ସମଝୋତା ନୁହେଁ ସମଦୂରତ୍ୱ ! ନବୀନ ଦୋହରାଇଲେ ପୁରୁଣା ଫର୍ମୁଲା, ଓଡିଶାରେ କଂଗ୍ରେସ ସହ ମେଣ୍ଟର ଭବିଷ୍ୟତ କଣ ?

29

କନକ ବ୍ୟୁରୋ : ଦାମଙ୍କ ବୟାନରୁ ହାତ ଛଡାଇନେଲା ବିଜେଡି । ନା ବିଜେପି ନା କଂଗ୍ରେସ, କାହାରି ନିକଟତର ହେବ ନାହିଁ ଦଳ । ସୁପ୍ରିମୋଙ୍କ ଏଭଳି ଟ୍ୱିଟ୍ ପରେ, ବଦଳିଯାଇଛି ବିଜେଡି ବରିଷ୍ଠ ମନ୍ତ୍ରୀଙ୍କ ବୟାନ । ଦାମ କହିଛନ୍ତି, ବିଜେଡି ଏକାକୀ ୧୨୫ ଆସନରେ ଜିତିବାକୁ ସମର୍ଥ । ଗତକାଲି କହିଥିଲେ ବିଜେପିର ଗତିରୋଧ ପାଇଁ କଂଗ୍ରେସ ସହ ହାତ ମିଳାଇବାକୁ ପ୍ରସ୍ତୁତ ବିଜୁ ଜନତା ଦଳ । ରାଜ୍ୟ ରାଜନୀତିରେ ଦାମଙ୍କ ନୂଆ ସମୀକରଣ ସଂକେତକୁ ନେଇ ଯେଉଁ ହଲଚଲ ସୃଷ୍ଟି ହୋଇଥିଲା ସେଥିରେ ପାଣି ପକାଇ ଦେଇଛନ୍ତି ନବୀନ ପଟ୍ଟନାୟକ ।

କଂଗ୍ରେସ ସହ ମେଂଟ ପ୍ରସଙ୍ଗରେ ଦାମୋଦର ରାଉତଙ୍କ ମନ୍ତବ୍ୟକୁ ନେଇ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଟ୍ୱିଟ୍ । ଉଭୟ କଂଗ୍ରେସ ଓ ବିଜେପିଠାରୁ ବିଜୁ ଜନତା ଦଳ ସମଦୂରତା ବଜାୟ ରଖିଥିବା ଟ୍ୱିଟରରେ ସ୍ପଷ୍ଟ କରିଛନ୍ତି ନବୀନ । ତେବେ ରାଜ୍ୟବାସୀଙ୍କ ଆଶୀର୍ବାଦରେ ସେମାନଙ୍କ ଅଧିକାର ପାଇଁ ଲଢେଇ ଜାରି ରହିବ ବୋଲି ନିଜ ଟ୍ୱିଟର ଆକାଉଂଟରେ ଉଲ୍ଲେଖ କରିଛନ୍ତି ନବୀନ ପଟ୍ଟନାୟକ ।

naveen babu୨୦୦୯ରେ ବିଜେପିଠାରୁ ସମ୍ପର୍କ ଛିନ୍ନ କରି ସଫଳତା ପାଇବା ପରେ ଦୁଇ ପ୍ରମୁଖ ଜାତୀୟ ଦଳ ବିଜେପି ଓ କଂଗ୍ରେସଠାରୁ ସମାନ ଦୂରତା କଥା ବାରମ୍ବାର କହିଆସୁଛନ୍ତି ନବୀନ । ଏପରିକି ଚଳିତବର୍ଷ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନରେ ଉଭୟ ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କୁ ସମର୍ଥନ ଜଣାଇ ପୁଣିଥିରେ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ । ହେଲେ ଦଳର ଜଣେ ବରିଷ୍ଠ ମନ୍ତ୍ରୀଙ୍କ ଦ୍ୱନ୍ଦାତ୍ମକ ବୟାନ ପରେ ପୁଣି ସାମ୍ନାକୁ ଆସି ସ୍ପଷ୍ଟୀକରଣ ରଖିଛନ୍ତି ନବୀନ ।

