କନକ ବ୍ୟୁରୋ: ରାଜ୍ୟରେ କ୍ଷମତା ପରିବର୍ତ୍ତନ ହେବା ପରେ, ନବୀନ ବିରୋଧୀ ଦଳ ନେତା ହେବା ପରେ, ତାଙ୍କର ଆଭିମୁଖ୍ୟ କେମିତି ରହିବ। ସରକାରକୁ ବିରୋଧ କରିବେ, ନା ନୀରବ ରହିବେ, ତା ଉପରେ ସାରାରାଜ୍ୟର ନଜର ରହିଥିଲା। ଆଉ ଆଜି ତାହା ସ୍ପଷ୍ଟ ହୋଇ ଯାଇଛି।
ନବୀନ ପଟ୍ଟନାୟକ ବିଧାନସଭାକୁ ଯିବାର ୨୪ବର୍ଷ ଭିତରେ ଯାହା ଦେଖିବା ପାଇଁ ମିଳିଥିଲା ଏବେ ତାହା ଦେଖିବାକୁ ମିଳିଛି। ପ୍ରଥମ ଥର ପାଇଁ ବିରୋଧୀ ଦଳ ନେତା ଆସନରେ ବସିବା ପରେ, ଏଏସଓଙ୍କୁ ମାଡ ମରାଯିବା ପ୍ରସଙ୍ଗରେ ଗୃହରେ ପ୍ରତିବାଦ କରି ନୂଆ ଇଂନିସ ଆରମ୍ଭ କରିଛନ୍ତି। ରାଜ୍ୟପାଳ ଅଭିଭାଷଣକୁ ବର୍ଜନ କରି କକ୍ଷ ତ୍ୟାଗ କରିବା ସହ କ୍ଷୋଭ ପ୍ରକାଶ କରିଛନ୍ତି।
ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ କହିବା ସମୟରେ ମାଇକ ଏବଂ କ୍ୟାମେରା ବନ୍ଦ କରାଯାଇଥିବା ଅଭିଯୋଗ ଆଣିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମଳା ମଲ୍ଲିକ। ସମାନ ପ୍ରସଙ୍ଗରେ କଂଗ୍ରେସ ସଦସ୍ୟମାନେ ଗୃହରେ ହୋହଲ୍ଲା କରିବା ସହ ରାଜ୍ୟପାଳଙ୍କ ଅଭିଭାଷଣକୁ ବର୍ଜନ କରି ଗୃହ ତ୍ୟାଗ କରିଥିଲେ। ଅନ୍ୟପଟେ ବିରୋଧୀଙ୍କ ଅଭିଯୋଗକୁ ଖଣ୍ଡନ କରିଛି ଶାସକ ଦଳ। ଆଇନ ମନ୍ତ୍ରୀ କହିଛନ୍ତି, ପ୍ରସଙ୍ଗ ନଥିବାରୁ ଅପ୍ରସଙ୍ଗକୁ ପ୍ରସଙ୍ଗ କରୁଛନ୍ତି ବିରୋଧୀ। ଏଏସଓଙ୍କୁ ମାଡ ମରାଯିବା ଘଟଣାର ତଦନ୍ତ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ୧୫ ଦିନ ଭିତରେ ରିପୋର୍ଟ ଆସିବା ପରେ ହେବ କାର୍ଯ୍ୟାନୁଷ୍ଠାନ।
ତେବେ ବିଧାନସଭା ଅଧିବେଶନର ପ୍ରଥମ ଦିନରୁ ନବୀନ କଡା ଆଭିମୁଖ୍ୟ ଦେଖାଇ ଥିବାରୁ, ଶାସକ ଦଳ ବିଜେପି କେମିତି ମୁକାବିଲା କରିବ ତା ଉପରେ ସମସ୍ତଙ୍କ ନଜର ରହିବ ।