ମୋଦୀଙ୍କୁ ନବୀନ ଦେଲେ ୧୦ରୁ ୮ ନମ୍ବର । ପ୍ରଶ୍ନ ଉଠାଇଲେ ବିରୋଧୀ । କଂଗ୍ରେସ କହିଲା, ଚାଲିଛି ବିଜେଡି-ବିଜେପି ମଧ୍ୟରେ ସଲାକୁସ୍ତି

99

କନକ ବ୍ୟୁରୋ: ରାଜନୀତିରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି, ଓଡିଶା ଲିଟେରାରୀ ଫେଷ୍ଟିଭାଲରେ ମୁଖ୍ୟମନ୍ତ୍ରୀ ରଖିଥିବା ବୟାନ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଦର୍ଶନକୁ ୧୦ରୁ ୮ ନମ୍ବର ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯାହାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜୀ । କଂଗ୍ରେସ ଏହି ବୟାନକୁ ଆଧାର କରି କହିଛି, ବିଜେଡି-ବିଜେପି ଏକାଠି ଅଛନ୍ତି । ଅନ୍ୟପଟେ ବିଜେପି କହିଛି, ୧୦ରୁ ୮ ନମ୍ବର ପାଇବା ଅର୍ଥ କେନ୍ଦ୍ର ଓଡ଼ିଶାକୁ ଅବହେଳା କରୁନାହିଁ । ଏପଟେ ବିଜେଡି କହିଛି, ମୁଖ୍ୟମନ୍ତ୍ରୀଙ୍କଠାରୁ ସମସ୍ତେ ସୌଜନ୍ୟତା ଶିକ୍ଷା କରିବାର ଦରକାର ।

ତେବେ ପ୍ରଧାନମନ୍ତ୍ରୀଙ୍କ ବୈଦେଶିକ ନୀତି ଓ ଦୁର୍ନୀତି ବିରୋଧୀ କାର୍ଯ୍ୟକୁ ପ୍ରଶଂସା କରିଥିଲେ ନବୀନ । ଆଉ ପ୍ରଧାନମନ୍ତ୍ରୀଙ୍କୁ ୧୦ରୁ ୮ ନମ୍ବର ଦେଇଥିଲେ । ଯାହାକୁ ସହଜରେ ହଜମ୍ କରିପାରିନି କଂଗ୍ରେସ । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି, ଉଭୟ ବିଜେଡି ଓ ବିଜେପି ଟାର୍ଗେଟ୍ କରି କହିଛନ୍ତି, ବିଜେଡି-ବିଜେପି ଏକାଠି ଅଛନ୍ତି । ମୋଦୀଙ୍କ ସହ ବିଜେଡିର ଭଲ ସମ୍ପର୍କ ରହିଛି । ଜାଣିଶୁଣି ଦୁଇ ଦଳ ବିଧାନସଭାକୁ ବନ୍ଦ ରଖିବାକୁ ଷଡ଼ଯନ୍ତ୍ର କରୁଛନ୍ତି ବୋଲି କଂଗ୍ରେସ ବିଧାୟକ ଅଭିଯୋଗ କରିଛନ୍ତି ।

ଏପଟେ ନବୀନଙ୍କ ମନ୍ତବ୍ୟକୁ ଏକ ପ୍ରମାଣପତ୍ର ଭାବେ ଧରି ନେଇଛି ବିଜେପି । ବିଧାୟକ ମୁକେଶ ମହାଲିଙ୍ଗ ଏହି ପ୍ରସଙ୍ଗରେ କହିଛନ୍ତି, ୧୦ରୁ ୮ ଜଣେ ଯଦି ପାଇଲେ, ନାକ୍୍’ ଗ୍ରେଡକୁ ଗଲେ ଏ++ ମାନ୍ୟତା ପାଇବେ । ମୁଖ୍ୟମନ୍ତ୍ରୀ ୧୦ରୁ ୮ ନମ୍ବର ଦେବା ପରେ ଜାତୀୟ ରାଜପଥ ପ୍ରସଙ୍ଗରେ ପ୍ରଶ୍ନ କରିବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ମୁକେଶ ମହାଲିଙ୍ଗ ।

କଂଗ୍ରେସ ଓ ବିଜେପିର ଏହି କଟାକ୍ଷ ଭିତରେ ଏହି ପ୍ରସଙ୍ଗରେ ମତ ରଖିଛନ୍ତି ବିଜେଡି ବିଧାୟକଭୂପିନ୍ଦର ସିଂ । ସେ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କଠାରୁ ସୌଜ୍ୟନ୍ୟତା ଶିକ୍ଷା କରିବା କଥା । ଦେଶର ଭଲ କାମକୁ ପ୍ରଂଶସା କରିବା ଦରକାର । ଜି-୨୦ ଏବଂ ବୈଦେଶିକ ନୀତି ପାଇଁ ଯଦି ଦେଶର ସୁନାମ ହେଉଛି, ତାକୁ ପ୍ରଶଂସା କରିବାରେ ଅସୁବିଧା କେଉଁଠି ବୋଲି ପ୍ରଶ୍ନ କରିଛନ୍ତି ଭୂପିନ୍ଦର ସିଂ ।

ସୂଚନାଯୋଗ୍ୟ ଯେ, ଅବସର ଥିଲା ଓଡିଶା ଲିଟେରାରୀ ଫେଷ୍ଟିଭାଲ । ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତକାର ନେଉଥିଲେ ବରିଷ୍ଠ ସାମ୍ବାଦିକ ପ୍ରଭୁ ଚାୱଲା । ଏହି ସମୟରେ ନବୀନଙ୍କୁ ମୋଦୀଙ୍କ ସହ ତାଙ୍କର ସମ୍ପର୍କକୁ ନେଇ ପ୍ରଶ୍ନ କରିଥିଲେ । ସେତେବେଳେ ପ୍ରଧାନମନ୍ତ୍ରୀଙ୍କ ବୈଦେଶିକ ନୀତି ଓ ଦୁର୍ନୀତି ବିରୋଧୀ କାର୍ଯ୍ୟକୁ ପ୍ରଶଂସା କରି ମୋଦୀଙ୍କୁ ୧୦ରୁ ୮ ନମ୍ବର ଦେଇଥିଲେ ନବୀନ ।