ବିକ୍ଷୋଭ ଭିତରେ ସରିଲା ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି କାର୍ଯ୍ୟକ୍ରମ । ବିରୋଧୀଙ୍କୁ ଚ୍ୟାଲେଞ୍ଜ ଦେଇ ସଭାମଞ୍ଚରେ କ୍ୟାପଟେନଙ୍କୁ ବସାଇଲେ ନବୀନ

121

କନକ ବ୍ୟୁରୋ: ମମିତା ହତ୍ୟାକୁ ଯେଉଁ ଦିନ ମାସେ ପୁରିଛି, ଠିକ୍ ସେହି ଦିନ ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଗସ୍ତରେ ଯାଇ ବିଜୁ ସ୍ମାର୍ଟ କାର୍ଡ ଯୋଜନାରେ ଜିଲ୍ଲାକୁ ସାମିଲ କରାଇଛନ୍ତି । ବିରୋଧୀଙ୍କ ତମାମ ଧମକ, ଆନ୍ଦୋଳନର ଚେତାବନୀ, ବିକ୍ଷୋଭ ଓ ପ୍ରତିବାଦ ଭିତରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ବଡ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଖାସ୍ କରି ମମିତା ହତ୍ୟା ମାମଲାରେ ବିବାଦୀୟ ହୋଇଥିବା କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କୁ ସଭା ମଞ୍ଚରେ ବସାଇ କ୍ଲିନ ଚିଟ୍ ଦେଇଥିବା ଚର୍ଚ୍ଚା ହେଉଛି । ଯେଉଁ ମନ୍ତ୍ରୀଙ୍କୁ ବହିଷ୍କାର କରିବା ପାଇଁ ବିରୋଧୀ ଦିନ ରାତି ଏକ୍ କରିଛନ୍ତି, ତାଙ୍କୁ ନିଜ ପାଖରେ ବସାଇ ବିଶ୍ୱାସ ବଳବତ୍ତର ଥିବା ବାର୍ତ୍ତା ଦେଇଛନ୍ତି ନବୀନ ।

ଯେଉଁ କଥାକୁ ନେଇ ଏକ ସପ୍ତାହ ଧରି ଓଡ଼ିଶା ରାଜନୀତି ସରଗରମ ହୋଇଥିଲା, ଶେଷରେ ସେହି କଥା ଘଟିଲା । ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତରେ ଗୋଟିଏ ମଞ୍ଚରେ ନବୀନଙ୍କ ସହ ବସିଲେ ମମିତା ମାମଲାରେ ବିବାଦୀୟ ହୋଇଥିବା ମନ୍ତ୍ରୀ ଦିବ୍ୟଶଙ୍କର । ବିରୋଧୀଙ୍କ ବିକ୍ଷୋଭ ଓ ପ୍ରତିବାଦକୁ ଖାତିର କରିନଥିଲେ ବିଜେଡି ମୁଖିଆ । ମମିତା ମେହେର ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବହିଷ୍କାର ଦାବିରେ ମୁଖ୍ୟମନ୍ତ୍ରୀ ଗସ୍ତକୁ ବିରୋଧ କରିଥିଲେ ବିରୋଧୀ । କଳାପତାକା ଦେଖାଇ ବିରୋଧ ପ୍ରଦର୍ଶନ କରୁଥିବା ବେଳେ ସେମାନଙ୍କୁ ଉଠାଇ ନେଇଥିଲା ପୁଲିସ । ସବୁଠୁ ବଡ଼ କଥା ହେଲା, ବିକ୍ଷୋଭ ଓ ବିରୋଧ ପ୍ରଦର୍ଶନ ସତ୍ୱେ ମୁଖ୍ୟମନ୍ତ୍ରୀଙ୍କ ସହ ଗୋଟିଏ ମଞ୍ଚରେ ବସିଥିଲେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ବାରିପଦା କାର୍ଯ୍ୟକ୍ରମରେ ସାମିଲ ହୋଇନଥିଲେ ହେଲେ ଭବାନୀପାଟଣା କାର୍ଯ୍ୟକ୍ରମରେ ମଞ୍ଚରେ ବସିବା ସହ ଭାଷଣ ମଧ୍ୟ ଦେଇଥିଲେ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ।

