ରୁଦ୍ରଙ୍କ ପାଇଁ ନବୀନଙ୍କ ପ୍ରଚାର । ଭର୍ଚୁଆଲ ରାଲିରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ମାଗିଲେ ଭୋଟ, କହିଲେ ପିପିଲି-ଡେଲାଙ୍ଗର ବିକାଶ କଥା ମୁଁ ନିଜେ ବୁଝିବି ।

186

କନକ ବ୍ୟୁରୋ : ପିପିଲି ଉପ-ନିର୍ବାଚନ ପାଇଁ ନବୀନଙ୍କ ପ୍ରଚାର । ପିପିଲି ଉପ-ନିର୍ବାଚନରେ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀଙ୍କ ପାଇଁ ଭର୍ଚୁଆଲ ପ୍ରଚାର କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଆଉ ଏହାସହ ରୁଦ୍ରଙ୍କ ପାଇଁ ଭୋଟ ମାଗିଛନ୍ତି । ପିପିଲି-ଡେଲାଙ୍ଗ ବାସୀ ସବୁବେଳେ ବିଜେଡି ସହ ରହିଛନ୍ତି ଓ ଆଗକୁ ମଧ୍ୟ ରହିବେ ବୋଲି କହିଛନ୍ତି ନବୀନ । ପିପିଲି-ଡେଲାଙ୍ଗରେ ଭଲ କାମ ହୋଇଛି, ଆଗକୁ ମଧ୍ୟ ଭଲ କାମ ହେବ । ପିପିଲି-ଡେଲାଙ୍ଗର ବିକାଶ କାମ ମୁଁ ନିଜ ବୁଝିବି ବୋଲି ପ୍ରତିଶ୍ରୁତି ଦେଇଛନ୍ତି ନବୀନ ।

ଏହାସହ ନବୀନ କହିଛନ୍ତି, ଚାନ୍ଦୁଆ ସହର ପିପିଲି ଦେଶ ଓ ବିଦେଶରେ ଓଡ଼ିଶା ପାଇଁ ସୁନାମ ଆଣିଛି । କଳାର ଏହି ପିପିଲି ମାଟି ଧନ୍ୟ ଓ ଏହାର ଇତିହାସ ମଧ୍ୟ ମହାନ । ପିପିଲି-ଡେଲାଙ୍ଗବାସୀଙ୍କର ମୋ ପ୍ରତି ଭଲପାଇବା ରହିଛି । ଯଦି ପିପିଲି ଯାଇଥାନ୍ତି ତେବେ ବହୁ ସଂଖ୍ୟାରେ ଆପଣ ମାନେ ଏକାଠି ହୋଇ ମୋତେ ଆର୍ଶୀବାଦ କରିଥାନ୍ତେ । ତେବେ କୋଭିଡ ସମୟରେ ଏହା ଉଚିତ ହେବ ନାହିଁ ବୋଲି ଭାବିଲି, ମୋ ପାଇଁ କିଏ ବିପଦରେ ପଡୁ ଏହା ମୁଁ ଚାହୁଁନି । ସେଥିପାଇଁ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଆପଣଙ୍କୁ ଭେଟୁଛି । ତେବେ କୋଭିଡ ସ୍ଥିତିରେ ସୁଧାର ଆସିଲେ ମୁଁ ପିପିଲି ଯାଇ ସମସ୍ତଙ୍କୁ ଭେଟିବି ।

ତେବେ ପୂର୍ବଭଳି ପିପିଲି-ଡେଲାଙ୍ଗ ବାସୀ ପୁଣିଥରେ ବିଜେଡି ପ୍ରାର୍ଥୀଙ୍କୁ ଭୋଟ ଦିଅନ୍ତୁ ବୋଲି ନବୀନ ଅପିଲ କରିଛନ୍ତି । ଶଙ୍ଖ ଚିହ୍ନରେ ମୋହର ମାରି ବିଜେଡିକୁ ବିଜୟୀ କରିବାକୁ କହିଛନ୍ତି ନବୀନ ।