କନକ ବ୍ୟୁରୋ : ମେକ ଇନ୍ ଓଡିଶା, ଇନଭେଷ୍ଟର୍ସ ମିଟ୍, ରାଜ୍ୟ ବାହାରେ ଓ ବିଦେଶରେ ଶିଳ୍ପ ସମ୍ମିଳନୀ କରି ଓଡିଶାରେ ବଡ ବଡ ଶିଳ୍ପ ହେବ ବୋଲି ସ୍ବପ୍ନ ଦେଖାଇଥିଲେ ତତକାଳୀନ ସରକାର । ମାଳ ମାଳ ସ୍ବପ୍ନର ସତ ଏବେ ସାମ୍ନାକୁ ଆଣିଛନ୍ତି ନୂଆ ସରକାର । ବିଧାନସଭାରେ ପ୍ରଶ୍ନଥିଲା, ୫ ବର୍ଷରେ ଓଡିଶାକୁ କେତେ ଶିଳ୍ପ ଆସିଛି ଓ କେତେ ଯୁବକଯୁବତୀ ନିଯୁକ୍ତି ପାଇଛନ୍ତି ? ଆଉ ଏହାର ଉତର ରଖିଛନ୍ତି ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ । ଯେଉଁ ତଥ୍ୟ ଆସିଛି ତାହା ସମସ୍ତଙ୍କୁ ତାଜୁବ କରିଛି ।
- ଗତ ୫ ବର୍ଷରେ ୫୧୨ ବୃହତ ଶିଳ୍ପ ପ୍ରକଳ୍ପ ସହ ପୁଞ୍ଜିନିବେଶ ପାଇଁ ଏମଓୟୁ ହୋଇଛି
- ମାତ୍ର ୩୦ଟି ପ୍ରକଳ୍ପ ଆଗକୁ ବଢ଼ିଛି
- ମୋଟ ୧୧ଲକ୍ଷ ୮୫ ହଜାର ୨ ୮୧ କୋଟି ଟଙ୍କା ନିବେଶ ପାଇଁ ଏମଓୟୁ ହୋଇଥିଲା
- କୁହାଯାଇଥିଲା ୫ ଲକ୍ଷ ୭୧ ହଜାର ନିଯୁକ୍ତି ସୃଷ୍ଟି ହେବ
- ୨୩୫ଟି ସଂସ୍ଥାକୁ ୮ହଜାର ୬୫୨ ଏକର ଜମି ବି ଯୋଗାଇଦିଆଯାଇଛି

ଜମି ପାଇଥିଲେ ମଧ୍ୟ ପ୍ରକଳ୍ପ ଗଢିଉଠିନି । ମାତ୍ର ୩୦ଟି ବୃହତ ପ୍ରକଳ୍ପ ଆଂଶିକ କିମ୍ବା ପୂର୍ଣ୍ଣ କାର୍ୟ୍ୟକ୍ଷମ ହୋଇଛି । ଏହି ପ୍ରକଳ୍ପଗୁଡିକ ସଂପୂର୍ଣ୍ଣ କାର୍ୟ୍ୟକ୍ଷମ ହେଲେ ୧୯ ହଜାର ୫୨୮ କୋଟି ଟଙ୍କାର ପୁଞ୍ଜିନିବେଶ ଓ ୨୦,୨୫୧ ନିଯୁକ୍ତି ସୃଷ୍ଟି ହେବ ବୋଲି ଆକଳନ କରାଯାଇଛି ।

ପୂର୍ବ ସରକାର କହି ଆସୁଥିଲେ, ଓଡିଶା ହେବ ଶିଳ୍ପର ହବ। କିନ୍ତୁ ଏହି ସଂଖ୍ୟାକୁ ଦେଖିଲେ ରାଜ୍ୟରେ ଶିଳ୍ପର ଆଶା ମଉଳିବାରେ ଲାଗିଛି । ଏପଟେ ବିଧାନସଭାରେ ସରକାର ଦେଇଥିବା ତଥ୍ୟ ଉପରେ ଉତର ରଖିଛି ବିଜେଡି ।

ପୂରା ତଥ୍ୟକୁ ଦେଖିଲେ ଜଣାପଡିଛି, ଏମଓୟୁର ମାତ୍ର ୬ ପ୍ରତିଶତ ପ୍ରକଳ୍ପ ସାକାର ହୋଇଛି । ଏବେ ନୂଆ ସରକାର ନୂଆ ବଜେଟରେ ଶିଳ୍ପକୁ ଅଧିକ ଦେଇଛନ୍ତି । ମେକ ଅନ ଓଡିଶାର ନାଁ ପରିବର୍ତନ କରାଯାଇ ଉତ୍କର୍ଷ ଓଡିଶା ରଖାଯାଇଛି । ନିପ୍ପୋନ ଷ୍ଟିଲ୍, ଜେଏସଡବ୍ଲୁ ଭଳି ବୃହତ ପ୍ରକଳ୍ପର ଭବିଷ୍ୟତ କ’ଣ ହେବ, ତାହା ଉପରେ ସମସ୍ତଙ୍କ ନଜର ରହିଛି।