ଦିଲ୍ଳୀରେ ନୀତି ଆୟୋଗ ବୈଠକ, ଯୋଗ ଦେଲେନି ନବୀନ 

1,305

କନକ ବ୍ୟୁରୋ: ଦିଲ୍ଲୀରେ ଆୟୋଜିତ ନୀତି ଆୟୋଗ ବୈଠକରେ ସାମିଲ ହୋଇନି ଓଡିଶା  । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇନାହାନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ନେଇ ହେଉଥିବା ଏହି ବୈଠକରେ ନବୀନ ସାମିଲ ହୋଇନଥିବାରୁ ତାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ହେଲେ, ନବୀନ ବୈଠକରେ କାହିଁକି ଯୋଗ ଦେଇନାହାନ୍ତି ତାହା ସ୍ପଷ୍ଟ ହୋଇନାହିଁ । ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ଏନେଇ କୌଣସି ସ୍ପଷ୍ଟିକରଣ ଦିଆଯାଇନାହିଁ ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, କେବଳ ନବୀନ ନୁହଁନ୍ତି ଦେଶର ବିକାଶ ପାଇଁ ମୁଖ୍ୟ ଯୋଜନା ପ୍ରସ୍ତୁତ କରୁଥିବା ନୀତି ଆୟୋଗ ବୈଠକରେ ଯୋଗ ଦେଇନାହାନ୍ତି, ୭ରୁ ଅଧିକ ରାଜ୍ୟର ମୁଖ୍ୟମନ୍ତ୍ରୀ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍.କେ. ଷ୍ଟାଲିନ୍ ଓ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି ।

ନୀତି ଆୟୋଗ ବୈଠକରେ‘ବିକଶିତ ଭାରତ ୨୦୪୭’କୁ ନେଇ ରଣନୀତି ପ୍ରସ୍ତୁତ କରାଯାଉଛି । ମୁଖ୍ୟତଃ ୮ଟି ପ୍ରସଙ୍ଗ- ୨୦୪୭ର ବିକଶିତ ଭାରତ, ଏମଏସଏମଇ, ପୁଞ୍ଜି ନିବେଶ, ମହିଳା ସଶକ୍ତିକରଣ, ସ୍ୱାସ୍ଥ୍ୟ, ସାମାଜିକ ସୁରକ୍ଷା ଆଦି ପ୍ରସଙ୍ଗ ଉପରେ ଆଲୋଚନା କରାଯାଉଛି । ଆଗାମୀ ଦିନରେ କିପରି ରାଜ୍ୟ ଓ ଦେଶର ବିକାଶ ହେବ ସେନେଇ ରୋଡମ୍ୟାପ୍ ପ୍ରସ୍ତୁତ କରାଯାଉଛି।