ସୁନ୍ଦରଗଡ଼ ଜିଲ୍ଲାରେ ବୁଲିଲା ବିଜେଡି ସୁପ୍ରିମୋଙ୍କ ହାଇଟେକ୍ ବସ! ନିର୍ବାଚନ ସଭାରେ ନବୀନ କହିଲେ, ଅଟକିବନି କାଳିଆ ଟଙ୍କା । ଜୁଏଲଙ୍କୁ ମାରିଲେ ତେରଛା ବାଣ

167

କନକ ବ୍ୟୁରୋ : କାଳିଆକୁ ଯୋଜନାକୁ ଅଟକାଇ ପାରିବେନି କେହି । ନିର୍ବାଚନୀ ପ୍ରଚାର ଏଭଳି ଦୃଢୋ଼କ୍ତି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୁନ୍ଦରଗଡ଼ ଜିଲ୍ଲାରେ ଆଜି ମୁଖ୍ୟମନ୍ତ୍ରୀ ଏକାଧିକ ଜନସଭା ଏବଂ ଏକ ବିରାଟ୍ ରୋଡ୍ ସୋ’ କରିବା ସହ ସିଧାସଳଖ କେନ୍ଦ୍ର ସରକାରକୁ ଟାର୍ଗେଟ୍ କରିଛନ୍ତି । କାଳିଆ ଯୋଜନାକୁ ବନ୍ଦ କରିବାକୁ କେନ୍ଦ୍ରର ମୋଦି ସରକାର ଚକ୍ରାନ୍ତ କରୁଥିବା ନବୀନ ଅଭିଯୋଗ କରିଥିବା ବେଳେ କେନ୍ଦ୍ର ଦେଇଥିବା ପ୍ରତିଶ୍ରୁତି କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି । ବ୍ରାହ୍ମଣୀ ନଦୀ ଉପରେ ଦ୍ୱିତୀୟ ସେତୁ, ସୁପର ସ୍ପେଶାଲିଟି ହସ୍ପିଟାଲ, ଆଦିବାସୀ ଅଂଚଳ ବିକାଶର ପ୍ରତିଶ୍ରୁତି କୁଆଡେ ଗଲା ବୋଲି ନବୀନ ପ୍ରଶ୍ନ କରିଛନ୍ତି ।

ଯେଉଁ କାଳିଆ ଯୋଜନାକୁ ନେଇ ଗତକାଲି ନିର୍ବାଚନ ଅଧିକାରୀଙ୍କ ପାଖରେ ପହଂଚିଥିଲେ ନବୀନ, ଆଜି ସେହି କାଳିଆ ପ୍ରସଙ୍ଗରେ ସିଧାସଳଖ ଜନସଭାରେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି । କହିଛନ୍ତି-କାଳିଆ ଯୋଜନାକୁ ବନ୍ଦ କରିବା ପାଇଁ ଚକ୍ରାନ୍ତ ଚାଲିଛି । ହେଲେ ଯୋଜନାକୁ ବନ୍ଦ ହେବାକୁ ଦେବେ ନାହିଁ ବୋଲି ଦୃଢ଼କ୍ତି ପ୍ରକାଶ କରିଛନ୍ତି ନବୀନ ।

ସେହିପରି ମୋଦି ସରକାରଙ୍କୁ ଟାର୍ଗେଟ୍ କରି ମୁଖ୍ୟମନ୍ତ୍ରୀ ପ୍ରଶ୍ନ କରିଛନ୍ତି-ଚାଷୀଙ୍କୁ ଦୁଇଗୁଣା ଏମଏସପି କୁଆଡେ ଗଲା? ବ୍ରହ୍ମଣୀ ଉପରେ ଦ୍ୱିତୀୟ ସେତୁ ହେବ କେବେ? ଏହା ବ୍ୟତୀତ ସୁନ୍ଦରଗଡ଼ର ତୁଙ୍ଗ ନେତା ଜୁଏଲ ଓରାମଙ୍କୁ ଇଙ୍ଗିତ କରି କହିଛନ୍ତି- ଏଠି ଜଣେ କେନ୍ଦ୍ରମନ୍ତ୍ରୀ ଅଛନ୍ତି ଯିଏ କିଛି କରନ୍ତି ନାହିଁ ବୋଲି ଅଭିଯୋଗ କରିଛନ୍ତି ।

ଏପଟେ କାଳିଆ ଯୋଜନା ସଂପର୍କରେ ପ୍ରତିକ୍ରିୟା ରଖିଛି ବିଜେପି । ଦଳ କହିଛି-ପିଏମ୍ କିଷାନ୍ ଯୋଜନା ପାଇଁ ତାଲିକା ଦେଇନଥିବା ରାଜ୍ୟ ସରକାର ଚାଷୀଙ୍କୁ ନେଇ କୁମ୍ଭୀର କାନ୍ଦଣା କାନ୍ଦୁଛି । ରାଜନୀତିର ଏହି ଆରୋପ-ପ୍ରତ୍ୟାରୋପ ଭିତରେ କିନ୍ତୁ ବିରୋଧୀଙ୍କ ସବୁ ରଣନୀତିକୁ କାଉଁଟର କରିବା ପାଇଁ ନିଜେ ମଂଗ ଧରିଛନ୍ତି ମୁଖ୍ୟମନ୍ତ୍ରୀ । ବସରେ ବୁଲୁଛନ୍ତି ବିଜେଡି ମୁଖିଆ ।  ଜାତୀୟ ଗଣମାଧ୍ୟମ ଏନଡିଟିଭିକୁ ସୂଚନା ଦେଇ ନବୀନ କହିଛନ୍ତି , ୧୫୦ ଜନସଭା ଓ ହଜାରେ କିଲୋମିଟରର ରୋଡ ସୋ କାର୍ଯ୍ୟକ୍ରମ ରହିଛି ।