ପଶ୍ଚିମ ଓଡ଼ିଶା ସମେତ ବିଭିନ୍ନ ସ୍ଥାନରେ ନବୀନଙ୍କ ମାରାଥନ ପ୍ରଚାର । ନାକଟିଦେଉଳରୁ ବିରୋଧୀଙ୍କୁ କଡ଼ା ସମାଲୋଚନା । କହିଲେ, ମିଛ କହୁଛନ୍ତି ବିରୋଧୀ

80

କନକ ବ୍ୟୁରୋ: ବିଜେଡି ପ୍ରାର୍ଥୀଙ୍କ ପାଇଁ ମାରାଥନ୍ ପ୍ରଚାର କରି ଭୋଟ୍ ମାଗିଛନ୍ତି ବିଜେଡି ସୁପ୍ରିମୋ । ଆଜି ସମ୍ବଲପୁର, ନାକଟିଦେଉଳ, ଢେଙ୍କାନାଳରେ ପ୍ରଚାର କରି ଭୋଟ ମାଗିଛନ୍ତି ନବୀନ ପଟ୍ଟନାୟକ । ପ୍ରଚାର ସଭାରେ ବିରୋଧୀଙ୍କୁ ଟାର୍ଗେଟ କରିବା ସହ ଜୁନ ୯ରେ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି । ଏଥିସହ ଜୁଲାଇରୁ ବିଜୁଳି ବିଲ ଆସିବ ନାହିଁ ବୋଲି କହିଛନ୍ତି ବିଜେଡି ମୁଖିଆ ।

  • ପ୍ରଣବଙ୍କ ପାଇଁ ଭୋଟ ମାଗିଲେ ବିଜେଡି ସୁପ୍ରିମୋ
  • ପ୍ରଚାର ସଭାରୁ ବିରୋଧୀଙ୍କୁ କଲେ ଟାର୍ଗେଟ୍

ବିଜେଡି ପ୍ରାର୍ଥୀଙ୍କ ପ୍ରଚାର ମଙ୍ଗ ଧରିଛନ୍ତି ଖୋଦ୍ ବିଜେଡି ସୁପ୍ରିମୋ । ରାଜ୍ୟର ଅନ୍ୟତମ ହାଇପ୍ରୋଫାଇଲ ଲୋକସଭା ଆସନ ସମ୍ବଲପୁରରେ ନବୀନ ପଟ୍ଟନାୟକ ପ୍ରଚାର କରିଛନ୍ତି । ପିଏଚଡି ପଡିଆରେ ଆୟୋଜିତ ସଭାକୁ ସମ୍ବୋଧନ କରି ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ଭଲ କି ନାହିଁ ବୋଲି ପଚାରିବା ସହ ଭୋଟ ମାଗିଛନ୍ତି । ଲୋକଙ୍କୁ ପ୍ରତିଶ୍ରୁତି ଦେଇ କହିଛନ୍ତି ଜୁଲାଇ ମାସରୁ ବିଜୁଳି ବିଲ ଆସିବ ନାହିଁ । ମାଗଣା ବିଜୁଳି ଦେବ ବିଜେଡି ସରକାର । ଏଥିସହ ବିରୋଧୀଙ୍କୁ ଟାର୍ଗେଟ କରି କହିଛନ୍ତି ବିରୋଧୀ ଦଳର ନେତା ମିଛ କହୁଛନ୍ତି, କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ତେଣୁ ସେମାନଙ୍କୁ ବିଶ୍ୱାସ ନକରି ଯୋଡି ଶଙ୍ଖରେ ଭୋଟ ଦେବାକୁ ଭୋଟରଙ୍କୁ ଅପିଲ କରିଛନ୍ତି । ସେପଟେ ସମ୍ବଲପୁରୀ ଭାଷା ଓ ହସ୍ତତନ୍ତ ପ୍ରସଙ୍ଗରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିଛନ୍ତି ପାଣ୍ଡିଆନ ।

  • ନାକଟିଦେଉଳରେ ନୀବନଙ୍କ ଦୃଢୋକ୍ତି
  • ‘ଜୁନ ୯ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବି’

ସମ୍ବଲପୁର ପରେ ନାକଟିଦେଉଳ ଓ ଢେଙ୍କାନାଳରେ ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଚାର ସମାବେଶକୁ ସମ୍ବୋଧିତ କରି ବିରୋଧୀଙ୍କ ଉପରେ ବର୍ଷିଛନ୍ତି ବିଜେଡି ସୁପ୍ରିମୋ । ଆସନ୍ତା ଜୁନ ୯ ତାରିଖରେ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି । ଶପଥ ନେବା ପରେ ପ୍ରଥମେ ବିଜୁଳି ଛାଡ ବିଲ ଉପରେ ଦସ୍ତଖତ କରିବେ । ସେହିପରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସମସ୍ତଙ୍କୁ ସାମିଲ କରିବାକୁ ତାଙ୍କର ଦ୍ୱିତୀୟ ପ୍ରମୁଖ କାର୍ଯ୍ୟ ହେବ ବୋଲି କହିଛନ୍ତି ନବୀନ ପଟ୍ଟନାୟକ । ମିଶନ ଶକ୍ତି ମହିଳାଙ୍କୁ ପେନସନ ଦେବା ବିଲରେ ସେ ତୃତୀୟ ଦସ୍ତଖତ କରିବେ ବୋଲି କହିଛନ୍ତି ।

ପ୍ରଣବ ନାମାଙ୍କନ ସମୟରେ ଭିଡିଓ ବାର୍ତ୍ତା ଜାରି କରି ତାଙ୍କ ବିଜୟ ସୁନିଶ୍ଚିତ ବୋଲି କହିଥିଲେ ବିଜେଡି ମୁଖିଆ । ଆଉ ଏବେ ସମ୍ବଲପୁରରେ ପ୍ରଚାର କରି ପ୍ରଣବଙ୍କ ସହ ଅନ୍ୟ ବିଧାୟକ ପ୍ରାର୍ଥୀଙ୍କ ବିଜୟ ନିଶ୍ଚିତ କରିବାକୁ ଭୋଟ ମାଗିଛନ୍ତି ନବୀନ ପଟ୍ଟନାୟକ ।