ହୋଇପାରିନାହିଁ । ସେହିପରି ବହୁଦିନ ଧରି ଆଇନଗତ ଲଢ଼େଇରେ ଛନ୍ଦି ହୋଇଥିବା ପୋଲାଭରମ୍‌ ପ୍ରକଳ୍ପ ପ୍ରସଙ୍ଗରେ ମଧ୍ୟ ଆଲୋଚନା ହେବାର ସମ୍ଭାବନା ରହିଛି ।

ଏହାବାଦ୍ କୋଟିଆରେ ସୀମା ସମସ୍ୟା ଏତେ ଗୁରୁତର ଆକାର ଧାରଣ କରିଛି ଯେ ନିୟମିତ ଭାବେ ସେଠାରେ ଅଶାନ୍ତି ସୃଷ୍ଟି ହେଉଛି । ଆନ୍ଧ୍ର ପୁଲିସ, ପ୍ରଶାସନ ଓ ରାଜନେତା ବାରମ୍ବାର ସେଠାରେ ଆସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରୁଥିବାର ଅଭିଯୋଗ ହେଉଛି । ଓଡ଼ିଶା ମଧ୍ୟ ଏହାର ପ୍ରତିବାଦ କରିଛି । ଏହି ବିବାଦ ସୁପ୍ରିମକୋର୍ଟରେ ବିଚାରାଧୀନ ଅଛି । ଉଭୟ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ଓଡ଼ିଶା-ଆନ୍ଧ୍ର ବିବାଦର ସମାଧାନ ବାଟ କିପରି ଦେଖାଉଛି, ସେ ନେଇ ସବୁ ମହଲରେ ଉତ୍ସୁକତା ପ୍ରକାଶ ପାଇଛି ।