ଓଡ଼ିଶା ରାଜନୀତିରେ ନବୀନଙ୍କ ସଫଳ ଯାତ୍ରାର ସୂତ୍ର କଣ? ମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟବାସୀଙ୍କ ମନ ଜିଣିଛନ୍ତି,  ବିରୋଧୀଙ୍କୁ ବାରମ୍ବାର ମାତ୍ ଦେଇଛନ୍ତି । ନବୀନଙ୍କ ୨୧ ବର୍ଷ ଶାସନର କାହାଣୀ?

336

କନକ ବ୍ୟୁରୋ : ମେ’ ୨୯, ୨୦୧୯ । ଆଜକୁ ଠିକ୍ ଦୁଇବର୍ଷ ତଳେ । ପ୍ରଦର୍ଶନୀ ପଡିଆରେ ଶପଥଗ୍ରହଣ ସହ ଲଗାତାର ପଞ୍ଚମଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ ନବୀନ ପଟ୍ଟନାୟକ । ବିରୋଧୀଙ୍କୁ ମାତ୍ ଦେଇ ବିଜେଡି ୧୧୨ ଆସନରେ ବିପୁଳ ବିଜୟ ହାସଲ କରିଥିବା ବେଳେ, ପୁଣି ନବୀନ ଧରିଥିଲେ ଓଡ଼ିଶା ଶାସନର ମଙ୍ଗ । ଓଡ଼ିଶାରେ ନବୀନଙ୍କ ଲୋକପ୍ରିୟତା ଆଗରେ କାମ କରିନଥିଲା ମୋଦି ମ୍ୟାଜିକ, ବିଜେପି ଚାଣକ୍ୟଙ୍କ ଅଙ୍କକଷା ବି ନବୀନଙ୍କ କ୍ରେଜ ଆଗରେ ମାରିଥିଲା ଫେଲ । ଆଉ ଏସବୁ ଭିତରେ ଆଜି ନବୀନଙ୍କ ପଞ୍ଚମ ପାଳିକୁ ଦ୍ୱିତୀୟ ବର୍ଷ ପୁରିଛି । ଏହାସହ ପ୍ରଥମ ବ୍ୟକ୍ତି ଭାବେ ଲଗାତାର ୨୧ ବର୍ଷ ଧରି ଓଡ଼ିଶାର ଶାସନ କ୍ଷମତା ଧରିବାର ରେକର୍ଡ ମଧ୍ୟ ନିଜ ନାଁରେ କରିଛନ୍ତି ନବୀନ । ୨୧ ବର୍ଷ ଧରି ମୁଖ୍ୟମନ୍ତ୍ରୀ ପଦରେ ରହିଥିଲେ ମଧ୍ୟ ଏଯାଏଁ କମିନି ନବୀନଙ୍କ କ୍ରେଜ । ରାଜ୍ୟବାସୀଙ୍କ ବିଶ୍ୱାସ, ଭରସା ଓ ଭଲପାଇବା ଏବେ ବି ରହିଛି ନବୀନଙ୍କ ସାଥୀରେ । ଯାହାର ଝଲକ ଗତ ଦୁଇଟି ଉପ-ନିର୍ବାଚନରେ ମଧ୍ୟ ଦେଖିବାକୁ ମିଳିଛି ।

ଗତ ୨୧ ବର୍ଷ ହେବ ଓଡ଼ିଶା ରାଜନୀତିରେ ଲମ୍ବା ରେସର ଘୋଡା ଭାବେ ଉଭା ହୋଇଛନ୍ତି ନବୀନ । ନା ଏଯାଏଁ ଲୋକପ୍ରିୟତା କମିଛି ନା ପରାଜୟ ଛୁଇଁଛି । ଓଡ଼ିଶା ରାଜନୀତିର ଜଣେ ଅପରିଚିତ ଚେହେରା ଥିବା ନବୀନ ଏହି ୨୧ ବର୍ଷ ଭିତରେ ରାଜ୍ୟର ପ୍ରତିଟି ଘରେ ଜଣେ ପରିଚିତ ନାଁ ପାଲଟି ସାରିଛନ୍ତି । ତେବେ ନବୀନଙ୍କ ପ୍ରତି ରାଜ୍ୟବାସୀଙ୍କର କାହିଁକି ଏତେ ବିଶ୍ୱାସ? କାହିଁକି ବାରମ୍ବାର ନବୀନଙ୍କୁ ବିଜୟ ଭେଟି ଦେଉଛନ୍ତି ଓଡ଼ିଶାବାସୀ? ଆଉ ଏଭଳି ପ୍ରଶ୍ନର ଉତ୍ତର ନବୀନଙ୍କ ସ୍ୱଚ୍ଛ ନିର୍ମଳ ଭାବମୂର୍ତ୍ତି ଓ ଜନକଲ୍ୟାଣକାରୀ ଯୋଜନା ଭିତରେ ଲୁଚି ରହିଛି ।

