ଯେବେ ଧର୍ମେନ୍ଦ୍ର ଓ ମୋଦିଙ୍କ ମଝିରେ ବସିଲେ ନବୀନ । ଜାଣନ୍ତୁ ମଞ୍ଚ ଉପରେ କେମିତି ଥିଲା ମାହୋଲ

782

କନକ ବ୍ୟୁରୋ : ଅରୁଗୁଳର ସଭା ମଂଚରେ ଆଜି ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା । ଗୋଟିଏ ମଂଚରେ ବସିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗୋଟିଏ ପଟେ ବିରୋଧୀ ବିଜେପିର ସର୍ବୋଚ୍ଚ ନେତା ଏବଂ ଅନ୍ୟପଟେ ନବୀନଙ୍କ ପ୍ରତିଦ୍ୱନ୍ଦୀ କୁହାଯାଉଥିବା ତଥା ରାଜ୍ୟ ବିଜେପିର ଚେହେରା ଧର୍ମେନ୍ଦ୍ର ପ୍ରଧାନ । ଆଉ ମଝିରେ ବସିଥିଲେ ନବୀନ ।

ଯେତେବେଳେ ନିର୍ବାଚନ ପାଖେଇ ଆସେ । ପ୍ରତିପକ୍ଷ ଦଳମାନେ ତୀବ୍ର ପ୍ରତିଦ୍ୱନ୍ଦିତାକୁ ଓହ୍ଲାଇ ଆସନ୍ତି, ସେତିକିବେଳେ କିଛି ରୋଚକ ଦୃଶ୍ୟ ମଧ୍ୟ ସାମନାକୁ ଆସିଥାଏ । ଆକ୍ଷେପ ପ୍ରତ୍ୟାକ୍ଷେପ ରାଜନୀତି ଭିତରେ ମଂଚ ଉପରେ ଏକାଠି ବସିବାକୁ ହୁଏ ପ୍ରତିଦ୍ୱନ୍ଦୀ ଦଳର ନେତାମାନଙ୍କୁ । ଠିକ୍ ଆଜି ଯେମିତି ଦେଖିବାକୁ ମିଳିଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ । ବିଜେପିର ସର୍ବୋଚ୍ଚ ନେତା ମୋଦୀ ଏବଂ ଓଡ଼ିଶା ବିଜେପିର ଚେହେରା ବନିଥିବା ଧର୍ମେନ୍ଦ୍ର ପ୍ରଧାନଙ୍କ ମଝିରେ ବସିଥିଲେ ନବୀନ ।

ଅବସର ଥିଲା ଅରୁଗୁଳ ଆଇଆଇଟି ପରିସରରେ ବିଭିନ୍ନ ପ୍ରକଳ୍ପର ଭିତିପ୍ରସ୍ତର କାର୍ଯ୍ୟକ୍ରମ । ପ୍ରକଳ୍ପର ଶୁଭ ଉଦଘାଟନ କରୁଥାନ୍ତି ପ୍ରଧାନମନ୍ତ୍ରୀ । ସରକାରୀ କାର୍ଯ୍ୟକ୍ରମ ହୋଇଥିବାରୁ ଯୋଗ ଦେଇଥାନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମଂଚ ଉପରେ ଦୁଇ ଜଣଙ୍କୁ ଏକାଠି ବସିବାର ଥିଲା ଏହି ଅବସର । ଉଭୟ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ମଂଚ ଉପରକୁ ଆସିବା ପରଠାରୁ ଦୁହିଁଙ୍କ ମଧ୍ୟରେ ଭାବ ବିନିମୟ ଥିଲା ବେଶ୍ ସୌହାର୍ଦ୍ଦପୂର୍ଣ୍ଣ । ମଝିରେ ମଝିରେ ଦୁଇ ନେତା ହସଖୁସିରେ କଥାବାର୍ତା କରୁଥିବାର ଦେଖିବାକୁ ମିଳିଥିଲା ।

ସ୍ୱାଗତ ଜଣାଇବା ସମୟରେ ମଧ୍ୟ କିଛି ସମୟ କଥା ହୋଇଥିଲେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ । ମଂଚ ଛାଡିବା ବେଳେ ମଧ୍ୟ ଦୁହିଁଙ୍କ ଭିତରେ ହୋଇଥିଲା ଭାବ ବିନିମୟ । ସେପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ମଧ୍ୟ କିଛି ସମୟ ଆଳାପ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜନୈତିକ ତୀବ୍ର ପ୍ରତିଯୋଗିତା ଭିତରେ ଏପରି ଦୃଶ୍ୟ ଥିଲା ନିଆରା ।