ଗତକାଲି ଦେଇଥିବା ବୟାନରୁ ଆଜି ୟୁଟର୍ଣ୍ଣ ମାରିଛନ୍ତି ମନ୍ତ୍ରୀ ଦାମୋଦର ରାଉତ । କଂଗ୍ରେସ ସହ ମେଂଟ ପ୍ରସଙ୍ଗରେ ମତ ବଦଳାଇ କହିଛନ୍ତି, ତାଙ୍କ କଥାର ଅର୍ଥକୁ ଅନର୍ଥ କରାଯାଉଛି । ଓଡିଶାରେ ବିଜେଡି ଏକାକୀ ୧୨୫ ଆସନରେ ଜିତିବାକୁ ସମର୍ଥ ବୋଲି ଦାମ ଦମ୍ଭୋକ୍ତି କରିଛନ୍ତି । ତଥାପି କଂଗ୍ରେସ ଅଛୁଆଁ ନୁହଁ ବୋଲି ମତ ଦେଇଛନ୍ତି । ଯେ କୌଣସି ଦଳ ସାଂପ୍ରଦାୟିକ ଶକ୍ତି ସହ ଲଢିବ ତାକୁ ବିଜେଡି ସମର୍ଥନ କରିବ ବୋଲି ଦାମ କହିଛନ୍ତି ।

ରାଜନୀତିରେ ସବୁକିଛି ସମ୍ôଭବ । ୨୪ ଘଂଟାରେ ବଦଳିଗଲା ବିଜେଡିର ବରିଷ୍ଠ ମନ୍ତ୍ରୀ ଦାମୋଦର ରାଉତଙ୍କ ସ୍ୱର । ବିଜେପି ପରି ସାଂପ୍ରଦୀୟିକ ଶକ୍ତିକୁ ଓଡିଶାରେ ରୋକିବା ପାଇଁ ଅଣବିଜେପି ଦଳ ଏକାଠି ହେବା ଦରକାର ବୋଲି ଗତକାଲି କହିଥିଲେ ଦାମ । ହେଲେ ପାର୍ଟି ସୁପ୍ରିମୋଙ୍କ ସମଦୂରତ୍ୱ ଆଭିମୁଖ୍ୟ ନେଇ ସ୍ପଷ୍ଟୀକରଣ ପରେ, ବୟାନ ବଦଳାଇବାକୁ ବାଧ୍ୟ ହେଲେ କି ଦାମ ?

ତେବେ ଦାମଙ୍କ ବୟାନକୁ ନେଇ କଂଗ୍ରେସର ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ବିଜେଡି ଦଳକୁ ବିଶ୍ୱାସ କରି ହେବ ନାହିଁ । କଂଗ୍ରେସ ରାଜ୍ୟରେ ଏକାକୀ ଲଢିବାକୁ ସମର୍ଥ । ତେଣୁ ବିଜେଡି ପ୍ରଥମେ ନିଜ ଘର ସମ୍ଭାଳୁ ବୋଲି ନିରଞ୍ଜନ କହିଛନ୍ତି । ବିଜେଡି-କଂଗ୍ରେସ ମେଣ୍ଟକୁ ନେଇ ଆଜି ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ମୁହଁ ଖୋଲିଛନ୍ତି । ବିଜୟ କହିଛନ୍ତି, ଏବେ ରାଜ୍ୟରେ ଯେଉଁଭଳି ପରିସ୍ଥିତି ରହିଛି ଏଥିରେ ବିଜେଡି ଓ କଂଗ୍ରେସ ମେଣ୍ଟ ହେବା କଷ୍ଟକର । ତେବେ ରାଜନୀତିରେ ସବୁକିଛି ସମ୍ଭବ ବୋଲି ସେ ମତ ଦେଇଛନ୍ତି ।ଏସବୁ ଭିତରେ ରାଜ୍ୟ ରାଜନୀତି କେଉଁ ଆଡକୁ ଗତି କରୁଛି ତାହା ଦେଖିବାକୁ ବାକି ରହିଲା ।