ବିଜେଡିରେ ଯୋଗ ଦେଲେ ଅରବିନ୍ଦ, ନବୀନଙ୍କର ନେଲେ ଆଶୀର୍ବାଦ । ବିଜୟ ମହାପାତ୍ରଙ୍କ ପାଇଁ ନବୀନ ନିବାସରୁ ଆସିଲା ବଡ ବାର୍ତ୍ତା ।

1,514

କନକ ବ୍ୟୁରୋ : ବିଜେଡିରେ ଯୋଗ ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର । ନବୀନ ନିବାସରେ ଶଙ୍ଖ ଫୁଙ୍କିଛନ୍ତି ଅରବିନ୍ଦ ମହାପାତ୍ର । ବିଜେଡିକୁ ଅରବିନ୍ଦଙ୍କୁ ସ୍ୱାଗତ କରିବା ସହ ଆଶୀର୍ବାଦ ଦେଇଛନ୍ତି ନବୀନ । ଏହାସହ ତୁମ ଉପରେ ମୋର ଆଶୀର୍ବାଦ ଥିବା ନେଇ ବାପାଙ୍କୁ ଜଣାଇଦେବ ବୋଲି କହିଛନ୍ତି ନବୀନ । ଯାହାର ଉତ୍ତରରେ ଅରବିନ୍ଦ କହିଥିଲେ ନିଶ୍ଚୟ ଜଣାଇଦେବି । ଏହାସହ କେନ୍ଦ୍ରାପଡା ପାଇଁ କାମ କରିବାକୁ ପରାମର୍ଶ ଦେବା ସହ ସମସ୍ତ କର୍ମୀଙ୍କୁ ବିଜୁ ପରିବାରକୁ ସ୍ୱାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ବିଜେଡିରେ ଯୋଗ ଦେବା ପରେ ଅରବିନ୍ଦ ମହାପାତ୍ର ମଧ୍ୟ କହିଥିଲେ, ବାପାଙ୍କ ଆଶୀର୍ବାଦ ନେଇ ପାଟକୁରାବାସୀଙ୍କ ସହ ଆଲୋଚନା ପରେ ବିଜେଡିରେ ଯୋଗ ଦେଇଛି । ବିଜେଡିରେ ସାମିଲ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କୁ ଧନ୍ୟବାଦ ଜଣାଇଥିଲେ ଅରବିନ୍ଦ ।

ଗତ ୨୫ ବର୍ଷ ହେବ ନବୀନ-ବିଜୟଙ୍କ ମଧ୍ୟରେ ସମ୍ପର୍କ ତାହା ସଭିଙ୍କୁ ଜଣା । ୨୦୦୦ ମସିହାରେ ବିଜେଡି ଟିକେଟ କାଟିବା ପରେ ବିଜୟ ମହାପାତ୍ର ଅନେକ ସମୟରେ ବିଜେଡି ସରକାରକୁ ଟାର୍ଗେଟ କରିଛନ୍ତି । ବିଭିନ୍ନ ପ୍ରସଙ୍ଗ ଉଠାଇ ନବୀନ ସରକାରକୁ ଅଡୁଆରେ ପକାଇଛନ୍ତି । ଗତ ୨ ଦଶନ୍ଧି ଧରି ନବୀନଙ୍କୁ ବିରୋଧ କରୁଥିଲେ ମଧ୍ୟ ବିଧାୟକ ଭାବେ ପୁଣିଥରେ ନିର୍ବାଚିତ ହେବାରେ ବିଫଳ ହୋଇଥିଲେ ବିଜୟ । ବିଭିନ୍ନ ଦଳରୁ ନିଜର ଭାଗ୍ୟ ପରୀକ୍ଷା କରିଥିଲେ ମଧ୍ୟ ଏଥିରେ ଫେଲ ମାରିଥିଲେ । ୨୦୧୯ରେ ପାଟକୁରାରୁ ପରାଜିତ ହେବା ପରେ ବିଜୟ ପୁଅକୁ ରାଜନୀତିରେ ସାମ୍ନାକୁ ଆଣିଥିଲେ । ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ପୁଅ ଅରବିନ୍ଦଙ୍କୁ ନିର୍ବାଚନମଣ୍ଡଳୀରେ ଆଗକୁ ଛାଡିଥିଲେ । ୨୦୧୯ ନିର୍ବାଚନ ପରେ କିନ୍ତୁ ବିଜୟ ବିଜେପି ରାଜନୀତିରୁ ଧୀରେ ଧୀରେ ଦୂରେଇଥିଲେ । ପୁଅ ଅରବିନ୍ଦ ବିଭିନ୍ନ ସଭା ସମିତି କରୁଥିଲେ ମଧ୍ୟ କୌଣସି ଦଳୀୟ ଚିହ୍ନକୁ ବ୍ୟାନରରେ ସ୍ଥାନ ଦେଇନଥିଲେ । ଯେଉଁଥିପାଇଁ ଅରବିନ୍ଦଙ୍କ ରାଜନୈତିକ ଗତି କୁଆଡେ ତାହାର ଟେର କେହି ପାଉନଥିଲେ । କିନ୍ତୁ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଶେଷରେ ବିଜେଡିରେ ସାମିଲ ହୋଇଛନ୍ତି ଅରବିନ୍ଦ । ଅନ୍ୟପଟେ ଅରବିନ୍ଦଙ୍କୁ ବିଜେଡିରେ କୋଳାଇ ନେଇ ବିଜୟଙ୍କ ପ୍ରତି ଆଉ ପୂର୍ବଭଳି ମନୋବୃତ୍ତି ନଥିବା ନେଇ ବାର୍ତ୍ତା ଦେଇଛନ୍ତି ନବୀନ ।