କୁଆଡେ ଗଲେ ପ୍ରଶାନ୍ତ ଜଗଦ୍ଦେବ ? କ୍ୱାଟର୍ସରେ ଚଢାଉ କରି ଖାଲି ହାତରେ ଫେରିଲା ପୋଲିସ

ବାଲୁଗାଁରେ ବିଜେପି ନେତାଙ୍କୁ ମାଡମରା ଘଟଣାରେ ହୋଇଛନ୍ତି ବିଜେଡିରୁ ନିଲମ୍ବିତ

172

କନକ ବ୍ୟୁରୋ : ବଢୁଛି ବିଜେଡିରୁ ନିଲମ୍ବିତ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଅଡୁଆ । ପୁଲିସ ତାଙ୍କୁ ଖୋଜୁଥିଲେ ବି ପାଉନାହିଁ । ଗତକାଲି ଅପରାହ୍ନରେ ପୁଲିସ ପ୍ରଶାନ୍ତଙ୍କ କ୍ୱାର୍ଟରକୁ ଯାଇଥିଲେ ବି ଖାଲି ହାତରେ ଫେରିଛି । ପୁଲିସ ଚାଲିଆଡେ ଚଢାଉ ଜାରି ରଖିଛି । କିନ୍ତୁ ପ୍ରଶାନ୍ତ ଜଗଦ୍ଦେବଙ୍କ ମୋବାଇଲ ସ୍ୱିଚ ଅଫ ରହିଛି । ବାଲୁଗାଁ ଏନଏସି ଅଫିସରେ ବିଜେପି ନେତାଙ୍କୁ ମାଡ ମାରିବା ଦୃଶ୍ୟ ଭାଇରାଲ ହେବା ପରେ କାର୍ଯ୍ୟାନୁଷ୍ଠାନ ନେଇଥିଲେ ବିଜେଡି ସୁପ୍ରିମୋ । ତାଙ୍କୁ ବିଜେଡିରୁ ନିଲମ୍ବିତ କରାଯାଇଥିଲା । ମାଡ ମାରିବା ନେଇ ପ୍ରଶାନ୍ତଙ୍କ ବିରୋଧରେ ଥାନାରେ ଅଭିଯୋଗ ବି ହୋଇଛି । ବାଲୁଗାଁ ଏସଡିପିଓଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଛି । ଗତକାଲି ପୁଲିସ ପ୍ରଶାନ୍ତଙ୍କ ଭୁବନେଶ୍ୱର ଘରକୁ ଆସିଥିଲେ ବି ସେଠାରେ ସେ ନଥିଲେ । ଫଳରେ ପ୍ରଶାନ୍ତଙ୍କ କିଛି ସହଯୋଗୀଙ୍କୁ ପୁଲିସ ପଚରାଉଚରା କରିଥିବା ଜଣାଯାଇଛି ।

ସୂଚନାଯୋଗ୍ୟ, ବାଲୁଗାଁ ଏନ୍‌ଏସି କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ରାସନକାର୍ଡ ବଂଟନ କାର୍ଯ୍ୟକ୍ରମ ପାଇଁ ସ୍ଥିର ହୋଇଥିଲା । ଏଥିରେ ସ୍ଥାନୀୟ ବିଧାୟକ ପ୍ରଶାନ୍ତ ଯୋଗ ଦେବାର କାର୍ଯ୍ୟକ୍ରମ ମଧ୍ୟ ରହିଥିଲା । ବିଧାୟକ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପହଂଚିଥିଲେ । ତେବେ ସ୍ଥାନୀୟ ବିଜେପିର ନଗର ମଣ୍ଡଳ ସଭାପତି ନିରଂଜନ ସେଠୀଙ୍କ ନେତୃତ୍ୱରେ ବିଜେପିକର୍ମୀମାନେ ବିଧାୟକଙ୍କ ଯୋଗ ଦାନକୁ ବିରୋଧ କରିଥିଲେ । କାର୍ଯ୍ୟାଳୟ ଫାଟକ ସମ୍ମୁଖରେ ବିଧାୟକଙ୍କୁ କାର୍ଯ୍ୟାଳୟ ମଧ୍ୟକୁ ପଶିବାକୁ ଦେଇନଥିଲେ । ଏହାକୁ ନେଇ ବିଧାୟକ ଓ ବିଜେପି ମଣ୍ଡଳ ସଭାପତିଙ୍କ ମଧ୍ୟରେ ବଚସା ହୋଇଥିଲା । ବଚସା ସମୟରେ ଉତକ୍ଷିପ୍ତ ହୋଇ ବିଧାୟକ ମଣ୍ଡଳ ସଭାପତିଙ୍କୁ ମାରିବାପାଇଁ ହାତ ଉଠାଇଥିଲେ । ଏହାକୁ ନେଇ ଉଭୟଙ୍କ ସମର୍ଥକଙ୍କ ମଧ୍ୟରେ ୧୦-୧୫ ମିନିଟ୍‌ ଧରି ପରସ୍ପର ଗାଳିଗୁଲଜ କରିବା ସହ ଧସ୍ତାଧସ୍ତି ହୋଇଥିଲା। ଏହି ଘଟଣାରେ ନିରଂଜନ ସେଠୀଙ୍କ ପକ୍ଷରୁ ବିଧାୟକ ଜଗଦ୍ଦେବଙ୍କ ବିରୋଧରେ ଥାନାରେ ଲିଖିତ ଅଭିଯୋଗ ଦିଆଯାଇଥିଲା ।