ଅପରିଚିତରୁ ଅପ୍ରତିଦ୍ୱନ୍ଦୀ, ଅପରାଜେୟ ଓ ଅଦ୍ୱିତୀୟ । ଦୀର୍ଘ ୨୧ ବର୍ଷ ହେବ ରାଜ୍ୟବାସୀଙ୍କ ଠାରୁ ନବୀନ ପାଇଥିବା ସବୁଠୁ ବଡ ପ୍ରମାଣପତ୍ର । ୨୦୦୦ ମସିହାରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଚୌକିରେ ବସିଥିଲେ ନବୀନ । ମହାବାତ୍ୟା ମାଡରେ ଓଡ଼ିଶାର ମେରୁଦଣ୍ଡ ଭାଙ୍ଗିପଡିଥିବା ବେଳେ ୨୦୦୦ ମସିହାରେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଉ ନେଉ ବିକାଶର ବୀଜ ବୁଣିଥିଲେ ନବୀନ । ଯାହା ତାଙ୍କର ଆଗାମୀ ରାଜନୈତିକ କ୍ୟାରିୟର ପାଇଁ ବିଜୟର ରାସ୍ତା ଖୋଲିଥିଲା । ନିଜ ଶାସନର ପ୍ରଥମ ପାଳିରେ ବିକାଶମୂଳକ ଯୋଜନା ମାଧ୍ୟମରେ ନୂଆ ଓଡ଼ିଶାର ନିଅଁ ଖୋଳିଥିଲେ ନବୀନ । ଏହାଛଡା ପ୍ରଥମ ପାଳିରେ ଦୁନୀତିଗ୍ରସ୍ତ ନେତାଙ୍କୁ ଦଳରୁ ଆଉଟ କରି ରାଜ୍ୟବାସୀଙ୍କ ବିଶ୍ୱାସ ଜିଣିଥିଲେ ନବୀନ । ଯେଉଁଥିପାଇଁ ୨୦୦୪ରେ ପୁଣିଥରେ ତାଙ୍କୁ ଦ୍ୱିତୀୟ ଥର ପାଇଁ ଓଡ଼ିଶାର ଶାସନଭାର ସମର୍ପି ଦେଇଥିଲେ ରାଜ୍ୟବାସୀ ।

୨୦୦୪ରେ ଦ୍ୱିତୀୟ ଥର ମୁଖ୍ୟମନ୍ତ୍ରୀ ପଦରେ ବସିବା ପରେ ଓଡ଼ିଶା ଉପରେ ଲାଗିଥିବା ଭୋକିଲା ରାଜ୍ୟର ଟ୍ୟାଗ୍ ହଟାଇବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ ନବୀନ । ରାଜ୍ୟର ଗରିବ ଲୋକଟିଏ ଯେପରି ଭୋକରେ ନ ରହୁ ସେଥିପାଇଁ ୨୦୦୮ରେ ନବୀନ ଆରମ୍ଭ କରିଥିଲେ ୨ ଟଙ୍କିଆ ଚାଉଳ ଯୋଜନା । ଆଉ ଏଭଳି ନିଷ୍ପତି ନବୀନଙ୍କ ତୃତୀୟ ପାଳି ପାଇଁ ବାଟ କଢାଇ ନେଇଥିଲା । ବିଜେପି ସହ ଥିବା ମେଣ୍ଟ ଭାଙ୍ଗିବା ପରେ ମଧ୍ୟ ୨୦୦୯ ନିର୍ବାଚନରେ ବଡ ନବୀନ ଓ ବିଜେଡିକୁ ମିଳିଥିଲା ବଡ ବିଜୟ । ଆଉ ଏହିଠାରୁ ନବୀନ ଆପଣାଇଥିଲେ ସମଦୂରତ୍ୱ ଫର୍ମୁଲା । ଯାହା ପରବର୍ତ୍ତୀ ସମୟରେ ନବୀନଙ୍କ ଶାସନଗାଦି ପାଇଁ ସବୁଠୁ ବଡ ସୁରକ୍ଷାକବଚ ସାଜି ଛିଡା ହୋଇଥିଲା । ତୃତୀୟ ଥର ଶାସନ ଗାଦିରେ ବସିବା ପରେ ଜନକଲ୍ୟାଣକାରୀ ଯୋଜନା ଉପରେ ଗୁରୁତ୍ୱ ଦେଇଥିଲେ ନବୀନ । ଜନ୍ମଠାରୁ ମୃତ୍ୟୁ ଯାଏଁ ଲୋକଙ୍କ ପାଇଁ ବିଭିନ୍ନ ଯୋଜନା ଆଣି ଜନତାଙ୍କ ଭରସା ଜିତିଥିଲେ ନବୀନ । ଆଉ ଏହି ପାଳିରେ ନବୀନଙ୍କ ସବୁଠୁ ବଡ ଉପଲବ୍ଧି ଥିଲା ଏସଏଚଜି ଗ୍ରୁପ୍ ଗଠନ । ମହିଳାଙ୍କୁ ସ୍ୱାବଲମ୍ବୀ କରିବାକୁ ନବୀନ ଯେଉଁ ଐତିହାସିକ ପଦକ୍ଷେପ ନେଇଥିଲେ ତାହାର ଫାଇଦା ଏବେ ୭୦ ଲକ୍ଷ ମହିଳାଙ୍କୁ ମିଳୁଛି । ସେହିଭଳି ମମତା ଯୋଜନାରେ ଗର୍ଭବତୀଙ୍କୁ ଆର୍ଥିକ ସହାୟତା ପ୍ରଦାନ, ନବୀନଙ୍କ ପାଇଁ ବଡ ମହିଳା ଭୋଟବ୍ୟାଙ୍କ ସୃଷ୍ଟି କରିବାରେ ସକ୍ଷମ ହୋଇଥିଲା । ଆଉ ଏହି ମହିଳା ଭୋଟବ୍ୟାଙ୍କ ହିଁ ୨୦୧୪ ନିର୍ବାଚନରେ ରାଜ୍ୟରେ ମୋଦି ଲହରକୁ ଅଟକାଇବାରେ ଯଥେଷ୍ଟ ସହାୟକ ହୋଇଥିଲା । ପୁଣିଥରେ ୨୦୧୪ରେ ଚତୁର୍ଥ ଥର ପାଇଁ ବିଜୟ ବାନା ଉଡାଇଥିଲେ ନବୀନ ।

୨୦୧୪ରେ ଚତୁର୍ଥ ଥର ମୁଖ୍ୟମନ୍ତ୍ରୀ ହେବା ପରେ ଆଉ ଚୁପ୍ ବସିନଥିଲେ ନବୀନ । ନୂଆ ନୂଆ ଯୋଜନା ସାମ୍ନାକୁ ଆଣି ପ୍ରତିଟି ପରିବାର ପାଖରେ ସେ ପହଞ୍ଚିବାକୁ ଆରମ୍ଭ କରିଥିଲେ ପ୍ରୟାସ । ଭୋକିଲାଙ୍କ ଭୋକ ଦୂର କରିବାକୁ ଆହାର, ସୁସ୍ଥ ଓଡ଼ିଶା ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଓ ଚାଷୀଙ୍କ ପାଇଁ କାଳିଆ ଯୋଜନା ଆଣି ନବୀନ ଯେଉଁ ମାଷ୍ଟରଷ୍ଟ୍ରୋକ ମାରିଥିଲେ ତାହା ବିରୋଧୀଙ୍କ ନିଦ ହଜାଇ ଦେଇଥିଲା । ନବୀନଙ୍କ ଏହି ନିଷ୍ପତି ଯୋଗୁଁ ଗରିବ ରୋଗୀ, ଚାଷୀ ଓ ଭୋକିଲା ଉପକୃତ ହୋଇଥିଲେ ଆଉ ବିରୋଧୀ ମାତ୍ ଖାଇଥିଲେ । କିଛି ଏଭଳି ନିଷ୍ପତି ଯୋଗୁଁ ନବୀନଙ୍କ ପ୍ରତି ଥିବା ଲୋକଙ୍କ ଭରସା ଓ  ବିଶ୍ୱାସ ଆହୁରି ଦୃଢ ହୋଇଥିଲା । ଯେଉଁଥିପାଇଁ ୨୦୧୯ରେ ପଞ୍ଚମଥର ପାଇଁ ନବୀନଙ୍କ ସପକ୍ଷରେ ଭରସାର ଭୋଟ ଦେଇଥିଲେ ରାଜ୍ୟବାସୀ । ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ନବୀନ । ଆଉ ପଞ୍ଚମ ପାଳିକୁ ଆଜି ଦୁଇବର୍ଷ ପୂରିଛି ।  କିନ୍ତୁ ଏହି ଦୁଇ ବର୍ଷ ମଧ୍ୟରେ ନବୀନ ଏମିତି ଅନେକ ଐତିହାସିକ ପଦକ୍ଷେପ ଓ ନିଷ୍ପତି ନେଇଛନ୍ତି ଯାହା ତାଙ୍କର ଲୋକପ୍ରିୟତାକୁ ଆହୁରି ବଢାଇ ଦେଇଛି । କେତେବେଳେ ଦୁର୍ନୀତିଗ୍ରସ୍ତ ନେତା ଓ ବାବୁଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ତ ପୁଣି କେତେବେଳେ ମନ୍ଦିରର ସୌନ୍ଦଯ୍ୟକରଣ ତ ଆଉ କେତେବେଳେ ରାଜ୍ୟବାସୀଙ୍କୁ ବିଶ୍ୱସ୍ତରୀୟ ମେଡିକାଲ ନିର୍ମାଣର ପ୍ରତିଶ୍ରୁତି ଦେଇ ନବୀନ ନିଜର ଷଷ୍ଠ ପାଳି ପାଇଁ ମାର୍ଗ ପ୍ରଶସ୍ତ କରୁଥିବା କୁହାଯାଉଛି ।

ଦୁର୍ନୀତିମୁକ୍ତ ସରକାର, ଜନକଲ୍ୟାଣକାରୀ ଓ ବିକାଶମୂଳକ ଯୋଜନା, ମହିଳାଙ୍କୁ ଗୁରୁତ୍ୱ,  କ୍ରିୟାଶୀଳ ପ୍ରଶାସନ, ସ୍ୱଚ୍ଛ ଶାସନ । ନବୀନଙ୍କ ଲଗାତାର ବିଜୟ ପଛର ସବୁଠୁ ବଡ ପୁଞ୍ଜି । ଦୀର୍ଘ ୨୧ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଆସନରେ ବସିଥିବା ନବୀନ ନିଜ ପଲିଟିକାଲ କ୍ୟାରିୟର ଆରମ୍ଭରୁ ଏଯାଏଁ ପରାଜୟ କଣ ଜାଣିନାହାନ୍ତି । ଯେଉଁଥିପାଇଁ ସେ ଅପରାଜୟ ଓ ଅପ୍ରତିଦ୍ୱନ୍ଦୀ ନେତାର ଟ୍ୟାଗ୍ ପାଇଛନ୍ତି । ସେହିଭଳି ନିଜ ଶାସନ କାଳ ଭିତରେ ନବୀନ ଏମିତି କିଛି ନିଷ୍ପତି ନେଇଛନ୍ତି ଯାହାକୁ ଆପଣାଇଛି ପୂରା ଦେଶ । ଯାହା ତାଙ୍କୁ ଅଦ୍ୱିତୀୟ ନେତା ଭାବେ ଗଢିତୋଳିଛି । ଏସବୁ ବାଦ୍ ସାଢେ ୪ କୋଟି ଓଡ଼ିଶାବାସୀଙ୍କୁ ନିଜର ପରିବାର କହି ଆସୁଥିବା ନବୀନଙ୍କୁ ରାଜ୍ୟବାସୀ ବିକାଶର ବିନ୍ଧାଣୀ ତଥା ଜନପ୍ରିୟ ନେତାର ପରିଚୟ ଦେଇଛନ୍ତି ।