ଆସନ୍ତା ୧୨ରେ ପିପିଲି ପ୍ରଚାର ମୈଦାନକୁ ଓହ୍ଲାଇବେ ନବୀନ । ଦଳୀୟ ପ୍ରାର୍ଥୀ ରୁଦ୍ରଙ୍କ ପାଇଁ ମାଗିବେ ଭୋଟ ।

100
କନକ ବ୍ୟୁରୋ : ପିପିଲି ନିର୍ବାଚନକୁ ଆଉ ହାତରେ ମାତ୍ର କେଇଟା ଦିନ  । ଯେଉଁଥିପାଇଁ ଏବେ ଜିନ୍ଦାବାଦ, ଜୟ ଜୟକାର ନାରାରେ ପ୍ରକମ୍ପିତ ହେଉଛି ଚାନ୍ଦୁଆ ସହର । ଆଉ ଏବେ ପ୍ରଚାର ମୈଦାନରେ ସାମିଲ ହେବାକୁ ଗ୍ରୀନ୍ ସିଗନାଲ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଆସନ୍ତା ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପ-ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ତେବେ କରୋନାକୁ ଦୃଷ୍ଟିରେ ରଖି ଭର୍ଚୁଆଲରେ ରାଲି କରିବେ ନବୀନ । ୬ଟି ଜିଲ୍ଲା ପରିଷଦ ଜୋନରେ ଏହି ପ୍ରଚାର କରିବେ ନବୀନ । ମୁଖ୍ୟତଃ ରାଜ୍ୟ ସରକାରଙ୍କ ବିକାଶର ଏଜେଣ୍ଡାକୁ ନେଇ ପ୍ରଚାର ମୈଦାନକୁ ଓହ୍ଲାଇବେ ନବୀନ । ଏନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ ସମୀର ରଞ୍ଜନ ଦାସ ।
ସେହିଭଳି ଆସନ୍ତା ୧୩ ତାରିଖରେ ଷ୍ଟାର ପ୍ରଚାରକ ଭାବେ ପିପିଲି ପ୍ରଚାରଗ୍ରାଉଣ୍ଡକୁ ଓହ୍ଲାଇବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦଳୀୟ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ପାଇଁ ପ୍ରଚାର କରିବେ ଧର୍ମେନ୍ଦ୍ର । ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିବା ସହ କେନ୍ଦ୍ର ସରକାରଙ୍କ ସଫଳତାକୁ ନେଇ ଲୋକଙ୍କ ପାଖରେ ପହଞ୍ଚିବେ ଧର୍ମେନ୍ଦ୍ର । ତେଣୁ ଆଗୁଆ ପିପିଲି ପ୍ରଚାର ମୈଦାନରେ ବଡ ଧରଣର ଫାଇଟ ବୋଲି କୁହାଯାଉଛି । ଯାହାର ପ୍ରଭାବ ପିପିଲି ଉପ-ନିର୍ବାଚନର ଫଳାଫଳ ଉପରେ ପଡିପାରେ ।