କନକ ବ୍ୟୁରୋ: ୨୦୨୪ ନିର୍ବାଚନର ପୋଷ୍ଟମର୍ଟମ କରିପାରୁନି ବିଜେଡି। ରାଜ୍ୟସ୍ତରର ସବୁ କମିଟିକୁ ମଧ୍ୟ ଭାଙ୍ଗି ଦିଆଯାଇଛି। ପ୍ରତିଦିନ ଦଳୀୟ ନେତାଙ୍କ ବୟାନବାଜି ବିଜେଡିକୁ ବ୍ୟାକଫୁଟକୁ ଠେଲୁଥିବା ବେଳେ ଅନେକ ହିସାବ କିତାବ ପରେ ବିଜେଡି ସୁପ୍ରିମୋ ଦଳୀୟ କାର୍ଯ୍ୟକ୍ରମ ଓ ସମନ୍ୱୟ ପାଇଁ ଏକ ୧୫ ଜଣିଆ କମିଟି ଗଠନ କରିଛନ୍ତି। ନବୀନଙ୍କ ଏହି କମିଟି ତାଲିକା ସଙ୍କେତ ଦେଇଛି ଯେ, ଦଳୀୟ ସଙ୍ଗଠନରେ ସମନ୍ୱୟର ଘୋର ଅଭାବ ରହିଛି। ଦଳ ଭିତରେ ଥିବା ଅସନ୍ତୋଷକୁ ପ୍ରଶମିତ କରିବାକୁ କମିଟି ଗଠନକୁ ଅସ୍ତ୍ର କରିଛନ୍ତି ନବୀନ। ନୂଆ କମିଟିରେ ବରିଷ୍ଠ ଓ ଅନୁଭବୀ ନେତାଙ୍କ ଉପରେ ଭରସା କରିଛନ୍ତି ନବୀନ। ୧୫ ଜଣିଆ କମିଟିରେ ଦେବୀଙ୍କୁ ଆଗକୁ ଅଣାଯାଇ କମିଟିର ଅଧ୍ୟକ୍ଷ କରାଯାଇଛି।

ପ୍ରଣବ ପ୍ରକାଶ ଦାସ, ସଞ୍ଜୟ ଦାସବର୍ମା, ଅତନୁ ସବ୍ୟସାଚୀ ନାୟକ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ସୁଶାନ୍ତ ସିଂ, ପ୍ରସନ୍ନ ଆଚାର୍ଯ୍ୟଙ୍କ ଭଳି ବରିଷ୍ଠ ତଥା ବିଜେଡିର କ୍ରାଇସିସ ମ୍ୟାନେଜର ଦାୟିତ୍ୱ ତୁଲାଉଥିବା ନେତାଙ୍କୁ ଏହି କମିଟିରୁ ବାଦ୍ ଦେଇଛନ୍ତି ନବୀନ। ସବୁ କମିଟିର ମଙ୍ଗ ଧରୁଥିବା ବବି ଦାସଙ୍କୁ ଏହି ସମନ୍ୱୟ କମିଟିରେ ସ୍ଥାନ ନମିଳିବା ବିଜେଡି ରାଜନୀତିରେ କମ୍ପନ ସୃଷ୍ଟି କରିଛି।

  • ବବିଙ୍କୁ ଭରସିଲେନି କି ବିଜେଡି ସୁପ୍ରିମୋ?
  • ବିଜେଡି ସଙ୍ଗଠନରେ ବବିଙ୍କର ଆଉ ନାହିଁ କି ପୂର୍ବ ପତିଆରା?
  • କାପର୍ଟଦାର ଗୋଷ୍ଠୀଙ୍କର କରାଗଲା କି ପକ୍ଷଛେଦନ?

୨୦୨୪ ନିର୍ବାଚନରେ କାପର୍ଟଦାର ଗୋଷ୍ଠୀଙ୍କର ଟିକେଟ ବଣ୍ଟନରେ ବଡ ଭୂମିକା ରହିଥିଲା। ତେଣୁ ପରାଜୟ ସହ ଦଳ ଶାସନ କ୍ଷମତାରୁ ବିଦା ହେବା ପରେ କାପର୍ଟଦାର ଗୋଷ୍ଠୀଙ୍କୁ ନବୀନ ଭରସା କରିପାରୁନଥିବା ଚର୍ଚ୍ଚା ହେଉଛି ।

ସୂଚନାଯୋଗ୍ୟ ଯେ, ରାଜ୍ୟ କମିଟି ଭଙ୍ଗ ହେବାର ମାସେରୁ ଅଧିକ ସମୟ ବିତିଛି। ଏହାର ପୁନଃଗଠନ କେବେ ହେବ ତାହା ଏବେ ବି ଅସ୍ପଷ୍ଟ। ତେଣୁ ଏହି ସମନ୍ୱୟ କମିଟିର କାମ କଣ ହେବ । କାହା ଭିତରେ ସମନ୍ୱୟ ରକ୍ଷା କରିବ କମିଟି? ତାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି।