ବିଜେଡି ବିଧାୟକ ଦଳ ନେତା ନିର୍ବାଚିତ ହେଲେ ନବୀନ । ସମସ୍ତ ସଦସ୍ୟ ଜଣାଇଲେ ସମର୍ଥନ, ୫ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ବସିବେ ନବୀନ ।

228

କନକ ବ୍ୟୁରୋ: ବିଜେଡି ବିଧାୟକ ଦଳ ନେତା ନିର୍ବାଚିତ ହେଲେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ପଞ୍ଚମ ଥର ପାଇଁ ବିଧାୟକ ଦଳ ନେତା ନିର୍ବାଚିତ ହୋଇଛନ୍ତି ନବୀନ ପଟ୍ଟନାୟକ । ନବୀନ ନିବାସରେ ହୋଇଥିବା ବିଧାୟକ ଦଳ ବୈଠକରେ ନବୀନଙ୍କ ନାଁ ପ୍ରସ୍ତାବ ଦେଇଥିଲେ ବିକ୍ରମ ଆରୁଖ । ବିଜେଡିର ନବ ନିର୍ବାଚିତ ୧୧୨ ବିଧାୟକ ବୈଠକରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଦଳର ନେତା ପାଇଁ ପ୍ରସ୍ତାବ ପାରିତ କରାଇଛନ୍ତି । ନେତା ନିର୍ବାଚିତ ହେବା ପରେ ବିଧାୟକମାନଙ୍କୁ ଧନ୍ୟବାଦ ଦେଇଛନ୍ତି ନବୀନ । ଏହା ପରେ ନବୀନ ରାଜଭବନ ଯାଇ ରାଜ୍ୟପାଳଙ୍କ ନିକଟରେ ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିବେ ।

ବିଧାୟକ ଦଳ ନେତା ନିର୍ବାଚିତ ହୋଇଥିବା ନବୀନ ଆସନ୍ତା ୨୯ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ନିଜ ମନ୍ତ୍ରୀମଣ୍ଡଳ ସହ ପ୍ରଦର୍ଶନୀ ପଡିଆରେ ଶପଥ ନେବେ ନବୀନ । ଏହି ଶପଥଗ୍ରହଣ ଉତ୍ସବରେ ୫୦୦୦ରୁ ଅଧିକ ଲୋକ ଉପସ୍ଥିତ ରହିବେ । ଏହାକୁ ଦୃଷ୍ଟିରେ ରଖି ପ୍ରଦର୍ଶନୀ ପଡିଆରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।