କନକ ବ୍ୟୁରୋ: ଦେଶରେ ସାଧାରଣ ନିର୍ବାଚନ ଓ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ଜାତୀୟ ଗଣମାମଧ୍ୟର ସର୍ଭେ ରିପୋର୍ଟ ରାଜନୈତିକ ଚର୍ଚ୍ଚା ପାଇଁ ଖୋରାକ ଯୋଗାଇଛି । ଇଣ୍ଡିଆ ଟୁଡେ-ସିଭୋଟର ମୁଡ୍ ଅଫ ଦି ନେସନ ସର୍ଭେ ରିପୋର୍ଟରେ ପୁଣିଥରେ ୧ ନମ୍ବର ସ୍ଥାନ ବଜାୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହୋମ ଷ୍ଟେଟ୍ ଅର୍ଥାତ ନିଜ ରାଜ୍ୟରେ ଲୋକପ୍ରିୟତାରେ ଶୀର୍ଷରେ ରହିଛନ୍ତି ନବୀନ । ୬୧.୩% ସମର୍ଥନ ସହ ଦେଶରେ ନବୀନ ନମ୍ବର-୧ । କିନ୍ତୁ ଗତଥର ଅପେକ୍ଷା କମିଛି ନବୀନଙ୍କ ଲୋକପ୍ରିୟତା । କାରଣ ପୂର୍ବରୁ ୭୩.୨% ଲୋକ ନବୀନଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ପସନ୍ଦ କରିଥିଲେ । ଦ୍ୱିତୀୟରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ, ତୃତୀୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ଚତୁର୍ଥରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ଓ ପଂଚମରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ନାଁ ରହିଛି ।

Advertisment

ହେଲେ ସାରାଦେଶରେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ୧ ନମ୍ବର ସ୍ଥାନ ଅବ୍ୟାହତ ରଖିଛନ୍ତି ଉତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସାରାଦେଶରୁ ମତାମତ ନେଇ କରାଯାଇଥିବା ସର୍ଭେରେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ଶୀର୍ଷରେ ରହିଛନ୍ତି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ୪୩% ଲୋକ ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ପସନ୍ଦ କରିଛନ୍ତି । ଦ୍ୱିତୀୟରେ କେଜ୍ରିୱାଲ, ତୃତୀୟରେ ମମତା ବାନାର୍ଜୀ, ଚତୁର୍ଥରେ ଏମ.କେ. ଷ୍ଟାଲିନ୍ ଓ ପଂଚମରେ ଅଛନ୍ତି ନବୀନ ପଟ୍ଟନାୟକ ।

ଦେଶର ୩୦ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରୁ ୧୪ଟିରେ ବିଜେପି କ୍ଷମତାରେ ରହିଥିବାବେଳେ କେବଳ ୟୁପି ମୁଖ୍ୟମନ୍ତ୍ରୀଙ୍କୁ ଛାଡିଦେଲେ ପ୍ରଥମ ୫ଟି ସ୍ଥାନରେ ରହିଛନ୍ତି ଅଣବିଜେପି ମୁଖ୍ୟମନ୍ତ୍ରୀ । ଅର୍ଥାତ ଆଂଚଳିକ ଦଳର ମୁଖ୍ୟମନ୍ତ୍ରୀ ମାନେ କେବଳ ନିଜ ରାଜ୍ୟରେ ନୁହେଁ ସାରାଦେଶରେ ଲୋକପ୍ରିୟତାର ଆଗରେ ରହିଛନ୍ତି ।