ନବୀନ ଗ୍ୟାରେଣ୍ଟି ବନାମ ମୋଦୀ ଗ୍ୟାରେଣ୍ଟି । କାହା ଗ୍ୟାରେଣ୍ଟିଂ ଉପରେ ଭରସା କରିବେ ଭୋଟର୍?

164

କନକ ବ୍ୟୁରୋ: ନିର୍ବାଚନୀ ମାହୋଲରେ ନେତାଙ୍କୁ ନେଇ ଜନତାଙ୍କ ଆଶା ବଢ଼ିଛି ଏବଂ ଜନତାଙ୍କ ବିଶ୍ୱାସଭାଜନ ହେବା ପାଇଁ ନେତା ବି ଆଉ ପ୍ରତିଶ୍ରୁତିରେ ସୀମିତ ରହୁନାହାଁନ୍ତି । ବରଂ ଭୋଟରଙ୍କୁ ମିଳୁଛି ନିର୍ଭର ଯୋଗ୍ୟ ପ୍ରତିଶ୍ରୁତି ଅର୍ଥାତ୍ ଗ୍ୟାରେଣ୍ଟି । ମୋଦୀ ଗ୍ୟାରେଣ୍ଟି, ୫–ଟି ରୂପାନ୍ତରଣର ନବୀନ ଗ୍ୟାରେଣ୍ଟି ଏବଂ ୫ ନ୍ୟାୟ ଓ କଂଗ୍ରେସର ୨୫ ଗ୍ୟାରେଣ୍ଟି, ହୁଏତ ସେଇ ରାଜନୀତିର ନିର୍ଭର ଯୋଗ୍ୟ ପ୍ରତିଶ୍ରୁତିକୁ ଇସାରା କରୁଛି ।

  • ନବୀନ ଗ୍ୟାରେଣ୍ଟି ବନାମ ମୋଦୀ ଗ୍ୟାରେଣ୍ଟି
  • କାହା ଗ୍ୟାରେଣ୍ଟିଂ ଉପରେ ଭରସା କରିବେ ଭୋଟର୍?

ହିଞ୍ଜିଳି ପ୍ରଚାର ଆରମ୍ଭ କରିବା ସହ ଗ୍ୟାରେଣ୍ଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସଭାମଞ୍ଚରେ ୫–ଟି ରୂପାନ୍ତରଣର ନବୀନ ଗ୍ୟାରେଣ୍ଟିଂ ପୋଷ୍ଟର୍ ଲଗାଇ ବିଜେଡି ବି ଗ୍ୟାରେଣ୍ଟି ଲଢ଼େଇର ସ୍ପଷ୍ଟ ଇସାରା ଦେଇଛି । ଆଉ ଆରମ୍ଭ ହୋଇଛି ରାଜନୀତିର ନୂଆ ନାରେଟିଭ୍ । ଏପଟେ ନବୀନ ଗ୍ୟାରେଣ୍ଟି କଥା ଶୁଣି ଚିହିଁକି ଉଠିଛି ବିଜେପି । ଗ୍ୟାରେଣ୍ଟିଂର ଉତ୍ତର ୪ ଜୁନରେ ମିଳିବ । ଲୋକ ଟ୍ରେଲର୍ ଦେଖି ସାରିଛନ୍ତି, ଆଗକୁ ଫିଲ୍ମ ଦେଖିବେ ବୋଲି ରାଜ୍ୟ ବିଜେପି ସଭାପତି କହିଛନ୍ତି । ଆଉ ଏସବୁ ଭିତରେ ଓଡ଼ିଶା କଂଗ୍ରେସର ମିଡ଼ିଆ ସେଲର ଅଧ୍ୟକ୍ଷ କହିଛନ୍ତି, ଗ୍ୟାରେଂଟି କଥା କଂଗ୍ରେସରୁ ଆରମ୍ଭ ହୋଇଛି । ବିଜେଡି ଓ ବିଜେପି କେବଳ କପି କରୁଛନ୍ତି । ଓଡ଼ିଶାରେ କେବଳ କଂଗ୍ରେସ ଗ୍ୟାରେଣ୍ଟି କାମ କରିବ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି

  • ବିଜେଡିର ଯୋଡ଼ି ଶଙ୍ଖ ନାରା
  • ବିଜେପିର ଡବଲ୍ ଇଂଜିନ୍ ନାରା

ଉଭୟ ଲୋକସଭା ଓ ବିଧାନସଭା ଆସନ ହାତେଇବା ପାଇଁ ନିଜ ନିଜ ଢ଼ଙ୍ଗରେ ରାଜନୈତିକ ନାରା ଆପଣାଇଛନ୍ତି ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ । ରାଜ୍ୟ ଓ କେନ୍ଦ୍ରରେ ସରକାର ଗଢ଼ିବା ଲକ୍ଷ୍ୟରେ ବିଜେପି ଡବଲ୍ ଇଞ୍ଜିନ୍ ସରକାର ଗଢ଼ିବାର ନାରା ଦେଇ ଆସୁଛି । ଏମିତି କି ସଭା ସମିତିରେ ଦଳୀୟ ନେତା ଏହି ନାରା ଦେଇ ଆସୁଛନ୍ତି । ଏପଟେ ଉଭୟ ବିଧାନସଭା ଓ ଲୋକସଭାରେ ଶଙ୍ଖ ବଟନ ଟିପିବାକୁ ମୁଖ୍ୟମନ୍ତ୍ରୀ ଭିଡିଓ ବାର୍ତ୍ତା ଜରିଆରେ ଲୋକଙ୍କୁ ଆହ୍ୱାନ ଦେଇଛନ୍ତି । ଯୋଡ଼ି ଶଙ୍ଖ ଭିଡିଓର ଝଲକ ସାମ୍ନାକୁ ଆସିବା ପରେ ହିଞ୍ଜିଳି ପ୍ରଚାର ସଭାରେ ମହିଳାମାନେ ନବୀନ ମୁଖା ପିନ୍ଧି ବସିଥିବା ଓ ହାତରେ ଯୋଡ଼ି ଶଙ୍ଖ ଧରିଥିବା ଦେଖିବାକୁ ମିଳିଥିଲା ।

ତେବେ ଦୀର୍ଘ ୧୮ ଦିନ ଧରି ରାଜ୍ୟରେ ବିଜେପି-ବିଜେଡି ମେଣ୍ଟ ନେଇ ଯେଉଁ ଦ୍ୱନ୍ଦ୍ୱ ଉପୁଜିଥିଲା, ସେଥିରେ କେବଳ ପୂର୍ଣ୍ଣଚ୍ଛେଦ ପଡ଼ିନି ବରଂ ଆଗକୁ ଲଢ଼େଇ ଜୋରଦାର ହେବ ବୋଲି ଜଳଜଳ ଦେଖାଯାଉଛି ।