୧୮ରେ ନବୀନ ଦେବେ ଦୁଇଟି ପରୀକ୍ଷା । ପଶ୍ଚିମରୁ ବିଜେପୁର, ଦକ୍ଷିଣରୁ ହିଞ୍ଜିଳି, ୨ଟି କେନ୍ଦ୍ରରେ ନବୀନଙ୍କ ପରୀକ୍ଷା ଖାତାରେ ମାର୍କ ଦେବେ ମତଦାତା ।

202

କନକ ବ୍ୟୁରୋ : ଆସନ୍ତା ୧୮ରେ ରାଜ୍ୟରେ ହେବ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ । ଦ୍ୱିତୀୟ ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନ ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ କାରଣ ଏହି ପର୍ଯ୍ୟାୟରେ ଗୋଟିଏ ଦିନରେ ଦୁଇଟି ପରୀକ୍ଷା ଦେବାକୁ ଯାଉଛନ୍ତି ବିଜେଡି ସୁପ୍ରିମୋ । ନବୀନଙ୍କ ରାଜନୈତିକ କ୍ୟାରିୟରର ପ୍ରଥମ ଥର ପାଇଁ ଏଭଳି ହେବାକୁ ଯାଉଛି ଯେତେବେଳେ ୨ଟି ଆସନରୁ ମୈଦାନକୁ ଓହ୍ଳାଇଛନ୍ତି ବିଜେଡି ସୁପ୍ରିମୋ । ଉଭୟ ମୈଦାନରେ ଗୋଟିଏ ଦିନରେ ହିଁ ରାଜନୀତିର ଯୁଦ୍ଧ ହେବାକୁ ଯାଉଛି ।

ଦକ୍ଷିଣ ଓଡିଶା ସହ ପଶ୍ଚିମ ଓଡିଶାରୁ ପ୍ରଥମ ଥର ପାଇଁ ନିର୍ବାଚନ ଲଢିବାକୁ ଯାଉଛନ୍ତି ନବୀନ । ବିଗତ ଦୁଇ ଦଶନ୍ଧି ଧରି ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ବିଧାନସଭା ଆସନରୁ ୪ଥର ନିର୍ବାଚନ ଲଢ଼ି ବିଜୟଧାରା ବଜାୟ ରଖିଛନ୍ତି ନବୀନ । କିନ୍ତୁ ବଦଳୁଥିବା ରାଜ୍ୟ ରାଜନୀତି ପାଣିପାଗ ସହ ନବୀନଙ୍କ ପଶ୍ଚିମ ଓଡ଼ିଶା ବାଜି ଭିନ୍ନ ରୂପ ନେଇଛି । ନିଜ ପାରମ୍ପରିକ ଆସନ ହିଞ୍ଜିଳି ସହ ପଶ୍ଚିମ ଓଡ଼ିଶାର ବରଗଡ଼ ସଂସଦୀୟ କ୍ଷେତ୍ର ଅଧିନରେ ଥିବା ବିଜେପୁର ବିଧାନସଭା କ୍ଷେତ୍ରରୁ ନିର୍ବାଚନ ଲଢ଼ିବା ପାଇଁ ମୈଦାନକୁ ଓହ୍ଲାଇଛନ୍ତି ବିଜେଡି ସୁପ୍ରିମୋ । ତେବେ ନବୀନଙ୍କ ଏହି ଡବଲ୍ ଫାଇଟକୁ ନେଇ ବିରୋଧୀ ଶିବିରରେ ଛନକା ପଶିଛି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

ଯଦି ବିଗତ ଦୁଇଟି ନିର୍ବାଚନକୁ ଅନୁଧ୍ୟାନ କରାଯାଏ ତେବେ, ୨୦୧୪ ସାଧାରଣ ନିର୍ବାଚନରେ ପଶ୍ଚିମ ଓଡ଼ିଶାର ମୋଟ୍ ୩୦ଟି ବିଧାନସଭା ଆସନରୁ ବିଜେଡି ହାତକୁ ୧୭ଟି ଆସିଥିବା ବେଳେ ବିଜେପିକୁ ୭ଟି, କଂଗ୍ରେସକୁ ୪ଟି ଏବଂ ଅନ୍ୟାନ୍ୟ ୨ଟି ଆସନରେ ଜିତିଥିଲେ । ସେହିଭଳି ୨୦୦୯ ସାଧାରଣ ନିର୍ବାଚନରେ ୩୦ଟି ବିଧାନସଭା ଆସନରୁ ବିଜେଡି ଦଖଲକୁ ୧୨ଟି ଆସନ ଆସିଥିବାବେଳେ ବିଜେପିକୁ ୭ଟି, କଂଗ୍ରେସ ଖାତାକୁ ୧୩ଟି ଓ ଅନ୍ୟାନ୍ୟ ପ୍ରାର୍ଥୀ ଗୋଟିଏ ଆସନରେ ବାଜିମାତ କରିଥିଲେ । ତେବେ ଗତ ୨୦୧୪ ନିର୍ବାଚନ ଠାରୁ ଚଳିତ ଥର ଅଧିକ ଆସନ ହାତେଇ କ୍ଲିନ୍ ସୁଇପ୍ କରିବାକୁ ପଶ୍ଚିମ ଓଡ଼ିଶା ନିର୍ବାଚନୀ ମୈଦାନକୁ ନବୀନ ଓହ୍ଲାଇବା ପାଇଁ ନିଷ୍ପତି ନେଇଛନ୍ତି ବୋଲି ରାଜନୀତି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି ।

ଏହାପୂର୍ବରୁ ବିଜେପୁର ଉପନିର୍ବାଚନରେ ନବୀନ ଏକ ସଭାରେ ବିଜେପୁର ଦାୟିତ୍ୱ ନିଜେ ନେବେ ବୋଲି କହିଥିଲେ । ଆଉ ଏହି ଗୁରୁ ଦାୟିତ୍ୱ ଏବେ ନିଜ ମୁଣ୍ଡ ଉପରକୁ ନେଇ ପଶ୍ଚିମ ଓଡିଶାବାସୀଙ୍କ ମନ ଜିଣିବାକୁ ପ୍ରୟାସ କରିଛନ୍ତି ନବୀନ । ଆଉ ବିଜେଡି ସୁପ୍ରିମୋଙ୍କ ଏହି ପଶ୍ଚିମ ଓଡିଶା କାର୍ଡ ବିଜେଡିକୁ କେତେ ଫାଇଦା ଦେଉଛି ତାହା ମେ ୨୩ରେ ସ୍ପଷ୍ଟ ହୋଇଯିବ ।