ପାଟକୁରା ଲଢେଇ ପାଇଁ ଦାୟିତ୍ୱରେ ଥିବା ନେତାଙ୍କୁ ସୁପ୍ରିମୋଙ୍କ ଡାକରା। ୧୧ଟାରେ ନବୀନ ନିବାସରେ ବସିବ ବୈଠକ। ପ୍ରସ୍ତୁତ ହେବ ସ୍ୱତନ୍ତ୍ର ରଣନୀତି

206

କନକ ବ୍ୟୁରୋ: ପାଟକୁରା ନିର୍ବାଚନ ଦାୟିତ୍ୱରେ ଥିବା ନେତାଙ୍କୁ ନବୀନ ନିବାସରୁ ଆସିଛି ଡାକରା । ପାଟକୁରା ଦାୟିତ୍ୱରେ ଥିବା ନେତାଙ୍କୁ ଆଜି ଦିନ ୧୧ଟାରେ ନବୀନ ନିବାସ ଡକାଯାଇଛି । ଏଠାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପାଟକୁରା  ନିର୍ବାଚନ ନେଇ  ଦାୟିତ୍ୱରେ ଥିବା  ନେତାଙ୍କ ସହ ରଣନୀତି ନେଇ ଆଲୋଚନା କରିବେ । ଦଳର କିଛି ବରିଷ୍ଠ ନେତାଙ୍କୁ ପାଟକୁରା ଦାୟିତ୍ୱ ଦିଆଯାଇଛି ।

ଦୁଇ ଦୁଇ ଥର ନିର୍ବାଚନ ସ୍ଥଗିତ ରହିବା ପରେ ପାଟକୁରା ବିଧାନସଭା ପାଇଁ ୨୦ ତାରିଖରେ ନିର୍ବାଚନ ହେବ । ୨୪ ତାରିଖରେ ଫଳାଫଳ ଆସିବ ।  ଏଠାରେ ବିଜେଡି-ବିଜେପି ମଧ୍ୟରେ ସିଧାସଳଖ ଲଢେଇ ହେଉଛି ।  ବିଜେପିରୁ ବିଜୟ ମହାପାତ୍ର ପ୍ରାର୍ଥୀ ହୋଇଥିବାବେଳେ ବିଜେଡିରୁ ସାବିତ୍ରୀ ଅଗ୍ରୱାଲ ପ୍ରାର୍ଥୀ ହୋଇଛନ୍ତି । ଏହି ନିର୍ବାଚନ  ବିଜେଡି ଓ ବିଜେପି ବିଶେଷକରି ବିଜୟ ମହାପାତ୍ରଙ୍କ ପାଇଁ ସମ୍ମାନର ପ୍ରଶ୍ନ ପାଲଟିଛି । ପାଟକୁରା ପାଇଁ ଏପ୍ରିଲ ୨୯ରେ ନିର୍ବାଚନ ହେବାର ଥିଲା । କିନ୍ତୁ ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କ ପରଲୋକ ଯୋଗୁଁ ନିର୍ବାଚନକୁ  ମେ ୧୯ ଯାଏଁ ଘୁଞ୍ଚାଯାଇଥିଲା ।  କିନ୍ତୁ ଫୋନି ଯୋଗୁଁ  ଏହାକୁ ସ୍ଥଗିତ ରଖାଯାଇଥିଲା ।