କନକ ବ୍ୟୁରୋ : ତିନି ଦିନିଆ ଦିଲ୍ଲୀ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିଲ୍ଲୀରେ ପହଞ୍ଚିବା ପରେ ତାଜ ହୋଟେଲରେ ବିସିସି କ୍ରୀଡ଼ା ସମ୍ମାନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭାରତୀୟ ମହିଳା ହକି ଦଳକୁ ସମ୍ବର୍ଦ୍ଧିତ କରିଥିଲେ । ଆଜି ଓ ଆସନ୍ତାକାଲି ରାଜ୍ୟ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗକୁ ନେଇ କେତେ ଜଣ କେନ୍ଦ୍ରମନ୍ତ୍ରୀଙ୍କୁ ସାକ୍ଷାତ କରିବେ ।

Advertisment

ଆଜି ସଂସଦ ଭବନରେ ବିଜେଡି କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ଦଳୀୟ ସଂସଦ ମାନଙ୍କ ସହିତ ଆଲୋଚନା କରିବେ । ଏହା ସହ ବିଜେଡି ସଂସଦୀୟ ଦଳ ବୈଠକରେ ମଧ୍ୟ ଯୋଗଦେବେ ମୁଖ୍ୟମନ୍ତ୍ରୀ । ଓଡ଼ିଶାର ବିଭିନ୍ନ ପ୍ରସଙ୍ଗକୁ ଶାଣିତ ସ୍ୱରରେ ସଂସଦରେ ଉପସ୍ଥାପନ ପାଇଁ ସେ ସାଂସଦମାନଙ୍କୁ ଗୁରୁମନ୍ତ୍ର ଦେଇପାରନ୍ତି । ବୈଠକ ପରେ ମୁଖ୍ୟମନ୍ତ୍ରୀ ସଂସଦର କେନ୍ଦ୍ରୀୟ କକ୍ଷକୁ ଯିବେ । ଏଠାରେ କେନ୍ଦ୍ର ମନ୍ତ୍ରୀ ଓ ବିଭିନ୍ନ ରାଜନୈତିକ ଦଳର ସାଂସଦ ଉପସ୍ଥିତ ରହୁଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିପାରନ୍ତି ।

ଏହି ଗସ୍ତକୁ ରାଜନୈତିକ ଦୃଷ୍ଟିରୁ ମଧ୍ୟ ବିଶେଷ ଗୁରୁତ୍ବ ଦିଆଯାଉଛି । ଆଗକୁ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନ ରହିଛି । ରାଷ୍ଟ୍ରପତି ନିର୍ବାଚନରେ ବିଜେଡିର ଭୂମିକା ଗୁରୁତ୍ବପୁର୍ଣ୍ଣ ହେବ । ସଂସଦରେ ବିଜେଡି କେନ୍ଦ୍ର ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ସମର୍ଥନ ଦେଇଆସୁଥିବାରୁ ଏନ୍‌ଡିଏ ପକ୍ଷରୁ ଏଥର ମଧ୍ୟ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କ ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ସ‌ହଯୋଗ ଲୋଡ଼ାଯିବାର ସମ୍ଭାବନା ରହିଛି । ଏ ନେଇ ଏନ୍‌ଡିଏର କିଛି ନେତା ମୁଖ୍ୟମନ୍ତ୍ରୀଙ୍କ ସହ ଅଣଔପଚାରିକ ଆଲୋଚନା କରିପାରନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।