ତେବେ ମୁଖ୍ୟମନ୍ତ୍ରୀଙ୍କ ସହ ଗୋଟିଏ ମଞ୍ଚରେ ଦିବ୍ୟଶଙ୍କର ବସିବା ଘଟଣାକୁ ସହଜରେ ହଜମ କରି ପାରିନାହାନ୍ତି ବିରୋଧୀ । ମମିତା ହତ୍ୟା ମାମଲାରେ ମନ୍ତ୍ରୀଙ୍କ ସଂପୃକ୍ତି ଥିବା ଅଭିଯୋଗ କରି ମନ୍ତ୍ରୀଙ୍କୁ ସରକାର ଘଣ୍ଟ ଘୋଡ଼ାଉଥିବା କହି କଡ଼ା ଭାଷାରେ ଟିପ୍ପଣୀ ଦେଇଛନ୍ତି । ଆଜି ବିରୋଧ ପ୍ରଦର୍ଶନ ଭିତରେ ଭବାନୀ ପାଟଣା ଉତ୍କେଲା ଏୟାରଷ୍ଟିପରୁ କାର୍ଯ୍ୟକ୍ରମ ସ୍ଥଳରେ ପହଞ୍ଚିବା ପରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ବଣ୍ଟନ କରିଥିଲେ ମୁଖ୍ୟମନ୍ତ୍ରୀ । ଏହା ସହ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭାରମ୍ଭ ମଧ୍ୟ କରିଥିଲେ । ନବମ ଜିଲ୍ଲା ଭାବେ ସ୍ମାର୍ଟ ହେଲ୍ଥ କାର୍ଡ ଯୋଜନାରେ ସାମିଲ ହୋଇଛି କଳାହାଣ୍ଡି ।

  • ସ୍ମାର୍ଟ ହେଲ୍ଥ କାର୍ଡ ଯୋଗୁଁ କଳାହାଣ୍ଡି ଜିଲ୍ଲାର ୧୪ ଲକ୍ଷ ଲୋକ ହେବେ ଉପକୃତ
  • ଦେଶର ୨୦୦ ବଡ଼ ବଡ଼ ହସପିଟାଲ୍ରେ ମିଳିବ ମାଗଣା ଚିକିତ୍ସା
  • ଲାଘବ ହେବ ଗରିବ ଲୋକଙ୍କ ଚିକିତ୍ସା ବୋଝ
  • ୮୬୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କଲେ ନବୀନ
  • ୨୦୨୪ ସୁଦ୍ଧା ସମସ୍ତ ଘରକୁ ସ୍ୱଚ୍ଛ ପିଇବା ପାଣି ଯୋଗାଇ ଦେବାକୁ ପ୍ରତିଶ୍ରୁତି
  • କୃଷି, ଶିକ୍ଷା ଓ ଭିତ୍ତିଭୂମି କ୍ଷେତ୍ରରେ କଳାହାଣ୍ଡି ଆଗୁଆ କହିଲେ ମୁଖ୍ୟମନ୍ତ୍ରୀ

କଳାହାଣ୍ଡି ମଞ୍ଚରୁ ହୁଏତ ଦିବ୍ୟଶଙ୍କରଙ୍କୁ ମୁଖ୍ୟମନ୍ତ୍ରୀ କ୍ଲିନଚିଟ୍ ଦେଇ ଥାଇ ପାରନ୍ତି, ହେଲେ ଏହା ବିରୋଧୀଙ୍କ ମନରେ କିନ୍ତୁ ବିଶ୍ୱାସ ଜନ୍ମାଇ ପାରୁନାହିଁ । ଆଗାମୀ ଦିନରେ ମନ୍ତ୍ରୀଙ୍କ ବହିଷ୍କାର ଦାବିରେ ବିଜେପି ଆନ୍ଦୋଳନକୁ ଆହୁରି ଜୋରଦାର କରିବାକୁ ଚେତାବନୀ ଦେଇଥିବା ବେଳେ କଂଗ୍ରେସ ୧୨ ତାରିଖରେ ଓଡ଼ିଶା ବନ୍ଦ ଡାକରା ନିଷ୍ପତିରେ ଅତୁଟ ରହିଛି ।